ନୂଆ ରୂପ ନେବ ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଘୋଡ଼ା ନ ହଟିବା ‌ପାଇଁ ନିଷ୍ପତ୍ତି ହେବା ପରେ ଏହି ଜାଗାକୁ ଏକ ନୂଆ ରୂପ ଦେବା ପାଇଁ ଯୋଜନା ହୋଇଛି। ଏଥିପାଇଁ ସ୍ମାର୍ଟ ସିଟି ପକ୍ଷରୁ ପୂର୍ଣ୍ଣ ରୂପ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଗତ ଶନିବାର ଏଠାରୁ ଆବର୍ଜନା ସଫା କରାଯାଇ ଥିବା ବେଳେ ଆଜି ବିଏସ୍‌ସିଏଲ୍‌ର ବରିଷ୍ଠ କର୍ମକର୍ତ୍ତାମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଖୁବ୍‌ଶୀଘ୍ର ଏଠାରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବା ସହ ଦୁଇମାସ ମଧ୍ୟରେ ଶେଷ ହେବ। ଏହି ସ୍ଥାନ ହିଁ ସ୍ମାର୍ଟ ସିଟିର ପରିଚୟ ବହନ କରିବ ବୋଲି କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ।

ସ୍ମାର୍ଟ ଜନପଥ ପ୍ରସ୍ତୁତିରେ ଘୋଡ଼ାକୁ ଏଠାରୁ ଉଠାଇ ନିଆଯିବାକୁ ପ୍ରସ୍ତାବ ଦିଆଯିବା ପରେ ବିଭିନ୍ନ ସ୍ତରରୁ ବିରୋଧ ହୋଇଥିଲା। ଶେଷରେ ଏହାକୁ ନ ଉଠାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ। ସରକାରଙ୍କ ନିଷ୍ପତ୍ତି ପରେ ବିଏସ୍‌ସିଏଲ୍‌ ଏହାକୁ ସୌନ୍ଦର୍ଯ୍ୟୀକରଣ କରିବାକୁ ନକ୍ସା ପ୍ରସ୍ତୁତ କରିଥିଲା। ବିଏସ୍‌ସିଏଲ୍‌ ଯୋଜନା ମୁତାବକ, ସମ୍ପୂର୍ଣ୍ଣ ଗୋଲାକାର ଥିବା ଏହି ସ୍ଥାନକୁ ପରିବର୍ତ୍ତନ କରାଯିବ। ଏହାକୁ ଅର୍ଦ୍ଧ ଗୋଲାକାର ଆକୃତି ଦିଆଯିବ। ଚାରିପାଖକୁ ରଙ୍ଗିନ ଆଲୋକମାଳାରେ ସଜାଯିବ। ଷ୍ଟେସନ ପଟୁ, ବାଣୀବିହାର ପଟୁ, ପିଏମ୍‌ଜି ଓ ରାଜମହଲ ପଟୁ ରାତିରେ ଦୂରରୁ ଯେଭଳି ଘୋଡ଼ାଟି ସ୍ପଷ୍ଟ ଦିଶିବ ସେଥିପାଇଁ ଆଲୋକମାଳାରେ ସଜାଯିବ। ଭିତରେ ନାନା ରକମର ଗଛ ଲଗାଯିବ। ଚାରିପାଖର କମ୍‌ ଉଚ୍ଚତାରେ ଥିବା ପାଚେରିରେ ବିଭିନ୍ନ କାରୁକାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର