ଅହମଦାବାଦ ଟେଷ୍ଟ: ଚତୁର୍ଥ ଦିନର ଖେଳ ଶେଷ, ଭାରତର ସ୍କୋର ପ୍ରଥମ ପାଳିରେ ୫୭୧ ରନ୍‌

ଅହମଦାବାଦ: ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ୪ର୍ଥ ଟେଷ୍ଟର ଚତୁର୍ଥ ଦିନର ଖେଳ ରବିବାର ଶେଷ ହୋଇଛି। ଅଷ୍ଟ୍ରେଲିଆ ନିଜର ଦ୍ବିତୀୟ ପାଳିରେ ବିନା କୌଣସି ୱିକେଟରେ ୩ ରନ୍‌ ସଂଗ୍ରହ କରି ୮୮ ରନ୍‌ ପଛରେ ରହିଛି। ପୂର୍ବରୁ କଙ୍ଗାରୁ ଦଳ ନିଜର ପ୍ରଥମ ପାଳିରେ ୪୮୦ ରନ୍‌ ସଂଗ୍ରହ କରିଥିଲା। ଘରୋଇ ଦଳ ପ୍ରଥମ ପାଳିରେ ୫୭୧ ରନ୍‌ ସଂଗ୍ରହ କରି ୯୧ ରନ୍‌ ଅଗ୍ରଣୀ ଲାଭ କରିଥିଲା।

ଭାରତୀୟ ବ୍ୟାଟର ବିରାଟ କୋହଲି ଆଜି ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ସେ ଦ୍ବିଶତକ ହାସଲ କରିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ବ୍ୟକ୍ତିଗତ ଭାବେ ୧୮୬ ରନ୍‌ ଯୋଗଦାନ ଦେଇ ଭାରତର ସ୍କୋରକୁ ମଜବୁତ ସ୍ଥାନରେ ପହଞ୍ଚାଇଥିଲେ। ଶ୍ରେୟସ ଆୟର ପିଠିରେ ଯନ୍ତ୍ରଣା ଯୋଗୁଁ ବ୍ୟାଟିଂ କରିବାକୁ ଆସି ନଥିଲେ। କୋହଲିଙ୍କ ଶତକ ହାସଲ ପରେ ଏବେ ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଅକ୍ଷର ଅର୍ଦ୍ଧଶତକ ପୂରା କରିଥିଲେ।

ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିରାଟ କୋହଲି ନିଜର ୧୮୬ ରନ୍‌ର ପାଳିରେ ମୋଟ ୩୬୪ଟି ବଲ୍‌ ଖେଳିଥିଲେ। ଏଥିରେ ସେ ୧୫ଟି ଚୌକା ମାରିଥିଲେ। ବିରାଟ କୋହଲି ଟେଷ୍ଟ କ୍ରିକେଟ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୪ଟି ଟେଷ୍ଟରେ ୧୯୭୯ ରନ୍‌ ସଂଗ୍ରହ କରିଛନ୍ତି। ବିରାଟ କୋହଲିଙ୍କ ଅଷ୍ଟ୍ରେଲିଆ ବିପକ୍ଷରେ ହାରାହାରି ୪୮.୨୬ ରନ୍‌ କରିଛନ୍ତି। ଏଥିରେ ସେ ୮ଟି ଶତକ ସାମିଲ କରିପାରିଛନ୍ତି। ଟେଷ୍ଟ କ୍ୟାରିୟରରେ ବିରାଟ କୋହଲି ୨୮ତମ ଶତକ ହାସଲ କରିଛନ୍ତି। ଏଥି ସହିତ ସେ ପାଖାପାଖି ୩ ବର୍ଷର ଅପେକ୍ଷାକୁ ଶେଷ କରିଛନ୍ତି। କୋହଲିଙ୍କ ବ୍ୟାଟ୍‌ରୁ ଶେଷ ଟେଷ୍ଟ ଶତକ ୨୦୧୯ ମସିହାରେ ବାହାରିଥିଲା।  

ପ୍ରଥମ ପାଳିରେ ଭାରତ ତରଫରୁ ବିରାଟ କୋହଲିଙ୍କ ବ୍ୟତୀତ ଏହି ପାଳିରେ ଶୁବମନ ଗିଲ୍‌ ୧୨୮ ରନ୍‌, ଅକ୍ଷର ପଟେଲ ୭୯ ରନ୍‌ ଓ କେଏସ୍‌ ଭରତ ୪୪ ରନ୍‌ ସଂଗ୍ରହ କରିଥିଲେ। ଏବେ ଟିମ୍‌ ଇଣ୍ଡିଆ ମୁକାବିଲା ଜିତିବା ପାଇଁ ଖୁବ ଶୀଘ୍ର ଅଷ୍ଟ୍ରେଲିଆକୁ ଦ୍ବିତୀୟ ପାଳିରେ ଆଉଟ କରିବାକୁ ଚାହିଁବ।

 

ସମ୍ବନ୍ଧିତ ଖବର