ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ପରେ ସ୍ବାମୀ ଫେରାର୍‌

ଭୁବନେଶ୍ବର: ମଞ୍ଚେଶ୍ବର ଥ‌ାନା ଅଧୀନ ଜରିପାଟଣା ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ମୃତକ ହେଲେ, ପ୍ରଭାତ ପରିଡ଼ାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ମହାନ୍ତି (୨୬)। ହତ୍ୟା ଅଭିଯୋଗ ଆସିବା ପରେ ଲକ୍ଷ୍ମୀଙ୍କ ସ୍ବାମୀ ଓ ପରିବାର ଲୋକେ ଫେରାର୍ ହୋଇଯାଇଛନ୍ତି। ପୂର୍ବରୁ ଯୌତୁକ ପାଇଁ ଲକ୍ଷ୍ମୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ଏବଂ ଶେଷରେ ତାଙ୍କୁ ମାରିଦେଲେ ବୋଲି ଲକ୍ଷ୍ମୀଙ୍କ ବାପା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଜଗତସିଂହପୁର ଗୁମୁଟିପୁରର ଲକ୍ଷ୍ମୀପ୍ରିୟା ୨୦୨୨ ମସିହାରେ ଜରିପାଟଣା ପ୍ରଭାତଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବାହାଘର ବେଳେ ଲକ୍ଷ୍ମୀଙ୍କ ବାପଘର ପକ୍ଷରୁ ଜାନିଯୌତୁକ ଦିଆଯାଇଥିଲା। ତଥାପି ନିଜେ ପ୍ରଭାତ ଅଧିକ ଯୌତୁକ ଦାବି କରି ଲକ୍ଷ୍ମୀଙ୍କ ଉପରେ ଅତ୍ୟାଚାର କରୁଥିଲେ। ଗତକାଲି ରାତିରେ ପ୍ରଭାତ ଫୋନ୍‌ କରି ଲକ୍ଷ୍ମୀଙ୍କ ଦେହ ଖରାପ ବୋଲି କହିଥିଲେ। କିନ୍ତୁ ଏଠାରେ ପହଞ୍ଚିବା ବେଳକୁ ଲକ୍ଷ୍ମୀଙ୍କ ମୃତଦେହ ଦେଖିଥିଲେ। ପ୍ରଭାତଙ୍କ କହିବା କଥା ହଠାତ୍ ଳକ୍ଷ୍ମୀଙ୍କ ଦେହ ଖରାପ ହେବାରୁ ସେ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ମାତ୍ର ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ସେ ମୃତଦେହ ଘରକୁ ଫେରାଇ ଆଣି ଶ୍ବଶୁର ଘରକୁ ଫୋନ୍‌ କରି ଜଣାଇଥିଲେ। ଲକ୍ଷ୍ମୀଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ବାପଘର ଲୋକେ। ତେଣୁ ପୁଲିସ ତଦନ୍ତ ଦାବି କରି ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ, କିନ୍ତୁ ଶବ ନେବାକୁ ପ୍ରଭାତଙ୍କ ପରିବାର ଲୋକେ ଘରେ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର