ବନ୍ଧାହେଲେ ଠକ ଦମ୍ପତି: ୪ ମହଲା କୋଠା ଆଳରେ ୪ କୋଟି ଚଳୁ

୩ ଶହ ଗ୍ରାମ୍‌ ସୁନା, ୭୦ ହଜାର ଟଙ୍କା ଓ କାର୍‌ ଜବତ

ଭୁବନେଶ୍ବର: ରାଜଧାନୀରେ ପ୍ଲଟ୍‌ ଓ ୪ ମହଲା କୋଠା କରାଇ ଦେବାକୁ କହି ଜଣେ ଗହଣା ବ୍ୟବସାୟୀଙ୍କଠାରୁ ୪ କୋଟି ଟଙ୍କା ଠକିଥିବା ଧୂର୍ତ୍ତ ଦମ୍ପତିକୁ ବାନ୍ଧିଛି ବଡ଼ଗଡ଼ ଥାନା ପୁଲିସ। ସେମାନେ ହେଲେ ଗଞ୍ଜାମ ପୋଲସରା ଅଞ୍ଚଳର କେ ଭୂବନମୋହନ ପାତ୍ର(୩୬) ଓ ତାଙ୍କ ପତ୍ନୀ କେ ପ୍ରତ୍ୟୁଷାଦେବୀ ପାତ୍ର(୨୮)। ପୁଲିସ ସେମାନଙ୍କଠାରୁ ୬୯ ହଜାର ଟଙ୍କା, ୩ ଶହ ଗ୍ରାମ୍‌ ସୁନାଗହଣା, ସାଢ଼େ ୪ଶହ ଗ୍ରାମ ରୁପା ଗହଣା ଓ ଗୋଟିଏ କାର୍‌ ଜବତ କରିଛି। ଏହି ଦମ୍ପତିଙ୍କ ଠକାମି ତାଲିକା ଲମ୍ବା ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ସେଦିଗରେ ଖୋଳତାଡ଼ କରୁଛି।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରେ ଥିବା ଗଣେଶ ଜୁଏଲାରିର ମାଲିକ ୟୁ. ଗଣେଶ ପାତ୍ର ଅଳଙ୍କାର ବ୍ୟବସାୟ ପାଇଁ ବିଭିନ୍ନ ସମୟରେ ଭୁବନେଶ୍ବର ଆସୁଥିବା ବେଳେ ଏହି ଠକ ଦମ୍ପତିଙ୍କ ସହ ଭେଟ ହୋଇଥିଲା। ଗୋଟିଏ ଜିଲ୍ଲାର ବାସିନ୍ଦା ହୋଇଥିବାରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ୨୦୨୧ ମସିହା ମାର୍ଚ୍ଚ ମାସରେ ଏହି ଦମ୍ପତି ଭୁବନେଶ୍ବର ସହରର ପ୍ରମୁଖ ସ୍ଥାନରେ ଥିବା ଜମିକୁ ୫ କୋଟି ଟଙ୍କା ମୂଲ୍ୟରେ କିଣିବା ଲାଗି ଗଣେଶଙ୍କୁ ପ୍ରସ୍ତାବ ଦେଇଥିଲେ। ପରେ ଆଲୋଚନା ମାଧ୍ୟମରେ ଉକ୍ତ ଜମିର ମୂଲ୍ୟ ୪କୋଟି ଟଙ୍କା ସ୍ଥିର ହୋଇଥିଲା। ଗଣେଶ ସେମାନଙ୍କୁ ବିଭିନ୍ନ ମାଧ୍ୟମରେ ଟଙ୍କା ଦେବା ଆରମ୍ଭ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଗଣେଶ ଜମି ବାବଦକୁ ସ୍ଥିର ହୋଇଥିବା ୪ କୋଟି ଟଙ୍କା ସମ୍ପୂର୍ଣ୍ଣ ଭାବେ ଦେଇଥିଲେ। ଟଙ୍କା ଦେବା ପରେ ଜମି ପଞ୍ଜୀକରଣ ପାଇଁ କହିବାରୁ ଆଉ ଉଭୟ ଧରାଛୁଆଁ ଦେଇନଥିଲେ।

ସେମାନଙ୍କର ବହୁ ପ୍ରଭାବଶାଳୀ ଲୋକଙ୍କ ସହ ସମ୍ପର୍କ ଥିବା କହି ସେମାନେ ଗଣେଶଙ୍କୁ ଡରାଇଥିଲେ। ଏମିତିକି ଟଙ୍କା ମାଗିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଗଣେଶ ପୁଲିସରେ ଅଭିଯୋଗ କରିବାକୁ କହିବାରୁ ସେମାନେ ଜମି ପଞ୍ଜୀକରଣ ପାଇଁ ରାଜି ହୋଇଥିଲେ। ଏଥିପାଇଁ ଭୁବନେଶ୍ବରସ୍ଥିତ ଡିଏସ୍‌ଆର କାର୍ଯ୍ୟାଳୟକୁ ଡାକିଥିଲେ। ସେଠାରେ ଗଣେଶ ପହଞ୍ଚିବା ପରେ ସ୍ବାମୀ-ସ୍ତ୍ରୀ ଆଉ ୫୦ ଲକ୍ଷ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ଉଭୟ ଅଭିଯୁକ୍ତ ଏବଂ ସେମାନଙ୍କର ସହଯୋଗୀମାନେ ମିଶି ଗଣେଶଙ୍କୁ ମାଡ଼ ମାରିବା ସହିତ ଜୀବନରୁ ମାରିଦେବାକୁ ପ୍ରୟାସ କରିଥିଲେ। ହେଲେ କୌଶଳକ୍ରମେ ଗଣେଶ ସେଠାରୁ ଖସିଆସି ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଠକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର