ତରକାରି ପାଇଁ ସାଙ୍ଗକୁ ହତ୍ୟା

କାଠ ଫାଳିଆରେ ପିଟିପିଟି ମାରିଦେଲେ, ଜଣେ ଗିରଫ, ସହଯୋଗୀକୁ ଖୋଜୁଛି ପୁଲିସ

ଭୁବନେଶ୍ବର: ସାମାନ୍ୟ ମାଂସ ତରକାରି ପାଇଁ ସାଙ୍ଗକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା। ଗତ ବିଳମ୍ବିତ ରାତିରେ ସାଲିଆସାହି ଇଡ୍‌କୋ ବସ୍ତିରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ, ମୟୂରଭଂଜ ଜିଲ୍ଲା ଖୁଣ୍ଟା ଥାନା କରମଭୂଟି ଅଞ୍ଚଳର ସୁଶୀଲ୍‌ ହେମ୍ବ୍ରମ(୩୫)। ଏନେଇ ମୈତ୍ରୀବିହାର ଥାନା ପୁଲିସ ‌ଏକ ହତ୍ୟା ମାମଲା ରୁଜୁ କରି ବିଶ୍ବନାଥ କିସ୍କୁକୁ ଗିରଫ କରିଛି। ତେବେ ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସୋନୁ ଫେରାର୍‌ ଥିବାରୁ ତାକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ଜବତ କରିବା ସହ ପୁଲିସ୍‌ ତଦନ୍ତ ଚଳାଇଛି।

ସୂଚନା ମୁତାବକ, କିଛି ବର୍ଷ ହେବ ସୁଶୀଲ, ବିଶ୍ବନାଥ ଓ ସୋନୁ ଭୟୂରଭଂଜରୁ ଆସି ସାଲିଆସାହିରେ ରହି ଶ୍ରମିକ ଭାବେ କାମ କରୁଥିଲେ। ସୋନୁ ଓ ବିଶ୍ବନାଥ ଗୋଟିଏ ଘରେ ରହୁଥିବା ବେଳେ ସୁଶୀଲ ସାମ୍ନା ଘରେ ରହୁଥିଲେ। ‌କିଛି ଦିନ ତଳେ ସୋନୁ ଓ ସୁଶୀଲଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସୋନୁ ଏ ସମ୍ପର୍କରେ ସମ୍ପର୍କୀୟ ଭାଇ ବିଶ୍ବନାଥକୁ ଜଣାଇଥିଲେ। ବିଶ୍ବନାଥ ଓ ସୋନୁ ମିଶି ସୁଶୀଲଙ୍କୁ ଗାଳିଗୁଲଜ କରିବା ସହ ମାଡ଼ପିଟ୍‌ କରିଥିଲେ। ସେଦିନର ଘଟଣା ସେତିକିରେ ସରିଯାଇଥିଲେ ହେଁ ଦୁହିଁଙ୍କ ଭିତରେ ବିବାଦ ଲାଗି ରହିଥିଲା। ଗତକାଲି ରାତିରେ ସୁଶୀଲ କୁକୁଡ଼ା ମାଂସ ରାନ୍ଧିଥିଲେ। ରୋଷେଇ ସାରି କାମରେ ବାହାରକୁ ଯାଇଥିବା ବେଳେ ସେହି ସମୟରେ ସୋନୁ ଓ ବିଶ୍ବନାଥ ତାଙ୍କ ଘରକୁ ଆସି ମଦ ପିଇବା ସହ ସବୁ ତରକାରି ଖାଇ ଦେଇଥିଲେ। ସୁଶୀଲ ଘରକୁ ଫେରି ଏହା ଜାଣିବା ପରେ ଦୁଇ ଭାଇଙ୍କୁ ଗାଳି କରିଥିଲେ। ଏଥିରେ ସୋନୁ ଓ ବିଶ୍ବନାଥ ରାଗତମତମ ହୋଇ ଘରୁ ବାହାରକୁ ପଳାଇଥିଲେ। ପରେ ସେମାନେ ସୁଶୀଲକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ରାତି ପାଖାପାଖି ୩ଟା ବେଳେ ଦୁଇ ଭାଇ କବାଟ ବାଡ଼େଇ ସୁଶୀଲକୁ ଡାକିଥିଲେ। ସେ କବାଟ ଖୋଲିବା ମାତ୍ରେ ଦୁହେଁ ଏକ କାଠଫାଳିଆରେ ତାଙ୍କ ମୁଣ୍ଡକୁ ଶକ୍ତ ପାହାର ଦେଇଥିଲେ। ସୁଶୀଲ ତଳେ ପଡ଼ିଯିବା ପରେ ଦୁଇ ଭାଇ ତାଙ୍କୁ ନିସ୍ତୁକ ପିଟି ଚାଲିଥିଲେ। ତାଙ୍କର ମୃତ୍ୟୁ ହୋଇଯିବା ପରେ ଉଭୟ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଆଜି ସକାଳେ ଧନେଶ୍ବର ନାମକ ଜଣେ ଯୁବକ ସୁଶୀଲ ପାଖକୁ ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ସେମାନେ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ମୈତ୍ରୀବିହାର ଥାନା ପୁଲିସ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ପୁଲିସର ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ବେଳେ ବିଶ୍ବନାଥକୁ ନିକଟ ଏକ ଘରୁ ଗିରଫ କରିଥିଲା। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ।

ସମ୍ବନ୍ଧିତ ଖବର