ସାମାନ୍ୟ କଥନ: ଅସ୍ମିତା, ଆମର ଏବଂ ଅନ୍ୟମାନଙ୍କର

ପ୍ରୀତୀଶ ଆଚାର୍ଯ୍ୟ

ଅସ୍ମିତାର ଅର୍ଥ ପରିଚୟ। ଯେତେବେଳେ ପରିଚୟର ହଜି ଯିବାର ଡର ବଢ଼େ, ସେତେବେ‌େଳ ତାକୁ ସାବ୍ୟସ୍ତ କରିବା ଲାଗି ବିକଳ୍ପ ସବୁର ଲୋଡ଼ା ପଡ଼େ। ଅସ୍ମିତା ‌େଯମିତି ବ୍ୟକ୍ତିର, ସେମିତି ଗୋଷ୍ଠୀର; ତେଣିକି ଗୋଷ୍ଠୀର ପରିଧି କେତେ ବ୍ୟାପକ ହେବ, ଆଧାର କେତେ ସମାବେଶୀ ହେବ, ତାହା ବ୍ୟକ୍ତିମାନେ ନିର୍ଦ୍ଧାରଣ କରିଥାନ୍ତି।
ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେଉଁ ସମୟରେ ଭାରତରେ ରାଷ୍ଟ୍ରୀୟ ଅସ୍ମିତାର ବୀଜ ରୋପଣ ହେଲା, ସେହି ସମୟରେ ଓଡ଼ିଆ ଜାତି ଅସ୍ମିତା ପ୍ରଶ୍ନ ମଧ୍ୟ ଆଧୁନିକ ଶିକ୍ଷିତ ବର୍ଗ ମଧ୍ୟରେ ମହତ୍ତ୍ବ ପାଇଲା। ସେତେବେଳର ଅନେକ ସଂକଟ ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ପ୍ରଘଟ ହେବାରେ ସାହାଯ୍ୟ କରିଥିଲା। ପ୍ରଥମ, ସେତେବେଳେ ଭିନ୍ନ ଭିନ୍ନ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ର ଏକ ପ୍ରଦେଶାଧୀନ ନ ଥିଲେ। ଉପକୂଳ ବଙ୍ଗ ପ୍ରେସିଡେନ୍‌ସି ଅଧୀନରେ; ଦକ୍ଷିଣ ଓଡ଼ିଶା ମାଡ୍ରାସ ପ୍ରେସିଡେନ୍‌ସିରେ; ପଶ୍ଚିମାଞ୍ଚଳ କେନ୍ଦ୍ରପ୍ରଦେଶ (ସିପି)ର ଶାସନାଧୀନ। ସବୁଠାରେ ଓଡ଼ିଆ ସଂଖ୍ୟାଲଘୁ। ଏହା ବୁଦ୍ଧିଜୀବୀ ବର୍ଗକୁ ଆହତ କରିଥିଲା। ବିକଳ୍ପ ରୂପେ ସେମାନେ ସମସ୍ତ ଓଡ଼ିଆ କ୍ଷେତ୍ରକୁ ଏକ ଶାସନାଧୀନ ଏବଂ ପରେ, ଏକ ଭାଷାଭିତ୍ତିକ ପ୍ରଦେଶ ରୂପେ ଗଢ଼ିବାକୁ ଦାବି କଲେ। ଦ୍ବିତୀୟତଃ, ଓଡ଼ିଆ ଅଞ୍ଚଳରେ ଓଡ଼ିଆ ଭାଷାର ବିଲୁପ୍ତିର ଭୟ ଶିକ୍ଷିତ ବର୍ଗକୁ ବିବ୍ରତ କରିଥିଲା। ୧୮୯୬ରେ ସମ୍ବଲପୁରର ସ୍କୁଲ ଏବଂ କଚେରୀରୁ ଓଡ଼ିଆର ଉଚ୍ଛେଦ ପାଇଁ ଆଦେଶ ଜାରି ହେଲା; ୧୮୭୨ରେ ଓଡ଼ିଆ ଏକ ସ୍ବତନ୍ତ୍ର ଭାଷା ନୁହେଁ, ବରଂ ବଙ୍ଗଳା ଭାଷାର ଏହା ଉପଭାଷା ବୋଲି ପୁସ୍ତିକା ପ୍ରକାଶିତ ହେଲା, ଯାହାକୁ ବଙ୍ଗଳାର ବଡ଼ ବଡ଼ ବିଦ୍ବାଦମାନେ ସମର୍ଥନ କଲେ। ଦକ୍ଷିଣରେ ତେଲୁଗୁର ମଧ୍ୟ ଓଡ଼ିଆ ଉପରେ ପ୍ରାଦୁର୍ଭାବ ବଢ଼ିଲା। ଭାଷା ହଜି ଯିବାର ଭୟ ଅସ୍ମିତା ପାଇଁ ସଂଗ୍ରାମକୁ ଅଧିକ ପରିପକ୍ବ କଲା। ବୁଦ୍ଧିଜୀବୀ ବର୍ଗ ଓଡ଼ିଆର ସ୍ବାତନ୍ତ୍ର୍ୟ ପ୍ରମାଣିତ କରିବାକୁ ପ୍ରୟାସ କଲେ ଏବଂ ସାହିତ୍ୟର ବିଭିନ୍ନ ବିଭାଗରେ ରଚନା ପ୍ରସ୍ତୁତ କରି ଓଡ଼ିଆ ଭାଷା-ସାହିତ୍ୟକୁ ସଂବୃଦ୍ଧ କରିବାକୁ ପ୍ରୟାସ କଲେ।
ଓଡ଼ିଆ ଜାତି ଅସ୍ମିତା ପ୍ରଶ୍ନକୁ ବିଚାର କଲାବେଳେ ନ’ଅଙ୍କ ଦୁର୍ଭିକ୍ଷ କଥା ବି ଭୁଲି ଯିବାର ନୁହେଁ। ଦୁର୍ଭିକ୍ଷରେ (୧୮୬୬) ପ୍ରାୟ ଦଶ ଲକ୍ଷରୁ ଅଧିକ ଲୋକ ପୋକମାଛି ଭଳି ଅନାହାରରେ ମୃତ୍ୟୁବରଣ କଲେ। ଅନେକ ଲୋକ ନିରୁଦ୍ଦିଷ୍ଟ ହେଲେ ଯେ ଆଉ ଘରକୁ ଫେରିଲେ ନାହିଁ। ବୁଦ୍ଧିଜୀବୀ ବର୍ଗ ଅନୁଭବ କଲେ, ଦାରିଦ୍ର୍ୟ, ନିରକ୍ଷରତା ଏବଂ ଜାତିଭେଦ ଆଦି କାରଣରୁ ଓଡ଼ିଆ ସମାଜ ତୀବ୍ର ପକ୍ଷପାତର ଶିକାର ହେଲେ ଏବଂ ଅସମ୍ମାନ ଭୋଗିଲେ। ସେମାନଙ୍କ ପ୍ରତି ପକ୍ଷପାତ ହୋଇ ନ ଥିଲେ, ସେମା‌ନଙ୍କୁ ଦୁର୍ଭିକ୍ଷରେ ପୋକମାଛି ଭଳି ମୃତ୍ୟୁବରଣ କରିବାକୁ ପଡ଼ି ନ ଥାନ୍ତା। ଏହି ପକ୍ଷପାତର ଭୟ ଓଡ଼ିଆ ବୌଦ୍ଧିକ ବର୍ଗକୁ ଅସ୍ମିତା ନିମନ୍ତେ ଅଧିକ ମୁଖର କଲା।
ଆଧୁନିକ ଶିକ୍ଷାର ସୀମିତତା ଦୃଷ୍ଟିରୁ ଊନବିଂଶ ଶତାବ୍ଦୀରେ ଓଡ଼ିଆ ଶିକ୍ଷିତ ବର୍ଗ ଥିଲା ଖୁବ୍ ସଂଖ୍ୟାନ୍ୟୂନ। ମାତ୍ର ସେମାନଙ୍କ ଆନ୍ତରିକ ଓ ବିଧିବଦ୍ଧ ପ୍ରୟାସ କାରଣରୁ ଅସ୍ମିତାକୁ ନେଇ ଆନ୍ଦୋଳନ ତେଜିଲା। ଏଥିରେ ମଧୁସୂଦନ ଦାସଙ୍କ ଠାରୁ ଆରମ୍ଭ କରି ଫକୀରମୋହନ ସେନାପତି, ମଧୁସୂଦନ ରାଓ, ରାଧାନାଥ ରାୟ, ଗଙ୍ଗାଧର ମେହେର, ଗୌରୀଶଙ୍କର ରାୟ କିମ୍ବା ଶଶିଭୂ‌ଷଣ ରଥ, କାହାରି ଭୂମିକା ଗୌଣ ହୋଇ ନ ପ‌ାରେ। ଓଡ଼ିଆ ଅସ୍ମିତା ଆନ୍ଦୋଳନର ପ୍ରତୀକ ରୂପରେ ସାଧାରଣତଃ ମଧୁସୂଦନ ଦାସଙ୍କୁ ଗ୍ରହଣ କରାଯାଏ। ଏହା ଠିକ୍ କଥା। ସେ ନ’ଅଙ୍କ ଦୁର୍ଭିକ୍ଷର କରାଳ ରୂପକୁ ୧୮୬୪ରୁ ୧୮୬୬ ବାଲେଶ୍ବର ରହଣି ବେଳେ ପ୍ରତ୍ୟକ୍ଷ କରିଥିଲେ; କଲିକତାର ଦୀର୍ଘ ପ୍ରବାସ (୧୮୬୬ରୁ ୧୮୮୧) ମଧ୍ୟରେ ବି.ଏ, ଏମ୍.ଏ, ଲ’ ପାଠ ପଢ଼ିବା ସମୟରେ ମଧ୍ୟ ରାତିରେ କଲିକତାର ଓଡ଼ିଆ ବସ୍ତିରେ ଯାଇ ଅକ୍ଷର ଶିକ୍ଷା ଦେଉଥିଲେ। କଲିକତା ସେତେବେଳେ ଭାରତର ରାଜଧାନୀ; ସୁପ୍ରିମ୍ କୋର୍ଟ ସେଇଠି। ମଧୁସୂଦନ ବାହା ହୋଇଥିଲେ ବଙ୍ଗାଳୀ ଘରେ। ଦୀର୍ଘ ରହଣି ଯୋଗୁଁ ତାଙ୍କ ବଙ୍ଗଳା ଜ୍ଞାନ ଅନ୍ୟ ଭାଷା ତୁଳନାରେ ଊଣା ନୁହେଁ। ତତ୍‌କାଳୀନ ଭାରତର ରାଜନୀତିର କେନ୍ଦ୍ର କଲିକତାରେ ରହି ସେ ଓକିଲାତି କରି ପାରିଥାନ୍ତେ; ରାଜନୀତି କରି ଶୀର୍ଷକୁ ଯିବାର ଆକାଂକ୍ଷା ପାଳି ପାରିଥାନ୍ତେ! ମାତ୍ର ସେ ସବୁକୁ ଅଣାଦେଖା କରି ସେ ଓଡ଼ିଶା ଫେରିଲେ, ଏହା କିଛି କମ୍ ତ୍ୟାଗର କଥା ନ ଥିଲା! ପୁଣି, ଓଡ଼ିଶାରେ, ଆଧୁନିକ ଜାତୀୟ ରାଜନୀତି, ଆଧୁନିକ କଳା ସ୍ଥାପତ୍ୟ, କାରିଗରୀ, ଶିଳ୍ପ ଏବଂ କୃଷି ପାଇଁ କାର୍ଯ୍ୟ କଲେ। ନିଜ ଉଦ୍ୟମକୁ ସାମୂହିକତା ପ୍ରଦାନ କରିବା ନିମନ୍ତେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ର ଗଠନ କଲେ। ଆଉ ତ ଆଉ ଆଧୁନିକ ନାଟ୍ୟକଳା ଓ ବ୍ୟାୟାମଶାଳାର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମକୁ ଦେଖିଲେ ଆଜି ବିସ୍ମିତ ହେବାକୁ ପଡ଼େ।
ଏସବୁ ସତ୍ତ୍ବେ ମଧୁସୂଦନଙ୍କୁ ଓଡ଼ିଆ ଅସ୍ମିତା ଆନ୍ଦୋଳନର ପୁରୋଧା ମନେ କରିବା ପ୍ରକ୍ରିୟାରେ ତାଙ୍କର ଅନ୍ୟ ସହଯୋଗୀମାନଙ୍କର ଭୂମିକା ଏବଂ ଉଦ୍ୟମକୁ ଅଣଦେଖା କରାଯିବା କଥା ନୁହେଁ। ଏହା ବି ମନେ ରଖିବାକୁ ହେବ ଯେ ଯେମିତି ଆଧୁନିକ ଓଡ଼ିଆର ଅସ୍ମିତା ପ୍ରସଙ୍ଗ, ସେମିତି ବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର ଓ ପଞ୍ଜାବ କିମ୍ବା ଆନ୍ଧ୍ରର ଅସ୍ମିତା ପ୍ରସଙ୍ଗ। ସମସ୍ତେ ମିଶି ମହାଭାରତୀୟ ଅସ୍ମିତାକୁ ପରିପୁଷ୍ଟ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଥିବା ଉଭୟ ବିବିଧତା ଏବଂ ସମରୂପତା ଏକାମାତ୍ରାରେ ସମକାଳୀନ ବୌଦ୍ଧିକ ବର୍ଗର ଧ୍ୟାନ ଆକର୍ଷଣ କରିବା କଥା। ଅନ୍ୟଥା ସେ ନେଇ ଆମ ଅଜ୍ଞତା ଆମ ଅସ୍ମିତାର ଅନ୍ବେଷଣକୁ ଅବରୁଦ୍ଧ କରିଦେଇପାରେ।
[email protected]

ସମ୍ବନ୍ଧିତ ଖବର