ମୁହାଁମୁହିଁ ପାଇଁ ପ୍ରସ୍ତୁତି

ବିଜୁ ଯୁବ ବାହିନୀକୁ ଟକ୍କର ଦେବାକୁ କୋଣାର୍କରେ ବିଜେପିର ଶପଥ କାର୍ଯ୍ୟକ୍ରମ
ବାଲେଶ୍ୱରରେ ବଡ଼ ଧରଣର ମିଶ୍ରଣପର୍ବ ଯୋଜନା
ଦିଲ୍ଲୀରେ ପାରାଦୀପ ସଂପର୍କରେ ନିଷ୍ପତ୍ତି ଆଜି

ଭୁବନେଶ୍ୱର : ପୁଣି ଟକରାଟକରି ସ୍ଥିତିକୁ ଆସିଲେଣି ବିଜେଡି-ବିଜେପି। ଯୁବ ଭୋଟର କାହାର ହେବେ, ସେ ନେଇ ଉଭୟ ନିଜର ରଣନୀତିରେ ଚୂଡାନ୍ତ ସ୍ପର୍ଶ ଦେଇଛନ୍ତି। କେବଳ ସେତିକି ନୁହେଁ, ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ରାଜ୍ୟ ସରକାର ଯେଉଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି, ଏବେ କେନ୍ଦ୍ର ଏହାକୁ ଜବାବ ଦେବା ଲାଗି ଫଳକ ରାଜନୀତି ଚଳାଇବାକୁ ନିଷ୍ପତ୍ତି ନେଇଛି। ସବୁଠାରୁ ବଡ଼ କଥା ହେଉଛି, ଆସନ୍ତା ୪ ତାରିଖ ଦିନ ଗଞ୍ଜାମରେ ବିଜେଡି ଏକ ବଡ଼ ଧରଣର ମିଶ୍ରଣ ପର୍ବ କରି ତାକତ ବଢାଇବାକୁ ଯୋଜନା ଚଳାଇଥିବା ବେଳେ ବାଲେଶ୍ୱରରେ ଅନୁରୂପ ଢଙ୍ଗରେ ମିଶ୍ରଣ ପର୍ବର ନକ୍ସା ପ୍ରସ୍ତୁତ କଲାଣି ବିଜେପି।

ଉଲ୍ଲେଖଯୋଗ୍ୟ, ଯୁବକମାନଙ୍କୁ ଆକର୍ଷିତ କରିବା ଲାଗି ରାଜ୍ୟ ସରକାର ବିଜୁ ଯୁବ ବାହିନୀ ନାମରେ ନୂଆ କାର୍ଯ୍ୟକ୍ରମ ଗଠନ କରିଛନ୍ତି। କୋଟିଏ କି ଦୁଇକୋଟି ନୁହେଁ, ପାଖାପାଖି ୯୦ କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ। ସରକାରଙ୍କ ଏହି ଯୋଜନାକୁ ଲୋକଙ୍କ ପାଖକୁ ନେଇ ଯୁବ ଭୋଟରଙ୍କୁ ବିଜେଡି ସହିତ ସାମିଲ କରିବାକୁ ଶାସକ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ଏହାକୁ ଟକ୍କର ଦେବା ଲାଗି ଆଜି କୋଣାର୍କରେ ନୂଆ ଓଡ଼ିଶା ଗଠନର ସ୍ୱପ୍ନ ଦେଖାଇ ଯୁବକମାନଙ୍କୁ ଶପଥପାଠ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉତ୍କଳ ଦିବସ ପାଳନ ଆଳରେ ଦଳ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିଲା।

ଅନ୍ୟପକ୍ଷରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଲାଗି ନବୀନ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ହାତକୁ ନେଇ କେଉଁଠି ଶୁଭ ଦେଲେଣି ତ ଆଉ କେଉଁଠି ଉଦ୍‌ଘାଟନ କଲେଣି। ରାଜ୍ୟ ସରକାରଙ୍କ ଏଭଳି ରଣନୀତିକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର ମଧ୍ୟ ଠୋସ୍‌ କାର୍ଯ୍ୟକ୍ରମ ହାତକୁ ନେଇଥିବା ସୂଚନା ମିଳିଛି। କେନ୍ଦ୍ରର ବିଭିନ୍ନ ମନ୍ତ୍ରାଳୟ ଏକାଧିକ ପ୍ରକଳ୍ପର ନକ୍ସା ପ୍ରସ୍ତୁତ କରିଛନ୍ତି, ଯାହାର ଶୁଭ ଦିଆଯିବା କାର୍ଯ୍ୟ ଚଳିତମାସରୁ ଆରମ୍ଭ ହେବ। ଆସନ୍ତାକାଲି ଏ ସଂକ୍ରାନ୍ତରେ ନୂଆଦିଲ୍ଲୀରେ ପ୍ରଥମ ପ୍ରସ୍ତୁତି ବୈଠକ ବସୁଥିବା ଖବର ମିଳିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାରାଦୀପ-ଡୁବୁରି ଆଠଥାକିଆ ରାସ୍ତା ନିର୍ମାଣ ହେବ। ପାରାଦୀପରେ ବିମାନବନ୍ଦର କରାଯିବ। ପାରାଦୀପ ବନ୍ଦର ଭିତ୍ତିକ ବିକାଶ ପ୍ରକ୍ରିୟା ତ୍ୱରାନ୍ଵିତ ହେବ। ଏସବୁ ପ୍ରସ୍ତାବ ଉପରେ ସହମତି ଆଣିବା ଲାଗି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ୮ଟି ମନ୍ତ୍ରାଳୟ ସହିତ ସଂଲଗ୍ନ ମନ୍ତ୍ରୀ, ଅଧିକାରୀଙ୍କୁ ନେଇ ଏହି ବୈଠକ ବସୁଥିବା ଖବର ମିଳିଛି। ଏଥିରେ ଜାହାଜ ଚଳାଚଳ, ସଡ଼କ ପରିବହନ, ଜଳସଂପଦ, ରେଳବାଇ, କୋଇଲା, ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍‌, ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟର ଅଧିକାରୀମାନେ ଯୋଗଦେବେ। ପାରାଦୀପକୁ ପୂର୍ବ ଭାରତର ମୁଖଶାଳା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଲାଗି ଏଥିରେ ରଣନୀତି ନିର୍ଧାରଣ ହେବ। ପାରାଦୀପରେ ପାଣିର ସୁବିଧା ପାଇଁ ଲୁଣାପାଣିକୁ ମଧୁର ପାଣିରେ ପରିବର୍ତ୍ତନ କରାଯିବା କ୍ଷେତ୍ରରେ ଭାଗିଦାରୀ ବ୍ୟବସ୍ଥା, ପାରାଦୀପକୁ ଲଜ୍ଜିଷ୍ଟିକ୍‌ ହବ୍‌ରେ ପରିଣତ ନେଇ ଆଲୋଚନା ହେବ।

ସେହିଭଳି କେନ୍ଦ୍ର ସରକାର ଇତିମଧ୍ୟରେ ଦୀଘା-ଗୋପାଳପୁର, ସାଗରମାଳା ପ୍ରକଳ୍ପର ନକ୍ସା ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି। ଆସନ୍ତା ୭ ତାରିଖ ଦିନ ଏ ନେଇ ରାଜ୍ୟ ସରକାରଙ୍କ ସହିତ କେନ୍ଦ୍ରୀୟ ଅଧିକାରୀ ଆଲୋଚନା କରିବେ ଓ ଏହା ଉପରେ ମୋହର ଲାଗିବ। କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏପ୍ରିଲ-ମେ’ ମାସରେ ମହାକାଳପଡା ଓ ବ୍ରହ୍ମଗିରିରେ ଏହି ପ୍ରକଳ୍ପର ଶୁଭ ଦେବେ। ଯଦି ନକ୍ସାକୁ ଚୂଡାନ୍ତ ରୂପ ଦିଆଯାଏ, ତେବେ ଚିଲିକା ଉପରେ ୯ କିଲୋମିଟର ଦୀର୍ଘ ପୋଲ ନିର୍ମାଣ କରାଯିବ। କିଲୋମିଟର ପିଛା ୨୦କୋଟି ଟଙ୍କା ହିସାବରେ ହାରାହାରି ୧୦ହଜାର କୋଟି ଟଙ୍କା ବିନିଯୋଗ ନେଇ କେନ୍ଦ୍ର ସରକାର ସ୍ୱପ୍ନ ବାଣ୍ଟିବେ। ଏହାବ୍ୟତୀତ ଚଳିତମାସରେ କଟକ ସହରରେ ଗ୍ୟାସ ସଂଯୋଗ ବ୍ୟବସ୍ଥାର ଶୁଭ ଦିଆଯିବ। ବୋକାରୋ-ଅନୁଗୁଳ ପାଇପଲାଇନ୍‌ ବିଛା କାର୍ଯ୍ୟ ଆରମ୍ଭ କରିବା ଲାଗି ରାଉରକେଲାରେ ଶୁଭ ଦିଆଯିବ।

ସମ୍ବନ୍ଧିତ ଖବର