ଏସୀୟ କନିଷ୍ଠ ରଗ୍‌ବି: ଭାରତକୁ ରୌପ୍ୟ

ଭୁବନେଶ୍ବର: ଚାଇନିଜ୍ ତାଇପେଇରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ୍‌ ଏସୀୟ ରଗ୍‌ବି ପ୍ରତିଯୋଗିତାରେ ଭାରତୀୟ ମହିଳା ରୌପ୍ୟ ପଦକ ଜିତିଛି। ଫାଇନାଲ୍‌ରେ ଭାରତ ଘରୋଇ ଚାଇନିଜ୍ ତାଇପେଇଠାରୁ ୭-୧୦ରେ ହାରିଯାଇଥିଲା। ଭାରତୀୟ ଦଳ ତାର ଲିଗ୍ ପର୍ଯ୍ୟାୟରେ ପ୍ରଥମେ ୟୁଏଇ ଦଳକୁ ୧୦-୫ ପଏଣ୍ଟରେ ଏବଂ ଚାଇନିଜ୍ ତାଇପେଇକୁ ୫୨-୫ର ବିରାଟ ବ୍ୟବଧାନରେ ପରାସ୍ତ କରିଥିଲା। ଥାଇଲାଣ୍ଡକୁ ୨୨-୧୯ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଏହି ଭାରତୀୟ ଦଳରେ ଭୁବନେଶ୍ବର କିସର ଦୁଇ ଛାତ୍ରୀ ରିତୁ ମାଝୀ (+୨ ଦ୍ୱିତୀୟ ବର୍ଷ କଳା) ଓ ମାମାଲି ସିଂହ (+୨ ପ୍ରଥମ ବର୍ଷ କଳା) ପ୍ରତିନିଧିତ୍ୱ କରିଥିବାରୁ ରୌପ୍ୟ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନ ଅଧିକାର କରି ପଦକରୁ ବଞ୍ଚିତ ରହିଛି। ଏହି ଦଳରେ କିସର ଦୁଇ ଜଣ ଛାତ୍ର ଧର୍ମାନନ୍ଦ ବିଶ୍ୱାଳ (+୨ ଦ୍ୱିତୀୟ ବର୍ଷ ବିଜ୍ଞାନ) ଓ ଚରଣ ହେମ୍ବ୍ରମ୍ (୧୦ମ) ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର