ପରିବେଶ ଯୋଦ୍ଧା: ପରିବେଶ ପାଇଁ ସମର୍ପିତ ବିଶ୍ବଜିତ

ଆମ ଭିତରେ ଏମିତି ଅନେକ ଅଛନ୍ତି ଯେଉଁମାନେ ପରିବେଶକୁ ଖୁବ୍ ଭଲ ପାଆନ୍ତି। ଏଇ ଭଲ ପାଇବା ସେମାନଙ୍କୁ ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଅନୁପ୍ରେରିତ କରେ। ଆଉ ସମାଜ ସେମାନଙ୍କୁ ପରିବେଶ ଯୋଦ୍ଧାର ଆଖ୍ୟା ଦିଏ। ଏମିତି ଜଣେ ନିଆରା ମଣିଷ ବିଶ୍ବଜିତ ପରିଡ଼ା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ବୋଳକଣା ଗ୍ରାମର ବାସିନ୍ଦା ବିଶ୍ବଜିତ ବୃକ୍ଷଲତାଦି ରୋପଣ ସହ ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ ପ୍ରାୟ ଏକ ଦଶନ୍ଧି ହେବ କାର୍ଯ୍ୟ କରିଆସୁଛନ୍ତି।
ଯୁବାବସ୍ଥାରୁ ପରିବେଶ ପ୍ରତି ଆକୃଷ୍ଟ ଥିବା ବିଶ୍ବଜିତ ୨୦୧୫ ମସିହାରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ଚିଲିକା ହ୍ରଦରେ ଦେଖିବାକୁ ମିଳୁଥିବା ଇରାୱାଡି ଡଲଫିନ୍ ଓ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସାଇକେଲ୍ ଯାତ୍ରା କରି ସଚେତନତା ସୃଷ୍ଟି କରୁଛନ୍ତି। ଏ ପ୍ରସଙ୍ଗରେ ସେ କହନ୍ତି, ‘‘ପରିବେଶ ପ୍ରଦୂଷଣ ନ କରିବା ପାଇଁ ମୁଁ ଗାଡ଼ି ବ୍ୟବହାର ନ କରି ସାଇକେଲ୍‌ରେ ଯାତାୟାତ କରେ। ଏଥିସହ ସାଇକେଲ୍‌ରେ ବୁଲିବୁଲି ଗଛ ଲଗାଏ ଓ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟିଥାଏ।’’

ଭୁବନେଶ୍ବରସ୍ଥିତ ଏକ ଘରୋଇ କଲେଜରେ ୱାର୍ଡେନ୍‌ ଭାବେ କାର୍ଯ୍ୟରତ ବିଶ୍ବଜିତ ନିଜ କାର୍ଯ୍ୟସ୍ଥଳୀ ଓ ବା‌ସସ୍ଥାନ ପାଖାପାଖି ଅଞ୍ଚଳରେ ହିଁ ଗଛ ଲଗାଇଥାନ୍ତି। କାରଣ ସେ ପାଣି ଦେବା ସହ ଗଛଟିର ଯତ୍ନ ନେଇ ଧୀରେଧୀରେ ତା’ର ବଢ଼ିବାର ସୁଖକୁ ଉପଭୋଗ କରନ୍ତି। ସମସ୍ତଙ୍କୁ ସେ ପରାମର୍ଶ ଦିଅନ୍ତି ଯେ ଗଛଟିଏ ଯଦି ଲଗାଉଛନ୍ତି ତେବେ ନିଜ ପାଖାପାଖି ଅଞ୍ଚଳରେ ଲଗାନ୍ତୁ, ଯେଉଁଠି ପାଣି ଦେଇ ଗଛଟିକୁ ବଢ଼ାଇ ପାରିବେ। ସେ ମୁଖ୍ୟତଃ ବର, ଅଶ୍ବତ୍‌ଥ, କଦମ୍ବ ଓ ପିସ୍ତା ଗଛ ଲଗାଇଥାଆନ୍ତି, କାରଣ ଏହାର କାଠ ଚୋରି ହେବାର ଭୟ ନଥାଏ। ଏଥିସହ ସେ ସ୍କୁଲ୍‌ ଓ କଲେଜରେ ସେମିନାର୍ ଆୟୋଜନ କରି ବୃକ୍ଷରୋପଣ, ବନ୍ୟପ୍ରାଣୀ ଓ ପକ୍ଷୀମାନଙ୍କର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଛନ୍ତି। ସଚ୍ଚିନ ତେନ୍ଦୁଲକର, ମିନତି ମହାପାତ୍ର, ରଚିତା ପଣ୍ଡା, ମ‌େହନ୍ଦ୍ର ସିଂ ଧୋନୀ ଆଦି ପ୍ରସିଦ୍ଧ ଖେଳାଳିଙ୍କୁ ଭେଟି ବିଶ୍ବଜିତ ଗଛ ଉପହାର ଦେଇଛନ୍ତି।

ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଜାନୁଆରିରେ ଡେଲାଙ୍ଗରୁ ଚିଲିକା ଅଭିମୁଖେ ପ୍ରାୟ ୮୦ କି.ମି ସାଇକେଲ୍‌ରେ ଯାତ୍ରା କରିଥାଆନ୍ତି ସେ। ଚିଲିକାରେ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବଢ଼ୁଥିବାରୁ ସମମନସ୍କ ସ୍ବେଚ୍ଛାସେବୀଙ୍କୁ ଧରି ତାହା ପରିଷ୍କାର ବି କରନ୍ତି। ଗଛ ଲଗାଇ ଲଗାଇ ଭବିଷ୍ୟତରେ ଗୋଟିଏ ଜଙ୍ଗଲ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ପରିଡ଼ା କହିଛନ୍ତି। ତାଙ୍କ ସାଇକେଲ୍‌ ସାମ୍ନାରେ ଏକ ବୋର୍ଡମାରି ସେ ଲେଖିଛନ୍ତି, ‘‘ବିଶ୍ବତାପନ ହ୍ରାସ କରିବା ପାଇଁ ଗଛଟିଏ ଲଗାନ୍ତୁ।’’

ସମ୍ବନ୍ଧିତ ଖବର