ବିଡିଏରେ ଡିଇଓ ନିଯୁକ୍ତି: ଆଦର୍ଶ ଆଚରଣ ବିଧି ଭଙ୍ଗ

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଅଛି। ହେଲେ ବିଡିଏରେ ନିଯୁକ୍ତି ଦିଆଚାଲିଛି। କର୍ମଚାରୀମାନଙ୍କୁ ବିଭାଗ ମଧ୍ୟରେ ଅଦଳବଦଳ ମଧ୍ୟ କରାଯାଉଛି। ବିଡିଏର ଯୁଗ୍ମ କମିସନର(ପ୍ରଶାସନ) ଏଭଳି ଆଦେଶ କରିଛନ୍ତି। ଅଧିକାରୀମାନେ ଆଚରଣ ବିଧିକୁ ଭୃକ୍ଷେପ ନ କରି ଏଭଳି କରିଥିବା ଅଭିଯୋଗ ହୋଇଛି।

ବିଡିଏ ଆଦେଶ ସଂଖ୍ୟା ୧୪୩୬୮ ତା. ୧୦/୪/୨୦୨୪ ବଳରେ ୩ ଜଣ ଡାଟା ଏଣ୍ଟ୍ରି ଅପ‌ରେଟର(ଡିଇଓ)ଙ୍କୁ ନିଯୁକ୍ତି ଦେଇଛି। ଗତ ୪ ତାରିଖରୁ ଏମାନଙ୍କୁ ନିଯୁକ୍ତି ମିଳିଛି। ୧୩ହଜାର ୫୦ ଟଙ୍କା ମାସିକ ବେତନ‌ରେ ଏମାନଙ୍କୁ ରାଣ୍ଡଷ୍ଟାଡ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ଆଇଟି ଶାଖାରେ ଠିକା ନିଯୁକ୍ତି ମିଳିଛି। ଗତ ମାସରୁ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିଛି। ଏହି ଅବଧିରେ କୌଣସି ପ୍ରକାରର ନିଯୁକ୍ତି କିମ୍ବା ଜନହିତକର କାର୍ଯ୍ୟର ଉଦ୍‌ଘାଟନ ହୋଇପାରିବ ନାହିଁ। ଏଥିପାଇଁ ନିର୍ବାଚନ କମିସନ୍‌ଙ୍କର ସ୍ବୀକୃତି ଆଣିବାକୁ ହେବ। କିନ୍ତୁ କମିସନ୍‌ଙ୍କ ବିନା ସ୍ବୀକୃତିରେ ବିଡିଏ କିଭଳି ନିଯୁକ୍ତି ଦେଲା? କାହିଁକି ଏଭଳି ନିଯୁକ୍ତିର ଆବଶ୍ୟକତା ପଡ଼ିଲା? ଯଦି ଏଭଳି କର୍ମଚାରୀ ନିଯୁକ୍ତି ଆବଶ୍ୟକତା ଥିଲା, ତେବେ ଆଚରଣ ବିଧି ଲାଗୁ ହେବା ପୂର୍ବରୁ କାହିଁକି ବ୍ୟବସ୍ଥା ହେଲାନାହିଁ? ଏଭଳି ପ୍ରଶ୍ନର ଉତ୍ତରରେ ଜଣେ ଅଧିକାରୀ କହିଛନ୍ତି, ଜରୁରୀ ଥିବାରୁ ନିଯୁକ୍ତି ଦିଆଯାଇଛି। ଆଉଟ୍‌ସୋର୍ସିଂ ନିଯୁକ୍ତିରେ ସମସ୍ୟା ନଥିବା କହିଛନ୍ତି।

ଅନ୍ୟପଟେ ଆଇନଜୀବୀ ଲଲାଟେନ୍ଦୁ ଦାସ କହିଛନ୍ତି, ‘‘ଆଉଟ୍‌ସୋର୍ସିଂ ହେଉ କି ସରକାରୀ, ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କୌଣସି ପ୍ରକାରର ନିଯୁକ୍ତି ଦିଆଯାଇପାରିବ ନାହିଁ। ପୂର୍ବରୁ ବିଡିଏ ଅଧିକାରୀମାନେ ନିଜ ନିଜ ସମ୍ପର୍କୀୟଙ୍କୁ ଠିକା ସଂସ୍ଥା ଜରିଆରେ ନିଯୁକ୍ତି ଦେଇଥିବା ନଜିର ରହିଛି। ଏ ନେଇ ଆମେ ଅଭିଯୋଗ କରିଛୁ। ଏବେ ଏହି ଆଚରଣ ବିଧି ଉଲ୍ଲଂଘନ ନେଇ ଆମେ ନିର୍ବାଚନ କମିସନରଙ୍କୁ ଅଭିଯୋଗ କରିବୁ। ଏମାନଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗକୁ ସରକାରୀ ଅଧିକାରୀମାନେ ଏଭଳି ଉଲ୍ଲଂଘନ କରିଚାଲିବେ।’’ ତେବେ କେବଳ ନିଯୁକ୍ତି ନୁହେଁ, କେତେକ କର୍ମଚାରୀଙ୍କୁ ବିଡିଏ ଯୁଗ୍ମ କମିସନର(ପ୍ରଶାସନ) ବିଭାଗ ଅଦଳବଦଳ କରିଛନ୍ତି। ଡିଇଓ ଦେବନାଥ ଶର୍ମାଙ୍କୁ ଏଷ୍ଟାବ୍ଲିସ୍‌ମେଣ୍ଟ ଶାଖାରୁ ଟାଉନ୍‌ପ୍ଲାନିଂ ସେଲ୍‌କୁ ଆଣିଥିବା ବେଳେ ମନୋରଞ୍ଜନ ରାଉତଙ୍କୁ ଆଇଟି ଶାଖାରୁ ହଟାଇ ଏଷ୍ଟାବ୍ଲିସ୍‌ମେଣ୍ଟ ଶାଖାକୁ ଆଣିଛନ୍ତି। ଆଚରଣ ବିଧି ବଳବତ୍ତର ସମୟରେ ଏଭଳି ଅଦଳବଦଳ କରିବାକୁ ବି ଉପଯୁକ୍ତ ସ୍ବୀକୃତି ନେବାକୁ ହୁଏ ‌ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର