ସୁନ୍ଦରପଦା ଦୀପକ ହତ୍ୟା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ଭିକି ଓ ସୁଜିତ

୭ ଦିନିଆ ରିମାଣ୍ଡ ମାଗିବ ପୁଲିସ

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସୁନ୍ଦରପଦା ଦୀପକ ରାଉତରାୟ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭିକି ମଲିଆ ଓ ସହଯୋଗୀ ସୁଜିତ୍ ମଲିଆ ବୁଧବାର ଦିନ ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ମାମଲା ମୁଖ୍ୟ ଅଭିଯୁକ୍ତ ଭିକିକୁ ଗିରଫ କରିବା ପାଇଁ ପୁଲିସ ଅପରେସନ୍ ଜାରି ରହିଥିବା ବେଳେ ହଠାତ୍ ସେମାନଙ୍କ ଆତ୍ମସମର୍ପଣ ପୁଲିସ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଜାମିନ୍ ନାମଞ୍ଜୁର ହେବାରୁ ଭିକି ଓ ସୁଜିତକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ତେଣୁ ତଦନ୍ତ ପାଇଁ ଏବେ ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ପ୍ରସ୍ତୁତ ହେଉଛି। ରିମାଣ୍ଡ ଅବଧି ଭିତରେ ପୁଲିସ ତଦନ୍ତ କେତେ ପ୍ରଭାବୀ ହେବ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପୁଲିସ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ବୁଧବାର ଦିନ କୋର୍ଟ ପରିସରରେ ସୁନ୍ଦରପଦାର କିଛି ଯୁବକ ହୋ-ହଲ୍ଲା କରିଥିଲେ। ଅଭିଯୁକ୍ତମାନଙ୍କୁ ଗାଳିମନ୍ଦ କରିବା ସହ ପୁଲିସ ସହ ଯୁକ୍ତିତର୍କ କରିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଖୁବ ଶୀଘ୍ର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଛି।

ଜିରୋ ନାଇଟ୍‌ ପାଳନ ଅବସରରେ ଭିକି ମଲିଆ ଓ ତା ସହଯୋଗୀମାନେ ଦୀପକଙ୍କୁ ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ୪ ଦିନ କାଳ ସେମାନଙ୍କୁ ଖୋଜିଖୋଜି ପାଇନଥିଲା। ଏମିତିକି ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇ ଡେରା ପକାଇଥିବା କୁହାଯାଉଥିଲା। ଗତକାଲି ନିଜେ ଡିସିପି ଉମାଶଙ୍କର ଦାଶ ଏୟାର୍‌ଫିଲ୍ଡ ଥାନାକୁ ଯାଇ ତଦନ୍ତ ସମୀକ୍ଷା କରିଥିଲେ। ଭିକିକୁ ଗିରଫ କରିବାକୁ ନୂଆ ଯୋଜନା ଚିନ୍ତା କରାଯାଇଥିଲା। ତେଣୁ ଗତକାଲି ତା ଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ତା ବ୍ୟାଙ୍କ ପାସ୍‌ବୁକ୍‌, ଆଧାର କାର୍ଡ ଓ ଭୋଟର ପରିଚୟପତ୍ର ଜବତ କରାଯାଇଥିଲା। କିନ୍ତୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମିଳିନଥିଲା। ୪ ଦିନ କାଳ ପୁଲିସ ନାକେଦମ୍ ହେଉଥିବା ବେଳେ ଆଜି ହଠାତ୍ ଭିକି ଓ ସୁଜିତ୍ କୋର୍ଟରେ ପହଞ୍ଚିଥିଲେ। ତେଣୁ ପୁଲିସ ସେମାନଙ୍କୁ କେଉଁଠି ଖୋଜୁଥିଲା ବୋଲି ଅଭିଯୋଗ କରି ସୁନ୍ଦରପଦାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ପୁଲିସ ଭୁବନେଶ୍ବରରେ ଜାଲ ବିଛାଇଥିବା ବେଳେ ଭିକି ଓ ସଜିତ୍ କେଉଁ ବାଟରେ ଆସି ‌କୋର୍ଟରେ ପହଞ୍ଚିଲେ ଯେ ପୁଲିସ ସେମାନଙ୍କ ଟେର୍ ପାଇଲାନି ବୋଲି ଲୋକେ ଅଭିଯୋଗ କରିଥିଲେ। ଏସିପି ଅନିରୁଦ୍ଧ ରାଉତରାୟଙ୍କ କହିବା ଅନୁଯାୟୀ ଅନ୍ୟ ଦୁଇ ଜଣଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ଭିକି ଓ ସୁଜିତକୁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯିବ ବୋଲି ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର