ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ରୂପରେଖ ନେଇ ମାନସମନ୍ଥନ

ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଏକ ଦୃଷ୍ଟିକୋଣ ଯୋଜନା ପ୍ରସ୍ତୁତ କରିବା ପାଇଁ ଦେଶର ବିଶିଷ୍ଟ ଚିକିତ୍ସାବିତ୍‌, ବିଭିନ୍ନ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି, ବେଙ୍ଗାଲୁରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଡିନ୍, ସ୍ବାସ୍ଥ୍ୟ ବିଭାଗର ପ୍ରଶାସକ, ମେଡିକାଲ କଲେଜର ନିର୍ଦ୍ଦେଶକ, ଡିନ୍ ଏବଂ ପ୍ରିନସିପାଲ୍‌ମାନେ ଯୋଗଦେଇ ଆଲୋଚନା କରିଛନ୍ତି। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ସାଂଗଠନିକ ଢାଞ୍ଚା, ଅଭିନବ ପାଠ୍ୟକ୍ରମର ବିକାଶ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉତ୍କର୍ଷ କେନ୍ଦ୍ର ସହ ଅନୁସନ୍ଧାନ ଏବଂ ସହଯୋଗ, ବିଶ୍ବବିଦ୍ୟାଳୟ କାର୍ଯ୍ୟର ଡିଜିଟାଇଜେସନ୍, ଅଧ୍ୟାପନା କ୍ଷେତ୍ରରେ ବିକାଶ, ଆଭ୍ୟନ୍ତରୀଣ ସହଯୋଗ ଏବଂ ପ୍ରତିଷ୍ଠିତ ମହାବିଦ୍ୟାଳୟର ଭୂମିକା ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଉଦ୍‌ଘାଟନ କରି କହିଛନ୍ତି ଯେ, ରାଜ୍ୟରେ ଦୀର୍ଘ ଦିନରୁ ଏକ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଆବଶ୍ୟକତା ଥିଲା। ଯାହା ଏବେ ପୂରଣ ହେବାକୁ ଯାଉଛି। ଏହା ଦେଶର ୧୭ତମ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ହେବ। ରାଜ୍ୟରେ ଆଗରୁ ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଏବେ ୭ଟି ନୂଆ କଲେଜ ହେବା ପରେ ୧୦ଟି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଚାଲୁଛି। ଏହାସହ ହୋମିଓପାଥି, ଆୟୁର୍ବେଦ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ଚାଲୁଛି। ଏବେ ଏହିସବୁ ଅନୁଷ୍ଠାନଗୁଡ଼ିକ ଗୋଟିଏ ସ୍ଥାନରେ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ମଧ୍ୟରେ ରହିବ। ଏହାଦ୍ବାରା ଗୋଟିଏ ୟୁନିଫର୍ମ ଷ୍ଟାଣ୍ଡାର୍ଡର ମେଡିକାଲ ଶିକ୍ଷା ପ୍ରଚଳିତ ହେବ। ନିୟମିତ ତାଲିମ, ସମୟାନୁଯାୟୀ ପରୀକ୍ଷା ଓ ଫଳ ପ୍ରକାଶ ପାଇବ। ଏହାସହ ଗବେଷଣା ଉପରେ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀଙ୍କ ଦ୍ବାରା ପରିଚାଳିତ ଏହି କର୍ମଶାଳାରେ ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ଓଏସ୍‌ଡି ପ୍ରଫେସର ଡା. ଦତ୍ତେଶ୍ବର ହୋତା, କିଟ୍‌ ବିଶ୍ବବିଦ୍ୟାଳୟର ପ୍ରୋ-ଚାନସେଲର୍‌ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ, ଗୌହାଟୀ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଧ୍ରୁବଜ୍ୟୋତି ବୋରା, ବେଙ୍ଗାଲୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍‌ ସାଇନ୍ସର ଡିନ୍‌ ପ୍ରଫେସର ଉଷା ବିଜୟ ରାଘବନ୍, ମହାରାଷ୍ଟ୍ରର ଡିଏମ୍‌ଇଟି ପ୍ରଫେସର ଦିଲ୍ଲୀପ ଗୋବିନ୍ଦରାଓ ମହିସେକର, ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶୁହ୍ରିତା ପଲ୍‌, ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ଡିନ୍ ପ୍ରଫେସର ସଚିନ୍ ମୁମ୍ବ୍ରେ, କେରଳ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମୋହନନ୍ କୁନ୍ନୁମାଲ୍‌, ଆନ୍ଧ୍ରପ୍ରଦେଶ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମପ୍ରସାଦ ପିଗିଲାମ୍ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର