ସାଢ଼େ ତିନି କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୃଷ୍ଟି ହେବ ନୂଆ ଇତିହାସ
୨୦୦ରୁ ଅଧିକ ଘରୋଇ ଡାକ୍ତରଖାନାରେ ମିଳିବ ଚିକିତ୍ସା ସୁବିଧା
ଭାରତୀୟ ହକି ଦଳକୁ ସବୁ ସହଯୋଗ ଯୋଗାଇ ଦିଆଯିବ

ଭୁବ‌ନେଶ୍ବର : ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟାଯିବ। ଏହାକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଯ୍ୟକାରୀ କରାଯିବ। ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବାରେ ଓଡ଼ିଶା‌ ସାରା ଦେଶରେ ପ୍ରଥମ ରାଜ୍ୟ ହେବ।

ରବିବାର ଦିନ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରାଯାଇ ଭୁବନେଶ୍ବରର ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ, ‘ସାରା ଓଡିଶା ମୋ ପରିବାର। ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ମୋତେ ବହୁତ କଷ୍ଟ ଲାଗେ। ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ ବୋଲି ମୁଁ ଘୋଷଣା କରୁଛି।’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଯୋଜାନରେ ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତ୍ୟୋଦୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ। ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ। ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ହସ୍‌ପିଟାଲ ଚେନ୍‌ଗୁଡ଼ିକରେ ଏହି ଚିକିତ୍ସା ସୁବିଧା ମିଳିବ। ଏହା ସାରା ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିବ। ମୋର ବିଶ୍ବାସ, ମୋର ପ୍ରିୟ ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ। ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ୭୫ ବର୍ଷ ଗୋଟିଏ ଦେଶ ପାଇଁ, ଜାତି ପାଇଁ ବହୁତ ବଡ଼ ସମୟ ନ ହେଲେ ମଧ୍ୟ ଏହାର ବିଶେଷ ଗୁରୁତ୍ବ ରହିଛି। ଭାରତର ଗଣତନ୍ତ୍ରକୁ ଆମର ସବୁଠାରୁ ବଡ ସଫଳତା ଭାବରେ ବର୍ଣ୍ଣନା କରି ଦେଶର ବିକାଶ ପ୍ରକ୍ରିୟାରେ ଏହା ସମସ୍ତଙ୍କୁ ଭାଗୀଦାର କରିବାରେ ସଫଳ ହୋଇଛି। ଯୁବପିଢ଼ିଙ୍କ ନିକଟରେ ନିବେଶ ଅର୍ଥାତ୍ ଭବିଷ୍ୟତ ପାଇଁ ନିବେଶ। ୪୦ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍‌ସରେ ପଦକ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିବା ସହ ଆମ ଖେଳାଳିଙ୍କ ପାଇଁ ସାରା ଦେଶ ଗର୍ବିତ ବୋଲି କହିଥିଲେ । ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢିତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଘୋଷଣା କରିଥିଲେ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି। ସେହିପରି ‘ମୋ ସ୍କୁଲ’ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ୍‌ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ବାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ। କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍‌ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି। ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ପୁଲିସ ଡିଜି ଅଜୟ, ଏନ୍‌ସିସିର ଉପ ମହାନିର୍ଦ୍ଦେଶକ କମୋଡର୍‌ ସୋମେନ୍ ବାନାର୍ଜୀ ଉତ୍ସବ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଉନ୍ନୟନ କମିସନର୍‌ ପି କେ ଜେନା, ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ, ୩୦ ଜଣ କୋଭିଡ୍‌ ଯୋଦ୍ଧାଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓ ନି‌ର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର