ସରିଲା ‘ସୁରଭି’ ସତ୍‌ଶିକ୍ଷା ଆହ୍ବାନକୁ ସାମ୍ନା କରିବାର ବାଟ ଦେଖାଏ

ଭୁବନେଶ୍ବର: ଜ୍ଞାନକୁ କେବଳ ସ୍କୁଲ୍‌ ପାଠ୍ୟକ୍ରମର ବହି ଭିତରେ ସୀମିତ ରଖ ନାହିଁ। ସଂପ୍ରତି ଜ୍ଞାନର ଯୁଗ। ତେଣୁ ସବୁବେଳେ ଜ୍ଞାନକୁ ଅପ୍‌ଡେଟ୍‌ ରଖ। କ୍ରୀଡ଼ା, ନୃତ୍ୟ, ସଂଗୀତ, କଳା ଓ ସମାଜସେବା, ଯେଉଁଥିରେ ବି ତୁମର ରୁଚି ଅଛି, ସେଥିରେ ନିଜର ଶ୍ରେଷ୍ଠତ୍ବ ପ୍ରତିପାଦନ କର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଆୟୋଜିତ ‘ସୁରଭି’ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଶିକ୍ଷାର ବିକଳ୍ପ ନାହିଁ। ସତ୍‌ ଶିକ୍ଷା ଜୀବନରେ ଆସୁଥିବା ଆହ୍ବାନକୁ ସକରାତ୍ମକ ମନୋଭାବ ସହ ସାମ୍ନା କରିବା ପାଇଁ ସଶକ୍ତ କରେ। ତେଣୁ ସକାରାତ୍ମକ ମନୋଭାବ ସହ ଆଗକୁ ବଢ଼। ଆତ୍ମବିଶ୍ବାସ ବଜାୟ ରଖ। ଏହା କରିପାରିଲେ, ସଫଳତା ତୁମ ନିକଟତର ହେବ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ବୋଧନ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ରା ଆରୁମୁଗମ ସ୍ବାଗତ ଭାଷଣ ଓ ନିର୍ଦେଶକ ବି.ଏସ୍‌ ପୁନିଆ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ସୁରଭି ଅବସରରେ ବିଭିନ୍ନ ଷ୍ଟଲ୍‌ରେ ଚାଲିଥିବା କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର