ରାଜଧାନୀରେ ଆରମ୍ଭ ହେଲା: କଳାକାଚ ଗାଡ଼ି ଧରପଗଡ଼

ଭୁବନେଶ୍ବର: ନିର୍ବାଚନ ସମୟରେ ଗାଡ଼ିରେ ଲାଗିଥିବା ବ୍ଲାକ୍‌ ଫିଲ୍ମ ବା କଳାଜରି ଆଢ଼ୁଆଳରେ ଟଙ୍କା ଚାଲାଣ ହେବାର ଆଶଙ୍କା ଥିବାରୁ ଏହାକୁ ନେଇ ଆକ୍‌ସନ୍‌ ମୋଡ୍‌କୁ ଆସିଛି କମିସନରେଟ୍‌ ପୁଲିସ। ଉଚ୍ଚତମ ନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଯାଇ ଆଜି ବ୍ଲାକ୍‌ ଫିଲ୍ମ ହଟାଇବା ଅଭିଯାନ ପୁଲିସ ଆରମ୍ଭ କରିଛି। ପ୍ରଥମେ ଦିନରେ ୪୦ରୁ ଅଧିକ ଗାଡ଼ି କାଚରେ ଲାଗିଥିବା କଳାଜରିକୁ କଢ଼ାଯାଇଛି। ଭୁବନେଶ୍ବର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଯାଞ୍ଚ ସମୟରେ କଳାକାଚକୁ ଖୋଜିଖୋଜି କାଚରେ ଲାଗିଥିବା କଳାଜରିକୁ ପୁଲିସ କାଢ଼ିଛି। ସେପଟେ ଏପରି ଧରପଗଡ଼କୁ ନେଇ ଗାଡି ଚାଳକମାନଙ୍କ ପକ୍ଷରୁ ମିଶ୍ରୟ ପ୍ରତିକ୍ରିୟା ପ୍ରକାଶ ପାଇଛି। କିଛି ଚାଳକ ଓ ସାଧାରଣ ଲୋକ ଏହାକୁ ସ୍ବାଗତ କରିଥିବାବେଳେ କିଛି ଚାଳକ ସେମାନଙ୍କୁ ଆଗରୁ ସଚେତନ କରାଯାଇ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ।

ଆହୁରି ଯୁକ୍ତି ଆସିଛି ଯେ କଳାଜରି ଲଗାଉଥିବା ଡିଲର୍‌ମାନଙ୍କ ଉପରେ ପୁଲିସ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ! କଳିଙ୍ଗ ହସ୍ପିଟାଲ ସ୍ଥିତ ଚେକ୍‌ପୋଷ୍ଟରେ ଏନେଇ ଆଜି ଏକ ନୂଆ ଧରଣର ଦୃଶ୍ୟ ଦେଖିବାକୁ ମିଳିଥିଲା। ଧରା ପଡ଼ିଥିବା ଗାଡ଼ିକୁ ରାସ୍ତାକଡ଼କୁ ନେଇ ପୁଲିସ କେଉଁଠି ନିଜେ ସେ କଳାଜରିକୁ ବାହାର କରୁଥିଲା ତ କେଉଁଠି ମାଲିକମାନେ ନିଜେ ବାହାର କରୁଥିଲେ। ତେବେ ଆଉ କେତେକ ଗାଡ଼ି ଭିଡ଼ର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଆଜି ସେଠାରେ ୪୦ଟି କାର୍‌କୁ ଯାଞ୍ଚ କରା ଯାଇଥିବାବେଳେ କେତେଜଣଙ୍କଠାରୁ ନିୟମ ଉଲ୍ଲଂଘନ ପାଇଁ ଜରିମାନା ଆଦାୟ କରା ଯାଇଛି। ୨୫ ଜଣଙ୍କର ଇ-ଚାଲାଣ କଟିଛି, ୬ ଜଣ ପ୍ରସିକ୍ୟୁସନ ରିପୋର୍ଟରେ ଯାଇଛନ୍ତି। ଉଲ୍ଲେଖନୀୟ ଯେ କଳାକାଚ ପାଇଁ ସେକ୍ସନ ୧୮୨ (ଏ) (୪) ଅନୁଯାୟୀ ୫୦,୦୦ଟଙ୍କା ଜରିମାନା କିମ୍ବା ୬ ମାସ ଜେଲଦଣ୍ଡର ମଧ୍ୟ ପ୍ରାବଧାନ ରହିଛି। ନିର୍ବାଚନ ଆସୁଥିବାବେଳେ ଏହି କଳାକାଚ ହଟାଇବା ଅଭିଯାନକୁ କମିସନରେଟ ପୁଲିସ ଆଗକୁ ଆହୁରି କଡ଼ା କରିବ ବୋଲି କମିସନର କହିଛନ୍ତି। ଏହାଛଡା ଏନେଇ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ ସହିତ ଗୁଇନ୍ଦା ରିପୋର୍ଟ ଅନୁସାରେ, ନିର୍ବାଚନ ସମୟରେ କଳାକାଚ ଆଢ଼ୁଅାଳରେ ଟଙ୍କା ଚାଲାଣ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର