ରୢାଗିଂ ଓ ଅଧ୍ୟକ୍ଷଙ୍କ ମାଡ଼ ପରେ ଛାତ୍ର ନିଖୋଜ ଘଟଣା: ନାଟକ କରିଛନ୍ତି ବାପା-ପୁଅ

ଚନ୍ଦ୍ରଶେଖରପୁର: ସିନିୟର୍‌ ଛାତ୍ରଙ୍କ ରୢାଗିଂ ଓ କଲେଜ ଅଧ୍ୟକ୍ଷଙ୍କ ମାଡ଼ରେ ଭୟଭୀତ ହୋଇ ଏକ ଘରୋଇ କଲେଜ ଛାତ୍ର ହୃଦେଶ ପଣ୍ଡା କ୍ୟାମ୍ପସରୁ ନିଖୋଜ ହୋଇଯିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। କଲେଜର ବକେୟା ଅର୍ଥ ନ ଦେବା ପାଇଁ ଛାତ୍ର ଓ ତାଙ୍କ ବାପା ଏଭଳି ଏକ ନାଟକ କରିଛନ୍ତି ବୋଲି ଜଣାଯାଇଛି। ଏ ସଂପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଛାତ୍ରଜଣଙ୍କ ନିଖୋଜ ହୋଇନାହାନ୍ତି। ଗତକାଲି କଲେଜ କର୍ତ୍ତୃପକ୍ଷ ହୃଦେଶଙ୍କୁ ବାକିଆ ଟଙ୍କା ଶୀଘ୍ର ଦେବାକୁ ତାଗିଦ୍‌ କରିଥିଲେ। ଏ କଥା ହୃଦେଶ ତାଙ୍କ ବାପାଙ୍କୁ ଫୋନ୍‌ରେ ଜଣାଇଥିଲେ। ପରେ ସେ କୌଣସି ପ୍ରକାରେ କଲେଜ୍ କ୍ୟାମ୍ପସରୁ ଖସି ଆସି ନିକଟ‌ରେ ଥିବା ଏକ ହୋଟେଲରେ ରହିଥିଲେ।

ଏ ସଂପର୍କରେ ସୂଚନା ପାଇବା ପରେ ତାଙ୍କ ବାପା, ମା’ ହୋଟେଲରେ ପହଞ୍ଚି ହୃଦେଶ ସହ କଥା ହୋଇଥିଲେ। କିନ୍ତୁ ପରେ କଲେଜ୍ କ୍ୟାମ୍ପସ୍‌କୁ ଯାଇ ହୃ‌ଦେଶ ନିଖୋଜ ହୋଇଯାଇଥିବା କହି ନାଟକ କରିବା ସହ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ହୃ‌ଦେଶ ରହୁଥିବା ହୋଟେଲର ଫୁଟେଜ୍‌ ପୁଲିସ୍‌ ଜବତ କରି ସତ୍ୟାସତ୍ୟ ଜାଣିବାକୁ ପାଇଛି। ତେବେ କେଉଁ କାରଣରୁ ବାପା-ପୁଅ ଏଭଳି ନାଟକ ରଚିଛନ୍ତି, ସେ ନେଇ ପୁଲିସ୍‌ ତଦନ୍ତ ଚଳାଇଛି। ବାପା-ପୁଅଙ୍କୁ ଥାନାକୁ ଡାକି କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର