ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ ଉଦ୍‌ଘାଟିତ

ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌କୁ ଓଡ଼ିଶା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଆବାସିକ କମିସନର ଶ୍ରୀ ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିସନର୍‌ ଦେବଯାନୀ ଚକ୍ରବର୍ତ୍ତୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ୪୧ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡ଼ିଶାର କଳା କାରିଗରୀର ନିଖୁଣ ଅବତାରଣା କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି।

ଏଥିରେ ମିଲେଟ୍ ମିସନ୍‌ ମଧ୍ୟ ପ୍ରମୁଖତାର ସହ ପ୍ରଦର୍ଶିତ ହୋଇଛି। ସର୍ବମୋଟ ୨୪ ଗୋଟି ଷ୍ଟଲ୍‌ରେ ମିଲେଟ୍‌ ମିସନ୍‌ ସମେତ ଓରମାସ୍‌, ମିସନ୍‌ ଶକ୍ତି, ବୟନିକା, ଉତ୍କଳିକା, କେରାପୁଟ୍‌ କଫି, ଟସର ଶିଳ୍ପ, ଜନଜାତି ଅଳଙ୍କାର, କଟକ ତାରକସି କାମ ଓ ନୂତନପିଢ଼ିର ଉଦ୍ୟୋଗୀଙ୍କ ଦ୍ବାରା ନିର୍ମିତ ଷ୍ଟାର୍ଟ-ଅପ୍‌ ପ୍ରଭୃତି ସ୍ଥାନିତ ହୋଇଛି। ଉଦ୍‌ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ ଓଡ଼ିଶା ବର୍ତ୍ତମାନ ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ପ୍ରମୁଖତା ହାସଲ କରିଛି। ଆମେ କୋଭିଡ୍‌ର ଦ୍ବିତୀୟ ଲହର ସମୟରେ ସମଗ୍ର ଦେଶରେ ଅମ୍ଳଜାନ ଯୋଗାଇ ଜନତାଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛୁ ଏବଂ ବର୍ତ୍ତମାନ ଆମେ ଦେଶରେ ଅନେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ବ ନେଉଛୁ। ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ ଓଡ଼ିଶାରେ ଆଞ୍ଚଳିକ ସ୍ତରରେ ହେଉଥିବା ପ୍ରତ୍ୟେକଟି ସୂକ୍ଷ୍ମ ଓ କାରିଗରୀପୂର୍ଣ୍ଣ ମୂଲ୍ୟବାନ ସାମଗ୍ରୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏହା ମେଳା ଏକ ପ୍ରକୃଷ୍ଟ ମଞ୍ଚ।

ସମ୍ବନ୍ଧିତ ଖବର