ନକଲି ଦାଢ଼ି ଓ କେଶରେ ଷ୍ଟାଡିୟମ୍‌ ପଶିଲେ ଇରାନ୍‌ ମହିଳା

ତେହରାନ: ଫୁଟ୍‌ବଲ୍‌ ପ୍ରଶଂସକମାନେ ମ୍ୟାଚ୍‌ ଦେଖିବା ଲାଗି କିଛି ବି କରି ପାରନ୍ତି। ଯାହାର ବଳିଷ୍ଠ ପ୍ରମାଣ ଇରାନର ରାଜଧାନୀ ତେହରାନରେ ଅନୁଷ୍ଠିତ ଏକ କ୍ଲବ୍‌ ମ୍ୟାଚ୍‌ ଅବସରରେ ମିଳିଥିଲା। ଇରାନରେ ମହିଳାମାନେ ଷ୍ଟାଡିୟମକୁ ଯାଇ ମ୍ୟାଚ୍‌ ଦେଖିବା ଉପରେ କଟକଣା ଥିଲା ବେଳେ ଏହି ମହିଳା ପ୍ରଶଂସିକାମାନେ ସୁରକ୍ଷାକର୍ମୀଙ୍କୁ ଚକମା ଦେବା ଲାଗି ପୁରୁଷ ବେଶ ଧରିଥିଲେ। ଛଦ୍ମ ବେଶରେ ଷ୍ଟାଡିୟମକୁ ଯାଇ ସେମାନେ ପୂରା ମ୍ୟାଚ୍‌ର ମଜା ନେଇଥିଲେ। ଯାହାର ଭିଡିଓ ଏବେ ବେଶ୍‌ ଲୋକପ୍ରିୟ ହେବାରେ ଲାଗିଛି। ତେହରାନର ଆଜାଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ରେ ସଂପୃକ୍ତ ମହିଳା ସମର୍ଥକମାନେ ଉତ୍ସାହିତ କରୁଥିବା ଦଳ ପର୍ସେପୋଲିସ୍‌ ବିଜୟୀ ହୋଇଥିଲା। ଇରାନର ପ୍ରତିଷ୍ଠିତ ମହିଳା ଅଧିକାର କର୍ମୀ ମେଲୋଡି ସଫାଭି ଏହାର ନେତୃତ୍ୱ ନେଉଥିଲେ। ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ସେ ତାଙ୍କ ସାଥୀ ଏହି ଭଳି ଭାବେ ନିଆରା ଢଙ୍ଗରେ କରିବା ଜାରି ରଖିବେ ବୋଲି ସଫାଭି କହିଛନ୍ତି। ସୂଚନାଯୋଗ୍ୟ ଯେ ସଫାଭି ଓପନ ଷ୍ଟାଡିୟମ୍‌ ନାମକ ଏକ ସଂସ୍ଥା ଗଠନ କରି ମହିଳାଙ୍କୁ ଷ୍ଟାଡିୟମରେ ଯାଇ ମ୍ୟାଚ୍‌ ଦେଖିବାର ଅନୁମତି ଦେବା ଲାଗି ଇରାନ ସରକାରଙ୍କ ଉପରେ ଚାପ ପକାଇ ଅସୁଛନ୍ତି। ତେବେ ପୁଲିସ ଛଦ୍ମବେଶୀ ମହିଳାଙ୍କ ମଧ୍ୟରୁ କେତେକଙ୍କୁ ଚିହ୍ନିପାରି ସେମାନଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ଗତବର୍ଷ ସାଉଦି ଆରବ ମହିଳାମାନେ ଷ୍ଟାଡିୟମରେ ଯାଇ ମ୍ୟାଚ୍‌ ଦେଖିବା ଉପରେ ଜାରି କରିଥିବା କଣକଣାକୁ ଉଠାଇ ଦେଇଥିଲା।

ସମ୍ବନ୍ଧିତ ଖବର