ସୁଭାଷିତ: ‘ଭଜରେ ଶ୍ରୀଗୁରୁପାଦ ନ କରି ହେଳା’

ଭଜରେ ଶ୍ରୀଗୁରୁପାଦ ନ କରି ହେଳା
ଅଣହେଳା କଲେ ଭବେ ବୁଡ଼ିବ ଭେଳା।
-ଭୀମଭୋଇ, ଭଜନମାଳା

ଭୀମଭୋଇ ଊନବିଂଶ ଶତାବ୍ଦୀର ଶ୍ରେଷ୍ଠ କବିମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଗୁରୁ ମହିମା ଗୋସାଇଁ। ମହିମା ଗୋସାଇଁଙ୍କ ଦ୍ୱାରା ପ୍ରବର୍ତ୍ତିତ ଓ ଭୀମଭୋଇଙ୍କ ଦ୍ୱାରା ପ୍ରଚାରିତ ଧର୍ମ- ମହିମାଧର୍ମ।
ଅନେକଙ୍କ ମତରେ, ମହିମା ଏକ ଚେତନା; ଏକ ବିଚାର। ଭାବ ଓ ଗୁଣସୂତ୍ର ଦୃଷ୍ଟିରୁ ଏହା ମହତ୍ ଭାବ ଓ ଅନୁଭବର ପ୍ରତୀକ। ଏହି ଭାବରେ ପରିଣୀତ ମନୁଷ୍ୟ ସମଗ୍ରଜଗତକୁ ଗୋଟିଏ ଘର ମଣେ। ସ୍ଥାବର, ଜଙ୍ଗମ, କୀଟ, ପତଙ୍ଗ- ସମସ୍ତେ ଏ ଘରର ସଦସ୍ୟ।
ଭୀମଭୋଇ, ଏ ଧର୍ମର ଶ୍ରେଷ୍ଠ ପ୍ରଚାରକ। ସେ ଅସାଧାରଣ କବିପ୍ରତିଭାର ଅଧିକାରୀ। ଗୁରୁଙ୍କ ଚେତନାକୁ ସେ ତାଙ୍କ କବିତା ବା ଗୀତରେ କହିଛନ୍ତି। ସେ ଚେତନା ହେଉଛି- ମହିମା ବା ପରଂବ୍ରହ୍ମ ଚେତନା। ଏଣୁ ସେଇ ଗୁରୁ ହିଁ ତାଙ୍କ ପାଇଁ ଭଗବାନ। ତାଙ୍କ ପାଦପଦ୍ମରେ ଭଜନ ବା ବନ୍ଦନା ହିଁ ପରମ କର୍ତ୍ତବ୍ୟ।
କିନ୍ତୁ ଏ ସଂସାରରେ ମନୁଷ୍ୟ ଗୁରୁପାଦ ବନ୍ଦନା ଓ ଗୁରୁପାଦ ଭଜନରେ ହେଳା କରେ। କିପରି ଭାବରେ ସେ ଏହି ହେଳା କରେ ତାହା ଏହି ଭଜନରେ ଭୀମଭୋଇ କହିଛନ୍ତି।
ଏହି ଭଜନ ଅନୁସାରେ- ସନ୍ତାନଟିଏ ମାତାର ଗର୍ଭରେ ଦଶ ମାସ ରହେ। ଗର୍ଭରେ ସ୍ଥିତ ହେବାର ପ୍ରଥମ ଦିନରୁ ଦଶମାସ ଯାଏ ସେ ବ୍ରହ୍ମଙ୍କୁ ଧ୍ୟାନ କରୁଥାଏ। କିନ୍ତୁ ଏହି ମର୍ତ୍ତ୍ୟମଣ୍ଡଳରେ ଜାତ ହେବା ମାତ୍ରେ- କୁଆଁ କୁଆଁ ରାବ ଦେଇ, ସେ ତାର ଜନ୍ମର ହେତୁକୁ ପାସୋରି ଦିଏ। ମାତା ତାକୁ କ୍ଷୀରପାନ କରାନ୍ତି ଏବଂ ବାଳକ-ସ୍ୱଭାବରେ ସେ କୌତୁକରେ ଶୈଶବ ବିତାଇଦିଏ। କ୍ରମେ ସେ ଦ୍ୱିତୀୟ ଅବସ୍ଥାରେ ପଦାର୍ପଣ କରେ। ଯୁବକ ହୋଇ ଯୁବତୀ ପତ୍ନୀ ସହ କାମକ୍ରୀଡ଼ାରେ ନିମଜ୍ଜିତ ହୁଏ ଏବଂ ଗୁରୁପାଦ ଛାଡ଼ି ମାୟା ମୋହରେ ପଡ଼େ। ଏହାପରେ ଆସେ ତୃତୀୟାବସ୍ଥା। ନିରଞ୍ଜନ ବା ପରଂବ୍ରହ୍ମଙ୍କୁ ନ ଭଜି ସେ କ୍ରୋଧ, ହିଂସା ଆଦି ତମୋଭାବରେ ମଜ୍ଜିଯାଏ। ସୁତ ଓ ବିତ୍ତ ଚିନ୍ତାରେ ମନ ତାର ନିମଜ୍ଜିତ ରହେ।
ତାହା ପରେ ଆସେ ଚତୁର୍ଥାବସ୍ଥା। ଏହି ବୃଦ୍ଧାବସ୍ଥାରେ ଦେହଭୋଗର ଇତି ଘଟେ। ଅସ୍ଥିଚର୍ମ ଏକାକାର ହୁଏ। କିନ୍ତୁ ତଥାପି ବି ସେ ଗୁରୁ ପାଦପଦ୍ମରେ ଭଜନ କରେ ନାହିଁ। ପରିଶେଷରେ ତାର ପ୍ରାଣବାୟୁ ଉଡ଼ିଯାଏ।
ଏଣୁ, ଏହି ଭଜନରେ ଭୀମଭୋଇ କହିଛନ୍ତି- ଆମେ ଗୁରୁପାଦ ଭଜନରେ ହେଳା କରିବା ଅନୁଚିତ। ଏଥିରେ ହେଳା କଲେ ଭେଳା ବୁଡ଼ିବ। ପରଂବ୍ରହ୍ମଙ୍କ ପ୍ରାପ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର