ବିରଳ ଫଟୋ : ସତେ ଅବା ଜଳରୁ ବାହାରି ଆସୁଛନ୍ତି ଜଳଦେବୀ

ଚିତ୍ରୋତ୍ତଳନ ବା ଫଟୋଗ୍ରାଫି ଏପରି ଏକ କଳା ଯେଉଁଥିରେ ଜଣେ ଫଟୋଗ୍ରାଫର କୌଣସି ମୁହୂର୍ତ୍ତର ଛବିକୁ ନିଜ କ୍ୟାମେରା ଲେନ୍ସରେ ତତ୍ପରତାର ସହ ଧରି ରଖିଥା’ନ୍ତି। ବେଳେ ବେଳେ ସେମାନେ ଏପରି ବିରଳ ମୁହୂର୍ତ୍ତର ଛବି ଉଠାଇଥା’ନ୍ତି ଯାହାକୁ ଦେଖିଲେ ଦର୍ଶକ ପରେ ସ୍ତମ୍ଭୀଭୂତ ହୋଇଯାଇଥା’ନ୍ତି। ଏହି କ୍ରମରେ ଇଂଲାଣ୍ଡର ଫଟୋଗ୍ରାଫର ଇଆନ ସ୍ପ୍ରୋଟ୍ ସମୁଦ୍ରକୂଳରେ ଢେଉ ଭାଙ୍ଗୁଥିବା ଜଳରାଶିର ଏଭଳି ଏକ ଫଟୋ ଉଠାଇଛନ୍ତି ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ତାଙ୍କ ଫଟୋଫ୍ରେମରେ ସେ ସମୁଦ୍ର ପୃଷ୍ଠଭୂମିରେ ଜଣେ ମହିଳା ଆକୃତିର ଲହଡ଼ିକୁ ଧରି ରଖିଛନ୍ତି, ସତେ ଯେମିତି ଜଳଦେବୀ ଅବା ଜଳରୁ ବାହାରି ଆସୁଛନ୍ତି। ନିଜର ଏହି କଳାକୃତିକୁ ଇନଷ୍ଟାଗ୍ରାମରେ ଛାଡ଼ି ସେ ତାଙ୍କର କଳ୍ପନାକୁ ଆହୁରି ଜୀବନ୍ତ କରିବା ଲାଗି ଆଶ୍ଚର୍ଯ୍ୟ ହୋଇ ପଚାରିଛନ୍ତି କି ସେଇ ଆକୃତିଟି ଜଳଦେବୀଙ୍କର ନା ପରଲୋକଗତ ରାଣୀ ଏଲିଜାବେଥଙ୍କର। ଏହାକୁ ଦେଖିବା ପରେ ସାମାଜିକ ଗଣମାଧ୍ୟମର ଅନୁଗାମୀମାନେ ମଧ୍ୟ ନିଜକୁ ସେଇ ପ୍ରଶ୍ନ ପଚାରିଛନ୍ତି। କ୍ୟାମେରାର ସଟର ବଟନ୍ ଉପରେ ସ୍ପ୍ରୋଟ୍‌ଙ୍କ ନିଖୁଣ ଟିପଚାଳନାକୁ କେହି କେହି ତାରିଫ କରିଥିବା ବେଳେ ପ୍ରକୃତିର ଏହା ଅମୂଲ୍ୟ ଦାନ ବୋଲି କେହି କେହି ଟିପ୍ପଣୀ କରିଛନ୍ତି।

ସୂଚନାଯୋଗ୍ୟ, ଏହି ୪୧ ବର୍ଷୀୟ ଫଟୋଗ୍ରାଫର ଜଣକ ମାତ୍ର ଦୁଇ ବର୍ଷ ହେଲା ଫଟୋଗ୍ରାଫିରେ ମନ ଦେଇଛନ୍ତି। ତେବେ ବିଶେଷ କରି ଉତ୍ତାଳ ତରଙ୍ଗର ଭୀମକାୟ ରୂପକୁ ଧରି ରଖିବାରେ ଆଗ୍ରହ ଥିବା ସ୍ପ୍ରୋଟ୍ ନିରନ୍ତର ଭାବେ ଫଟୋ ଉଠାଇ ଚାଲିଥିଲା ବେଳେ ହଠାତ୍ ଏପରି ମହିଳା ଆକୃତିର ଢେଉକୁ ଦେଖି ନିଜ ଆଖିକୁ ମଧ୍ୟ ବିଶ୍ବାସ କରିପାରିନଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର