ପାର୍ବଣ ପୂର୍ବରୁ ରାଜଧାନୀରେ ମାତିଲେଣି ଅପରାଧୀ: ୧୪ ଦିନରେ ୯୦ ଲୁଟ୍, ଚୋରି, ସିନ୍ଧିଚୋରି

ଭୁବନେଶ୍ବର: ଆଗକୁ ପାର୍ବଣ, ଏବେଠୁ ରାଜଧାନୀରେ ମାତିଲେଣି ଚୋର, ଲୁଟେରା ଓ ଅନ୍ୟ ଅପରାଧୀ। ବିଭିନ୍ନ ସ୍ଥାନରେ ଅପରାଧ ଘଟାଇବା ପରେ ସେମାନେ ଖସି ପଳାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଖାଲି ସେତିକି ନୁହେଁ, ରାଜରାସ୍ତାରେ ଆତଙ୍କ ମଧ୍ୟ ଖେଳାଉଛନ୍ତି। କେଉଁଠି ତଣ୍ଟି କାଟି ଲୁଟ୍ କରିଛନ୍ତି ତ ଆଉ କେଉଁଠି ନିଶା ଦେଇ ଲୁଟ୍। ରାସ୍ତା ମଝିରୁ ସୁନାଚେନ୍, ମୋବାଇଲ ଫୋନ୍ ଝିଙ୍କି ନେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୯୦ଟି ଲୁଟ୍, ଚୋରି ଓ ସିନ୍ଧିଚୋରି ମାମଲା ରୁଜୁ ହୋଇଛି। ମାମଲା ସଂଖ୍ୟାକୁ ଦେଖିଲେ ଦିନକୁ ୬ରୁ ଅଧିକ ଘଟଣା ଘଟୁଥିବା ଜଣାପଡ଼ୁଛି।

ବିଶେଷ କରି ଘର, ଦୋକାନ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟପାଟ୍ କରିଥିବା ବେଳେ ରାଜରାସ୍ତାରୁ ସୁନାଚେନ୍ ଓ ମୋବାଇଲ ଫୋନ୍ ଲୁଟ୍ କରିଛନ୍ତି। ରାଜଧାନୀରେ ସୁନା ଚେନ୍ ଲୁଟ୍ କରି ନିଦ ହଜାଇ ଦେଇଥିବା ବ୍ଲାକ ଜ୍ୟାକେଟ୍ ଗ୍ୟାଙ୍ଗକୁ ପୁଲିସ ଧରିଛି, କିନ୍ତୁ ସୁନାଚେନ୍ ଲୁଟ୍ ଥମିବାରେ ନାଁ ଧରୁନି। ଆଗକୁ ପୂଜା ଆସୁଥିବା ବେଳେ ଲୁଟେରା, ଚୋର ଅଧିକ ସକ୍ରିୟ ରହିବେ ବୋଲି କୁହାଯାଉଛି। ଭିଡ଼ର ସୁଯୋଗ ନେଇ ଲୁଟେରା ଲୁଟ୍ କରିବେ। ସେହିପରି ଛୁଟିରେ ଅନେକ ଲୋକ ରାଜଧାନୀ ଛାଡ଼ି ବାହାରକୁ ଯିବାର ଥିବାରୁ ସିନ୍ଧିଚୋରମାନେ ଘର, ଦୋକାନର କବାଟ ଓ ଝରକା ଭାଙ୍ଗି ଲୁଟପାଟ୍ କରିବେ। କାରଣ ବିଗତ ବର୍ଷମାନଙ୍କରେ ପୂଜା ସମୟରେ ଏଭଳି ଅନେକ ଲୁଟ୍, ସିନ୍ଧିଚୋରି ଘଟିଛି। ଏବେଠୁ ଯଦି ପୁଲିସ ସ୍ବତନ୍ତ୍ର ଆକ୍ସନ୍ ପ୍ଲାନ ପ୍ରସ୍ତୁତ ନ କରିବ, ତାହେଲେ ଅପରାଧୀ ଉପରମୁହାଁ ହେବେ ବୋଲି କୁହାଯାଉଛି।

ଚିନ୍ତା ବଢ଼ାଇବେ ଅଣଓଡ଼ିଆ ଲୁଟେରା
ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ଆସି ରାଜଧାନୀରେ ଶ୍ରମିକ, ଫେରିବାଲା ଭାବେ କାମ କରୁଥିବା କେତେକ ଅଣଓଡ଼ିଆ ଅପରାଧରେ ସମ୍ପୃକ୍ତ ରହିଛନ୍ତି। ବିଶେଷ କରି ଚୋରି, ଲୁଟ୍ ଭଳି ମାମଲାରେ ସାମିଲ ଅଛନ୍ତି। ପୂଜା ଆସୁଥିବାରୁ ଏହି ଗ୍ୟାଙ୍ଗ ଅଧିକ ସକ୍ରିୟ ରହିବ ବୋଲି ଅନୁମାନ କରାଯାଉଛି।

ପାଟ୍ରୋଲିଂକୁ ବାହାରୁ ନାହାନ୍ତି ଆଇଆଇସି!
ସନ୍ଧ୍ୟାରେ ରାଜଧାନୀରେ ଅଧିକ ମାତ୍ରାରେ ଚୋରି, ଲୁଟ୍, ଛିନତାଇ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ସନ୍ଧ୍ୟା ସମୟରେ ଅନେକ ଥାନା ପୁଲିସ ପାଟ୍ରୋଲିଂରେ ବାହାରୁ ନଥିବା ଅଭିଯୋଗ ହେଉଛି। ଦୁର୍ବଳ ପାଟ୍ରୋଲିଂ ଯୋଗୁ ଅପରାଧୀମାନେ ଅଧିକ ସକ୍ରିୟ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର