ବାରବାଟୀରେ ଖେଳିଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ

କଟକ : ବାରବାଟୀ ଷ୍ଟାଡିୟମରେ ବେଙ୍ଗଲ ଓ ବରୋଦା ମଧ୍ୟରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ମ୍ୟାଚରେ ପଶ୍ଚିମ ବଙ୍ଗର କ୍ୟାବିନେଟ ମନ୍ତ୍ରୀ ମନୋଜ ତିଵାରୀ ଖେଳୁଛନ୍ତି। ମନୋଜ ବର୍ତ୍ତମାନ ପଶ୍ଚିମବଙ୍ଗ ସରକାରରେ କ୍ରୀଡ଼ାମନ୍ତ୍ରୀ ଅଛନ୍ତି। ଜଣେ କ୍ୟାବିନେଟ ମନ୍ତ୍ରୀ ଭାବେ ରଣଜୀ ଟ୍ରଫିରେ ଖେଳିବା କ୍ଷେତ୍ରରେ ଏହା ପ୍ରଥମ ଘଟଣା। ମନୋଜ ୨୦୨୧ ସାଧାରଣ ନିର୍ବାଚନରେ ଶିବପୁର ନିର୍ବାଚନ ମଣ୍ତଳୀରୁ ତୃଣମୂଳ କ˚ଗ୍ରେସ ତରଫରୁ ଲଢେଇ କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବା ପରେ ସେ ଖେଳ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ବେଙ୍ଗଲ ରଣଜୀ ଦଳରେ ସ୍ଥାନ ମିଳିଥିଲା।

ମନୋଜ ଭାରତ ପାଇଁ ୧୨ଟି ଦିନିକିଆରେ ପ୍ରତିନିଧିତ୍ବ କରିଥିଲାବେଳେ ୧ ଶତକ ସହାୟତାରେ ୨୮୭ ରନ୍‌ ସ˚ଗ୍ରହ କରିଥିଲେ। ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରୁ ପଦାର୍ପଣ କରିଥିବା ମନୋଜ ୨୦୧୫ରେ ଜିମ୍ବାୱେ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲେ। ଏହାବାଦ୍‌ ମାତ୍ର ୩ଟି ଟ୍ବେଣ୍ଟି-୨୦ରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ। କିନ୍ତୁ ଗୋଟିଏ ମ୍ୟାଚରେ ବ୍ୟାଟି˚ କରିବାକୁ ସୁଯୋଗ ପାଇଥିଲାବେଳେ ସେଥିରୁ ୧୫ରନ୍‌ ସ୍କୋର କରିଥିଲେ। ୧୨୫ ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ ୫୦.୩୬ ରନ୍‌ ହାରରେ ୮୯୬୫ ରନ୍‌ ସ˚ଗ୍ରହ କରିଛନ୍ତି। ସେହିପରି ୧୬୨ ଲିଷ୍ଟ ‘ଏ’ରୁ ୪୨.୩୭ ହାରରେ ୫୪୬୬ ରନ୍‌ ଏବ˚ ୧୮୩ ଟ୍ବେଣ୍ଟି-୨୦ରୁ ୨୮.୩୯ ହାରରେ ୩୪୩୬ ରନ୍‌ ହାସଲ କରିଛନ୍ତି। ୨୦୦୪ରୁ ବେଙ୍ଗଲ ପାଇଁ ପ୍ରଥମ ଶ୍ରେଣୀ ଓ ଲିଷ୍ଟ ଏ’ରେ ଖେଳିଆସୁଥିବା ମନୋଜ ୨୦୧୯-୨୦ ଋତୁରେ ୭୦୭ ରନ୍‌ କରି ସର୍ବାଧିକ ରନ୍‌ ସ˚ଗ୍ରହକାରୀ ହୋଇଥିଲେ। ତାଙ୍କ ନେତୃତ୍ବରେ ବେଙ୍ଗଲ ଫାଇନାଲ୍‌କୁ ଯାଇଥିଲାବେଳେ ସୌରାଷ୍ଟ୍ରଠୁ ପରାଜିତ ହୋଇ ଉପ ବିଜେତା ହୋଇଥିଲା। ଏଥି ପୂର୍ବରୁ ୨୦୦୫-୦୬ ଓ ୨୦୦୬-୦୭ ଋତୁର ଫାଇନାଲିଷ୍ଟ ବେଙ୍ଗଲ ଦଳର ସେ ସଦସ୍ୟ ଥିଲେ।

ସମ୍ବନ୍ଧିତ ଖବର