ବଢ଼ୁଛି ବେଆଇନ ବାଇକ୍ ରୂପାନ୍ତରୀକରଣ: ଧରାପଡ଼ିଲେ ୫,୦୦୦ ଜରିମାନା, ନହେଲେ ୬ ମାସ ଜେଲ୍‌

ଭୁବନେଶ୍ୱର: କିଛିଦିନ ତଳେ ଭୁବନେଶ୍ୱରରେ ରାସ୍ତା ଉପରେ ଏକ ବାଇକ୍ ହଠାତ୍ ଜଳି ଉଠିଥିଲା। ବାଇକ୍ ମାଲିକ ଏହାକୁ ନେଇ ବୀମା କମ୍ପାନିରୁ କ୍ଷତିପୂରଣ ଦାବି କରିଥିଲେ। କିନ୍ତୁ କମ୍ପାନି ପକ୍ଷରୁ ବାଇକର ଫରେନ୍ସିକ ଯାଞ୍ଚ ବେଳେ ବାଇକ୍ ପେଟ୍ରୋଲ ଟାଙ୍କି ତଳେ ଥିବା କିଛି ତାର ସର୍ଟ ସର୍କିଟରୁ ବାଇକରେ ନିଆଁ ଲଗାଯାଇଥିବା ଜଣା ପଡିଥିଲା। ପରେ କମ୍ପାନି ଗାଡିର ମୂଳ କମ୍ପାନି ସହ ଯୋଗାଯୋଗ କରିବାରୁ ତାଙ୍କ ରିପୋର୍ଟରୁ ଜଣା ପଡିଥିଲା ଯେ ବାଇକ୍‌ରେ କୌଣସି ତିଆରି ତ୍ରୁଟି (ମାନ୍ୟୁଫେକ୍ଚରିଂ ଡିଫେକ୍ଟ) ନଥିଲା। କିନ୍ତୁ ବାଇକ୍‌ ମାଲିକଙ୍କ ଦ୍ୱାରା ଗାଡ଼ିରେ କରାଯାଇଥିବା ରୂପାନ୍ତରୀକରଣରୁ ସର୍ଟ ସର୍କିଟ ଘଟି ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ବାଇକ୍ ମାଲିକଙ୍କୁ କୌଣସି ଟଙ୍କା ମିଳି ନଥିଲା।

ଘଟୁଥିବା ଏହି ଧରଣର ଅନେକ ଦୁର୍ଘଟଣା ଭିତରୁ ଏହା ଗୋଟିଏ। ବର୍ତ୍ତମାନ ରାଜ୍ୟରେ ବେଆଇନ ଯାନ ରୂପାନ୍ତରୀକରଣ ବଢ଼ି ଚାଲିଛି। ବିଶେଷ କରି ଦୁଇ ଚକିଆ ଯାନକୁ ରୂପାନ୍ତରୀକରଣ କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ଭିତରେ ଏକ ଟ୍ରେଣ୍ଡ ପାଲଟିଗଲାଣି। କିଏ ‘କୁଲ୍‌’ ଦେଖାଇବାକୁ ବାଇକ୍ ରୂପାନ୍ତରୀକରଣ କରୁଛି ତ ଆଉ କିଏ ଫିଲ୍ମରେ ହିରୋ ବ୍ୟବହାର କରୁଥିବା ବାଇକ୍ ଭଳି ବାଇକ୍‌ ଚଢ଼ିବାକୁ ଚାହୁଛି। କିନ୍ତୁ ବାଇକ୍ ରୂପାନ୍ତରୀକରଣ ଏକ ବେଆଇନ୍ କାମ। ବାଇକ୍‌ର ମୂଳରୂପରୁ ପରିବର୍ତ୍ତନ କଲେ ୫,୦୦୦ ଟଙ୍କା ଜରିମାନା ଅଥବା ୬ ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ହୋଇପାରେ। ଏହାସହ ବୀମା କମ୍ପାନିର ଅଗୋଚରରେ ବାଇକ୍‌ରେ କୌଣସି ବି ରୂପାନ୍ତରୀକରଣ ହୋଇଥିଲେ ଏଥିପାଇଁ କମ୍ପାନି ବୀମା ଆବେଦନକୁ ଗ୍ରହଣ କରି ନଥାଏ। ମୋଟର୍‌ ଭେଇକିଲ ଆକ୍ଟ ଅନୁସାରେ, ବାଇକରେ କୌଣସି ପରିବର୍ତ୍ତନ ବେଆଇନ୍। ଏହା କରିବା ଦ୍ୱାରା ଗାଡ଼ି ଉପରେ କୁପ୍ରଭାବ ପଡ଼ିଥାଏ। ତାହା କେବଳ ମାଲିକକୁ ଅସୁବିଧାରେ ପକାଏନି, ସଡ଼କ ଓ ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ବିପଦ ସୃଷ୍ଟି କରିଥାଏ। ତେଣୁ ବାଇକ୍‌ର ମୂଳରୂପରେ ପରିବର୍ତନ, ଇଞ୍ଜିନ ବା ବ୍ରେକିଂ ସିଷ୍ଟମ୍‌ରେ ପରିବର୍ତ୍ତନ କରିବା ବେଆଇନ।

ତେବେ ଯାନରେ କିଛି ପରିବର୍ତ୍ତନ କରା ଯାଇପା‌ରେ। ସଂପୃକ୍ତ ବିଭାଗର ଜଣେ ସ୍ଥାନୀୟ ଅଧିକାରୀ କହିଛନ୍ତି, ସେଥିପାଇଁ ଅନୁମତି ଆବଶ୍ୟକ। ବାଇକ୍‌ରେ କୌଣସି ମାମୁଲି ପରିବର୍ତ୍ତନ ପାଇଁ ପ୍ରଥମେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଅନୁମତି ଆବଶ୍ୟକ। ଏହି ପରିବର୍ତ୍ତନ ପାଇଁ ବ୍ୟବହାର କରାଯାଉଥିବା ପାର୍ଟସ ଅଟୋମୋଟିଭ୍‌ ରିସର୍ଚ୍ଚ ଅଥରିଟି ଅଫ ଇଣ୍ଡିଆ (ଏଆର୍‌ଏଆଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ଦରକାର। ଏହି ପରିବର୍ତ୍ତନ ବାଇକର ମୂଳରୂପରୁ ଅଲଗା ହୋଇ ନଥିବା ଆବଶ୍ୟକ। ବାଇକ୍ ସଂପୂର୍ଣ୍ଣ ଖରାପ ହୋଇଯାଇଥିଲେ କିମ୍ବା ଗାଡ଼ିର ରଙ୍ଗ ପରିବର୍ତ୍ତନ ଆବଶ୍ୟକ ଥିଲେ, ଆବଶ୍ୟକ ପଡିଲେ ଏଥିପାଇଁ ଆର୍‌ଟିଓରୁ ‘ନୋ ଅବଜେକସନ୍ ପ୍ରମାଣପତ୍ର’ ଆବଶ୍ୟକ। ଇଞ୍ଜିନ ବଦଳାଇଲେ ଗାଡିକୁ ପୁଣି ଥରେ ପଞ୍ଜୀକରଣ କରିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର