ଖୋଲିପାରୁନି ସୁନା ସ୍ମଗଲିଂ ଗୁମର: ଧରାପଡ଼ନ୍ତି ବାହକ, ଛପିଯାଆନ୍ତି ଖଳନାୟକ

ଭୁବନେଶ୍ବର: ବିଦେଶରୁ ସୁନା ସ୍ମଗଲିଂ କିଛି ନୂଆ କଥା ନୁହେଁ। ଏହି କଳା କାରବାର ବହୁ ପୁରୁଣା। ବିଦେଶରୁ କମ୍ ମୂଲ୍ୟରେ ସୁନା କିଣି ଭାରତ ବଜାରରେ ବିକ୍ରି କରି ସ୍ମଗଲର୍‌ମାନେ ବିପୁଳ ଅର୍ଥ ଉପାର୍ଜନ କରନ୍ତି। ଚୋରା ଚାଲାଣ ବଳରେ ଟିକସ ଫାଙ୍କି ସ୍ମଗଲର୍‌ମାନେ ଲାଭବାନ ହୁଅନ୍ତି। ସ୍ମଗଲର୍‌ମାନଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସହଯୋଗ କରନ୍ତି ଭାରତୀୟ ସୁନା ବ୍ୟବସାୟୀ। ସ୍ମଗଲର୍‌ମାନଙ୍କଠାରୁ କମ୍ ଦରରେ ସୁନା କିଣି ସୁନା ବ୍ୟବସାୟୀମାନେ ଭାରତୀୟ ବଜାର ଦରରେ ବିକି ବିପୁଳ ଲାଭ ପାଇଥା’ନ୍ତି। ‌ସୁନା ସ୍ମଗଲିଂ ରୋକିବାକୁ ଭାରତରେ କଷ୍ଟମସ୍‌ ବିଭାଗଠାରୁ ଆରମ୍ଭ କରି ରେଭେନ୍ୟୁ ବିଭାଗ ପର୍ଯ୍ୟନ୍ତ ବହୁ ସଂସ୍ଥା ରହିଛି। ବନ୍ଦର କି ବିମାନବନ୍ଦର ହେଉ କିମ୍ବା ସ୍ଥଳପଥ ହେଉ, ସବୁଠାରେ ଯାଞ୍ଚ କରିବାକୁ ବ୍ୟବସ୍ଥା ରହିଛି। ସୁନା ନେଇ ଆସୁଥିବା ବାହକମାନେ ବି ଧରାପଡ଼ୁଛନ୍ତି। ପୁଳାପୁଳା ସୁନା ଜବତ କରାଯାଉଛି ଏବଂ ସରକାରୀ ଟ୍ରେଜେରିରେ ଜମା ରହୁଛି। କିନ୍ତୁ ଚୋରା ଚାଲାଣର ଅସଲ ନାୟକମାନଙ୍କ ମୁଖା ଖୋଲିପାରୁନି। ନା ଚୋରା ସୁନା କିଣୁଥିବା ବ୍ୟବସାୟୀ ଧରାପଡ଼ନ୍ତି ନା ଚାଲାଣର କିଙ୍ଗପିନ୍‌ ଗିରଫ ହୁଅନ୍ତି। ବିଭିନ୍ନ ତଦନ୍ତକାରୀ ସଂସ୍ଥାର ହାତ ସେମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରେ ନାହିଁ। ସୁନା ସ୍ମଗଲିଂର ଅସଲ ଗୁମର ସେମିତି ଗୁମର ହୋଇ ରହିଯାଏ।

ନିକଟରେ ସୁନା ଜବତ ଘଟଣାକୁ ନମୁନା ଭାବେ ନିଆଯାଇପାରେ। ୬ ତାରିଖ ଦିନ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୪ ସ୍ମଗଲର୍‌ ଧରାପଡ଼ିଥିଲେ। ମଳଦ୍ବାର ଭିତରେ ପାଖାପାଖି ୩ କେଜି ସୁନା ଲୁଚାଇ ଆଣୁଥିବା ବେଳେ ଡିରେକ୍ଟୋରେଟ୍‌ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍‌ସ (ଡିଆର୍‌ଆଇ) ହାତରେ ଧରାପଡ଼ିଥିଲେ। ଏହି ସୁନା ଦୁବାଇରୁ ଓଡ଼ିଶା ଦେଇ ମାଳଦ୍ବୀପ ଯାଇଥାଆନ୍ତା ବୋଲି ତଦନ୍ତରୁ ଜଣାପଡ଼ିଥିଲା। କିନ୍ତୁ ପ୍ରକୃତରେ ମାଳଦ୍ବୀପ ଯାଇଥାଆନ୍ତା କି ଭାରତର ଅନ୍ୟ କେଉଁ ସହରକୁ ଚାଲାଣ ହେଉଥିଲା, ତାହା ଅସ୍ପଷ୍ଟ। କାରଣ ଧରାପଡ଼ିଥିବା ଚାଲାଣକାରୀ ଯେ ପ୍ରକୃତ ସତ କହିଥିବେ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ସେହିପରି ଏପ୍ରିଲ ୧୮ ତାରିଖରେ ବ୍ୟାଙ୍କକ୍‌ରୁ ଆସିଥିବା ଜଣେ ମରାଠିଙ୍କ ମଳଦ୍ବାରରୁ ୧ କେଜି ସୁନା ମିଳିଥିଲା। ଓଡ଼ିଶା ଦେଇ ସେ ମହାରାଷ୍ଟ୍ର ପୁନେକୁ ଚାଲାଣ କରୁଥିବା ଜଣାପଡ଼ିଥିଲା। କିନ୍ତୁ କଷ୍ଟମସ୍‌ ବିଭାଗ ଭୁବନେଶ୍ବର ବିମାନବନ୍ଦରରେ ତାକୁ ଧରିଥିଲେ। ଏହି ସୁନା ମୁମ୍ବାଇକୁ ଆସୁଥିଲା ବୋଲି ସ୍ପଷ୍ଟ ହୋଇଥିଲେ ବି ସେ ବ୍ୟବସାୟୀ କିଏ, ତାହା ଆଜି ବି ଜଣାପଡ଼ିନାହିଁ। ସେହିପରି ମାର୍ଚ୍ଚ ୩୦ରେ କଟକ ମଙ୍ଗୁଳି ଟୋଲ୍‌ପ୍ଲାଜା ନିକଟରେ ଏକ କାର୍‌କୁ ଧରିଥିଲା ଡିଆର୍‌ଆଇ। କାର୍‌ରୁ ପ୍ରାୟ ସାଢ଼େ ୬ କୋଟି ଟଙ୍କାର ସୁନା ଜବତ ହୋଇଥିଲା ଏବଂ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସୁନା ଓ ଗାଡ଼ି ଜବତ ହେଲା, ଚାଲାଣକାରୀ ଗିରଫ ହେ‌ଲେ, ମାତ୍ର ଅସଲ ଖଳନାୟକ କିଏ ଜଣାପଡ଼ିଲା ନାହିଁ। ୨୦୧୯ରୁ ୨୦୨୩ ମସିହାର ସମସ୍ତ ଘଟଣାକୁ ଦେଖିଲେ, ଏହା ସ୍ପଷ୍ଟ ଯେ କୋଟିକୋଟି ଟଙ୍କାର ସୁନା ଜବତ ହେଉଛି, ଚାଲାଣକାରୀ ବା ବାହକ ଗିରଫ ହୋଇ ଜେଲ୍‌ ଯାଉଛନ୍ତି, କିନ୍ତୁ ମାଷ୍ଟରମାଇଣ୍ଡ ଧରାପଡ଼ୁନାହାନ୍ତି। ଅସଲ ସ୍ମଗଲର୍‌ମାନେ କାହିଁକି ଧରାପଡ଼ନ୍ତି ନାହିଁ, ସେବାବଦରେ କୌଣସି ତଦନ୍ତକାରୀ ସଂସ୍ଥାରୁ ମଧ୍ୟ କିଛି ସୂଚନା ମିଳେନାହିଁ। ତେଣୁ ସାଧାରଣରେ ସୁନା ସ୍ମଗଲିଂକୁ ନେଇ ପ୍ରଶ୍ନବାଚୀ ଆଜି ବି ରହିଛି।

ସମ୍ବନ୍ଧିତ ଖବର