ବରମୁଣ୍ଡାରେ ନାହିଁ ଭେଣ୍ଡିଂ ଜୋନ୍‌: ଦୋକାନ ଭାଙ୍ଗିଲେ, ଥଇଥାନ କଲେନି

ଖଣ୍ଡଗିରି: ବରମୁଣ୍ଡାର ନୂତନ ବସଷ୍ଟାଣ୍ଡ ପାଇଁ ୪୨୨ ଉଠାଦୋକାନୀଙ୍କ ଦୋକାନ ଭାଙ୍ଗି ଦେଲେ। ଏବେ ସେମାନଙ୍କ ପାଇଁ ଭେଣ୍ଡିଂ ଜୋନ୍‌ର ବ୍ୟବସ୍ଥା ନାହିଁ। ଏଥିଯୋଗୁଁ ସେମାନଙ୍କ ଅବସ୍ଥା ଦୟନୀୟ ହେବାରେ ଲାଗିଛି। ଏଣେ ନୂତନ ବସଷ୍ଟାଣ୍ଡ ହେବା ପରେ ଯେଉଁ କେତେ ଜଣ ଅସ୍ଥାୟୀ ଦୋକାନୀ ପସରା ମେଲାଇଛନ୍ତି ସେମାନଙ୍କୁ ପ୍ରତି ମୁହୂର୍ତ୍ତରେ ଉଚ୍ଛେଦ ଭୟ ଘାରୁଛି।

ଉଠାଦୋକାନୀ ମହାସଂଘର ସୂଚନା ଅନୁସାରେ, ବରମୁଣ୍ଡା ବସଷ୍ଟାଣ୍ଡରେ ଜଳଖିଆ, ଫଳ, ତେଜରାତି ଠାରୁ ଆରମ୍ଭ କରି ଛୋଟବଡ଼ ୩୧୨ଟି ଦୋକାନ ଥିଲା। ଯାହା ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତା ପୂରଣ କରିଥାଏ। ପ୍ରତିଦିନ ଏହି ବସଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ୧୨୦୦ରୁ ଅଧିକ ବସ୍‌ ଯାତାୟାତ କରିଥାଏ। ଏହି ଦୋକାନ ଯାତ୍ରୀ ତଥା ବସ୍‌ କର୍ମଚାରୀଙ୍କ ଭୋକ-ଶୋଷ ମେଣ୍ଟାଇ ଥାଏ। ଏଥିରେ ଯାତ୍ରୀଙ୍କ ସହିତ ଦୋକାନୀମାନେ ଲାଭାନ୍ବିତ ହୋଇଥାଆନ୍ତି। ନୂତନ ବସ୍‌ ଟର୍ମିନାଲ ନିର୍ମାଣ ପାଇଁ ପ୍ରଥମେ ଏହି ୩୧୨ ଏବଂ ପରବର୍ତ୍ତୀ ସମୟରେ ଏନଏଚ ବାମ ପାର୍ଶ୍ବ ଦୁର୍ଗା ପଡ଼ିଆ ନିକଟସ୍ଥ ସ୍ଥାନରେ ପର୍ଯ୍ୟାୟକ୍ରମରେ ୬୩ ଏବଂ ୪୭ଟି ଦୋକାନ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ବିଏମ୍‌ସି ପକ୍ଷରୁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା ଯେ ବରମୁଣ୍ଡାରେ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍‌ର ନିର୍ମାଣ କରାଯାଇ ସେହି ଦୋକାନୀମାନଙ୍କୁ ଥଇଥାନ କରାଯିବ। ମାତ୍ର ଦେଢ଼ ବର୍ଷରୁ ଊର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଏଠାରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇପାରି ନାହିଁ। ଏଥିଯୋଗୁଁ ଅନେକ ଦୋକାନୀ ବିକଳ୍ପ ରୋଜଗାର ନ ପାଇ ପୁଣି ଭଙ୍ଗା ଦୋକାନ ଉପରେ ଅସ୍ଥାୟୀ ପସରା ମେଲାଉଛନ୍ତି ଏବଂ ବିଏମସି ପ୍ରବର୍ତ୍ତନ ସ୍କ୍ବାଡ୍‌ର ନାଲି ଆଖିର ସମ୍ମୁଖୀନ ହେଉଛନ୍ତି। ଆଉ କିଛି ଦୋକାନୀଙ୍କୁ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ମିଳୁ ନାହିଁ।

କେବଳ ବରମୁଣ୍ଡା ବସଷ୍ଟାଣ୍ଡ ନୁହେଁ ସମୁଦାୟ ୱାର୍ଡ ନମ୍ବର ୫୦ରେ ଭେଣ୍ଡିଂ ଜୋନ୍‌ ନାହିଁ। ଉଠା ଦୋକାନୀ ମହାସଂଘର ପ୍ରତାପ ସାହୁଙ୍କ ଅନୁସାରେ, ଷ୍ଟ୍ରିଟ ଭେଣ୍ଡର ଆକ୍ଟ-୨୦୧୪ ଅନୁଯାୟୀ, ଫୁଟପାଥ୍‌ର ଏକ ତୃତୀୟାଂଶ ସ୍ଥାନରେ ଉଠା ଦୋକାନୀମାନେ ବସିପାରିବେ। ଏମାନଙ୍କ ଦୋକାନ ଭାଙ୍ଗି ବିଏମ୍‌ସି ଆଇନର ଉଲ୍ଲଘଂନ କରିଥିବା ସଂଘ ଅଭିଯୋଗ କରିଛି। ନୂତନ ବସ୍‌ ଟର୍ମିନାଲରେ ବସ୍‌ ମାଲିକଙ୍କ ବିଭିନ୍ନ ପ୍ରକାର ସୁବିଧା କଥା ରହିଛି। ଏଠାରେ ଭଙ୍ଗା ଯାଇଥିବା ଛୋଟ ଗରିବ ଦୋକାନୀମାନଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ। ତେଣୁ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତାରେ ରହିଛି। ବିଏମ୍‌ସି ବୈଠକରେ ଏନେଇ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଇଛି। କେବେ ଏଠାରେ ଭେଣ୍ଡିଂ ଜୋନ୍‌ ହେବ ଏବଂ ଭାଙ୍ଗି ଦିଆଯାଇଥିବା ଦୋକାନୀଙ୍କୁ ଥଇଥାନ କରାଯିବ ତାକୁହିଁ ଅପେକ୍ଷା ରହିଛି।

ସମ୍ବନ୍ଧିତ ଖବର