ମୃତ୍ୟୁର ବ୍ରିଜ୍‌ : ୬ ବର୍ଷରେ ବି ସରିଲାନି, ୨ ମୁଣ୍ଡ ନେଲା

ଭୁବନେଶ୍ୱର: ବମିଖାଲ-ସହିଦନଗର ରେଳ ଓଭରବ୍ରିଜ୍‌ ୨୦୧୨ରୁ ଆରମ୍ଭ ହୋଇଥିଲେ ହେଁ ୬ବର୍ଷ ପରେ ଏହାର ନିର୍ମାଣ କାର୍ଯ୍ୟ ସରିଲାନି। ବରଂ ଏହି ରେଳ ଓଭରବ୍ରିଜ୍‌ ରାଜଧାନୀବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏହି ରେଳ ଓଭରବ୍ରିଜ୍‌ ଏପରି ସ୍ଥିତିରେ ଅଛି ଯେ, ଏହା କେବେ ଶେଷ ହେବ ତାହା କାହାକୁ ଜଣାନାହିଁ। ରେଳ ଓଭରବ୍ରିଜ୍‌ ନିର୍ମାଣ କରୁଥିବା ପଣ୍ଡା ଇନଫ୍ରାଷ୍ଟ୍ରକଚର୍‌ ଏବଂ ପୂର୍ତ ବିଭାଗ ଇଞ୍ଜିନିୟରଙ୍କ ପ୍ରିୟାପ୍ରୀତି ଯୋଗୁଁ ରାଜଧାନୀବାସୀ ପ୍ରତି ମୁହୂର୍ତରେ ଅସୁବିଧାକୁ ସାମ୍ନା କରୁଛନ୍ତି। ଯେଉଁଥିପାଇଁ କଟକ ରୋଡ୍‌ ଏବେ ଡେଥ୍‌ ଜୋନ୍‌ ପାଲଟିଯାଇଛି। ପୂର୍ତ୍ତ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବମିଖାଲରୁ-ସହିଦନଗର ରେଳ ଓଭରବ୍ରିଜ୍‌ କାମ ୨୦୧୦ ମସିହାରେ ଆରମ୍ଭ ହୋଇ ୨୦୧୩ ସୁଦ୍ଧା ଶେଷ ହେବାକୁ ଥିଲା। ଏଥିପାଇଁ ୧୪.୭୨୨୪ କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିଲା। ହେଲେ କାମ ଆରମ୍ଭ ହେବାକୁ ୨୦୧୨ ହୋଇଗଲା। ୨୦୧୪ରେ କାମ ସରିବାର ଥିଲା। କିନ୍ତୁ ସରିଲାନି। କାମ ନିର୍ଦ୍ଧାରିତ ସମୟରେ ତ ଶେଷ ହେଲାନି ବରଂ ଏହାର ନିର୍ମାଣ ଖର୍ଚ ବଢ଼ିଗଲା। ୧୪କୋଟିର ଏହି ବ୍ରିଜ୍‌ର ଖର୍ଚ ଅଟକଳ ଏବେ ୨୮କୋଟିରେ ପହଞ୍ଚିଲାଣି। ଗତବର୍ଷ ଦୁର୍ଘଟଣା ସମୟରେ ପୂର୍ତ ବିଭାଗ କର୍ତୃପକ୍ଷ କହିଥିଲେ ଯେ, ବ୍ରିଜ୍‌ ନିର୍ମାଣରେ ବହୁ ସମସ୍ୟା ଥିବାରୁ ବିଳମ୍ବ ହୋଇଛି। କିନ୍ତୁ ୨୦୧୮ ମାର୍ଚରେ ଶେଷ ହେବ। ତଥାପି ମାର୍ଚରେ ଶେଷ ହେଲାନି। ଏହାପରେ ପୂର୍ତ ମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ, ଆସନ୍ତା ଜୁନ୍‌ରେ ଏହି ବ୍ରିଜ୍‌ ନିର୍ମାଣ ଶେଷ ହେବ। ରେଳ ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ହେବା ନେଇ ପୂର୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଳ ଲାଇନ୍‌ ଉପରେ ହେବାକୁ ଥିବା ଓଭରବ୍ରିଜ୍‌ କାର୍ଯ୍ୟ ରେଲେଓ୍ଵ ଠିକ୍‌ ସମୟରେ ଶେଷ କରିଛି। ହେଲେ ବାକି ବ୍ରିଜ୍‌ କାର୍ଯ୍ୟ ଜମି ଅଧିଗ୍ରହଣ ଏବଂ ଡିଜାଇନ୍‌ରେ ପରିବର୍ତନ ଯୋଗୁଁ ହୋଇପାରିନାହିଁ। କାର୍ଯ୍ୟରେ ବିଳମ୍ବ ହେଉଥିଲେ ହେଁ ଜୁନ୍‌ରେ ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଖର୍ଚ ଅଟକଳ ୧୪କୋଟିରୁ ୨୮କୋଟିରେ ପହଞ୍ଚିଲାଣି
ଜମି ଅଧିଗ୍ରହଣ ଓ ଡିଜାଇନ୍‌ ବଦଳିବାରୁ ବିଳମ୍ବ ହେଲା
ଜୁନ୍‌ରେ ଶେଷ କରିବାକୁ ଟାର୍ଗେଟ ଅଛି

ସୂଚନାଯୋଗ୍ୟ ଯେ, ଓଭରବ୍ରିଜ୍‌ ନିର୍ମାଣ ଆରମ୍ଭ ବେଳେ ପ୍ରଥମେ କେବଳ ରସୁଲଗଡ଼ରୁ ସହିଦନଗର ପର୍ଯ୍ୟନ୍ତ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଯୋଜନା ଥିଲା। ବହୁ ସରକାରୀ କ୍ୱାର୍ଟର୍ସ ଓ ଘରୋଇ ଜମି ଅଧିଗ୍ରହଣ କରିବାରେ ବିଳମ୍ବ ହେବାରୁ କାମ ବିଳମ୍ବ ହେଲା। ଅରବିନ୍ଦ ସ୍କୁଲ, ଇଏସ୍‌ଆଇ ହସ୍ପିଟାଲ, ଇପିକଲ୍‌ର ୨୪ କ୍ୱାର୍ଟର୍ସ ଉଚ୍ଛେଦ ହେବା ପରେ କାର୍ଯ୍ୟ ଜୋରଦାର ହୋଇଥିଲା। ହେଲେ କାମ ୪୦ପ୍ରତିଶତ ଶେଷ ହେଲା ବେଳକୁ ଡିଜାଇନ୍‌ ବଦଳିଗଲା। କଳ୍ପନା ଦିଗରୁ ଆଉ ଏକ ବାଟ ଫିଟିଲା। ଯାହାଫଳରେ ଓଭରବ୍ରିଜ୍‌ କାର୍ଯ୍ୟ ବିଳମ୍ବ ହେଉଛି। ସମୁଦାୟ ଓଭରବ୍ରିଜ୍‌ କାର୍ଯ୍ୟ ପାଇଁ ୭୫ ଟି ସ୍ପାନ୍‌ ରହିଛି। ଲେବୁଲ୍‌ କ୍ରସିଙ୍ଗ୍‌ରୁ ରସୁଲଗଡ଼ ପର୍ଯ୍ୟନ୍ତ ୩୯ଟି ସ୍ପାନ୍‌ରୁ ସମସ୍ତ କାର୍ଯ୍ୟ ସରିଛି। କଳ୍ପନା ପାର୍ଶ୍ୱରୁ ନିର୍ମାଣ ପାଇଁ ଅଧିକ ୬କୋଟି ୮୧ଲକ୍ଷ ଟଙ୍କା ବଜେଟ୍‌ ବଢ଼ିଥିଲା। ଏହାପରେ ଏହି ପାର୍ଶ୍ୱରେ ୮୦% କାମ ଶେଷ ହୋଇଛି। ଏବେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ଆରମ୍ଭ ହୋଇଥିବାବେଳେ ଏହା ଶେଷ ହୋଇଥିଲେ ବାଲି ଫିଲିଙ୍ଗ୍‌ କରି ରାସ୍ତା ନିର୍ମାଣ ହୋଇଥାନ୍ତା। ଏଥିପାଇଁ ଗତ କିଛି ମାସ ହେଲା ଜୋରଦାର୍‌ କାର୍ଯ୍ୟ ଚାଲିଥିଲା। କିନ୍ତୁ କାମ ଶେଷ ହେବା ପୂର୍ବରୁ ପୁଣି ଅଘଟଣ ଘଟିଲା।

କେଉଁଠି ରହିଲା ତ୍ରୁଟି
ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ପାଇଁ ରଡ୍‌ ପ୍ରାୟ ବନ୍ଧା ସରିଥିବାବେଳେ ଏହାର ଢଳେଇ ପାଇଁ ସେଣ୍ଟ୍ରିଂ କରାଯାଉଥିଲା। ଏହାସହ କେତେକ ସ୍ଥାନରେ ରଡ୍‌ ବନ୍ଧା ବି ହେଉଥିଲା। ହେଲେ ହଠାତ୍‌ ଶ୍ରମିକଙ୍କ ଉପରକୁ ଏହା ଢଳି ପଡ଼ିଲା। ପୂର୍ତ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ବର୍ଷା ହେବାରୁ ରିଟେନ୍‌ ଓ୍ଵାଲ୍‌ ଏବଂ ରାସ୍ତା ପାଇଁ ଖୋଳା ହୋଇଥିବା ସ୍ଥାନରେ ପ୍ରାୟ ୪ଫୁଟ ଉଚ୍ଚର ପାଣି ଜମିଥିଲା। ପାଣିକୁ ପମ୍ପ ମାଧ୍ୟମରେ ଶୁଖାଇ କାମ ଆରମ୍ଭ ହୋଇଥିଲା। କମ୍‌ ସମୟରେ କାମ ସାରିବାକୁ ଥିବାରୁ ତରବରିଆ ଭାବେ କାମ ଆରମ୍ଭ ହୋଇଥିଲା। ରିଟେନ୍‌ ଓ୍ଵାଲ୍‌ର ଫାଉଣ୍ଡେସନ୍‌ ରଡ୍‌କୁ ରଖାଯିବା ପରେ ଏହାର ବାଲାନ୍ସ ରହି ନଥିଲା। ଗୋଟିଏ ପାର୍ଶ୍ୱରେ ମାଟି ଦବିଯିବାରୁ ଏହା ଢଳି ପଡ଼ିଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ ହେଲେ ସବୁ ଜଣାପଡ଼ିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ପୁଲିସ ଓ ସ୍ଥାନୀୟ ଯୁବକ ସାମିଲ
ଖସି ପଡ଼ିଥିବା ରେଲିଂ ତଳେ ୨ ଶ୍ରମିକ ଚାପି ହୋଇ ରହି ଯାଇଥିଲେ। ଚାହୁଁ ଚାହୁଁ ଖବର ବ୍ୟାପୀ ଯାଇଥିଲା। ଶହଶହ ଲୋକ ରୁଣ୍ଡ ହୋଇ ଯାଇଥିଲେ ବମିଖାଲ ଛକରେ। ପ୍ରଥମେ ଖବର ଯାଇଥିଲା ପୁଲିସ କଣ୍ଟ୍ରୋଲ ରୁମ୍‌କୁ। ପିସିଆର ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସ କର୍ମଚାରୀଙ୍କ ମୁଣ୍ଡ କାମ ଦେଇ ନ ଥିଲା। ତୁରନ୍ତ ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଡିସିପି ଅନୁପ ସାହୁଙ୍କ ସମେତ, ଲକ୍ଷ୍ମୀସାଗର, ସହିଦନଗର ଓ ମଞ୍ଚେଶ୍ୱର ଥାନା ପୁଲିସ ଓ ଇନ୍ସପେକ୍ଟରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତଳେ ଫସି ରହିଥିବା ଶ୍ରମିକ ଓ ଅନ୍ୟମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଏହା ପରେ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ପରେ ହିଁ ଆରମ୍ଭ ହୋଇଥିଲେ ଉଦ୍ଧାର କାର୍ଯ୍ୟକ୍ରମ। ଏଥିରେ ଅଗ୍ନିଶମ ବିଭାଗର ୪ ୟୁନିଟ୍‌, ସ୍ଥାନୀୟ ଲୋକ, ଓ ପୁଲିସ ସାମିଲ ହୋଇଥିଲେ। ଖବର ବ୍ୟାପୀ ଯିବା ପରେ ରାଜଧାନୀର ଅନେକ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟି ଥିଲା ଘଟଣାସ୍ଥଳକୁ। ଭିଡ଼ ହଟାଇବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା।

ଅଧଘଣ୍ଟା ଛଟପଟ
ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ୨ ଶ୍ରମିକ ରେଲିଂ ତଳେ ଚାପି ହୋଇଯାଇଥିଲେ ହେଁ ବନ୍ଧା ଯାଇଥିବା ମୋଟା ରଡ୍‌ ଏତେ ଭାରି ଥିଲା ଯେ ସେଠୁ ମୁକୁଳିବା ସମ୍ଭବ ନଥିଲା। ଶେଷରେ କିଛି ଲୋକ ବି ଏହି ଉଦ୍ଧାର କାର୍ଯ୍ୟରେ ସାମିଲ୍‌ ହୋଇଥିଲେ। ଶ୍ରମିକମାନେ ବିକଳରେ ଚିତ୍କାର କରିଥିଲେ ହେଁ ତାଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇପାରି ନଥିଲା। ଶେଷରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିଲା। ତେବେ ଅନ୍ୟଜଣଙ୍କୁ ଉଦ୍ଧାର କରିବା ପାଇଁ କଟର୍‌ର ସହାୟତା ନିଆଯାଇଥିଲା।

ଅନ୍ଧାର ଯୋଗୁଁ କଲବଲ, ସୁରକ୍ଷା କବଚ ନ ଥିଲା
ପ୍ରଥମତଃ ରାତିରେ କାମ ଚାଲୁଥିବା ବେଳେ ପ୍ରାୟ ୭ରୁ ୮ ଫୁଟ ଖାଲ ତଳେ ରେଲିଂ କାମ କରାଯାଉଥିଲା। ଏକ ହାଇମାଷ୍ଟ୍‍ ଲାଇଟ୍‌ ଲଗେଇ କାମ କରାଯାଉଥିବା ବେଳେ ଶ୍ରମିକମାନେ କୌଣସି ସୁରକ୍ଷା କବଚ ପରିଧାନ କରି ନଥିଲେ। ବିଶେଷକରି ହେଲ୍‌ମେଟ୍‌ ପିନ୍ଧି ନଥିବା ବେଳେ ମେସିନ୍‌ ଦ୍ୱାରା ହେବାକୁ ଥିବା କାର୍ଯ୍ୟକୁ ଶ୍ରମିକମାନେ କାହିଁକି କରୁଥିଲେ ବୋଲି ଅନେକ ପ୍ରଶ୍ନ ଉଠାଉଛନ୍ତି। ତେଣୁ ବେପରୁଆ ଭାବେ ନିର୍ମାଣ କାମ ଚାଲିଥିବା ବେଳେ କେହି ଯନ୍ତ୍ରୀ ଉପସ୍ଥିତ ଥିଲେ କି ନଥିଲେ ସେନେଇ ସୂଚନା ମିଳିନି।

ପୂର୍ବରୁ ବି ଓଭରବ୍ରିଜ୍‌ ନିର୍ମାଣବେଳେ ଘଟିଛି ଅଘଟଣ
୨୦୧୬ ମସିହା ଏପ୍ରିଲ ୨୫ ତାରିଖ। ଆଚାର୍ଯ୍ୟବିହାର ଓଭରବ୍ରିଜ୍‌ର ଖସିଥିଲା ସ୍ଲାବ। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୪ରେ ରସୁଲଗଡ଼ ଓଭରବ୍ରିଜ୍‌ ସ୍ଲାବ ଖସି ଜଣଙ୍କର ମୃତ୍ୟୁ ଘଟିଥିିଲା। ଏ ଦୁଇଟି ଘଟଣା ରାତିରେ ଘଟିଥିବାରୁ ଘଟଣା ଏତେଟା ଚର୍ଚା ହୋଇ ନ ଥିଲା।

୨୦୧୨ରେ ଜୟଦେବ ବିହାର ଓଭରବ୍ରିଜ୍‌ରୁ ଦୁଇ ଦୁଇ ଥର ସ୍ଲାବ ଖସିଥିଲା। ଏଥିରେ କେହି ମୃତାହତ ହୋଇ ନ ଥିଲେ ମଧ୍ୟ ଘଟଣା ରାଜଧାନୀରେ ଚର୍ଚାର ବିଷୟ ହୋଇଥିଲା। ରାସ୍ତା ଘାଟ ଜାମ ହୋଇ ଯାଇଥିଲା।

୨୦୧୭,ସେପ୍ଟେମ୍ବର ୧୦ତାରିଖରେ ବମିଖାଲ ଓଭରବ୍ରିଜ୍‌ର ସ୍ଲାବ୍‌ ଖସିପଡ଼ିବାରୁ ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ତାଙ୍କ ଝିଅ ଶୀତଲଙ୍କ ସମେତ ୧୫ଜଣ ଆହତ ହୋଇଥିଲେ।

ଉଚ୍ଚସ୍ତରୀୟ ତଦନ୍ତ ହେବ: ଜିଲ୍ଲାପାଳ
ବମିଖାଲ ଓଭରବ୍ରିଜ୍‌ ଅଘଟଣ ଘଟିବା ପରେ ମୃତ ଓ ଆହତମାନଙ୍କୁ ଭେଟିବାକୁ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ଆହତମାନଙ୍କ ଚିକିତ୍ସା ଖର୍ଚ ରାଜ୍ୟ ସରକାର ବହନ କରିବା ସହିତ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସେ ପୂର୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

 

ନିଜ ଆଡ଼ୁ ମାମଲା ରୁଜୁ କଲା ପୁଲିସ
ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍‌ର ରଡ୍‌ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ଦୁଇ ଜଣ ଗୁରୁତର ହେବା ଘଟଣାକୁ କମିସନରେଟ୍‌ ପୁଲିସ ଗୁରୁତର ସହ ନେଇଛି। ଲକ୍ଷ୍ମୀସାଗର ଥାନା ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୃତ୍ୟୁ ପାଇଁ ଦାୟୀ, ସରକାରୀ କାର୍ଯ୍ୟରେ ଖିଲାପ, ଠକେଇ, ଅବହେଳା ଭଳି ସଂଗିନ ଦଫାରେ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଓଭରବ୍ରିଜ୍‌ ନିର୍ମାଣ କରୁଥିବା ପଣ୍ଡା ଇନ୍‌ଫ୍ରାଷ୍ଟ୍ରକଚର୍‌ ସଂସ୍ଥା ଓ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସେହିପରି ଆଜି ରାତିରେ ପୁଲିସର ଏକ ଟିମ୍‌ ଓଭରବ୍ରିଜ୍‌ ନିର୍ମାଣକରୁଥିବା ସଂସ୍ଥା ପଣ୍ଡା ଇନଫାଷ୍ଟ୍ରକଚର୍‌ ଉପରେ ଚଢ଼ଉ ଆରମ୍ଭ କରିଛି।

ବିଜେପି ଓ କଂଗ୍ରେସର ବିକ୍ଷୋଭ

ବମିଖାଲ ଓଭରବ୍ରିଜ୍‌ ନିର୍ମାଣବେଳେ ଲୁହାରଡ୍‌ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଓ ଦୁଇ ଜଣ ଶ୍ରମିକ ଗୁରୁତର ହେବା ପରେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜେପିର ଜଗନ୍ନାଥ ପ୍ରଧାନ ଓ କଂଗ୍ରେସର ମନୋରଂଜନ ଦାସ, ଇତିଶ ପ୍ରଧାନଙ୍କ ସମେତ ଏକାଧିକ ସ୍ଥାନୀୟ ଯୁବକ ସାମିଲ ହୋଇ ନିର୍ମାଣାଧୀନ କାମକୁ ବିରୋଧ କରିଥିଲେ। କହିଥିଲେ ପୂର୍ବରୁ ଏହି ସଂସ୍ଥା କାମ କରିବାବେଳେ ଅଘଟଣ ଘଟିଥିଲା। ପୁଣି ଥରେ ରାଜ୍ୟ ସରକାର ସଂପୃକ୍ତ ସଂସ୍ଥାକୁ କାମ କରିବାକୁ କିପରି ଅନୁମତି ଦେଲେ? ତୁରନ୍ତ କାମ ବନ୍ଦ କରାଯାଉ ଏବଂ ଅନ୍ୟ ସଂସ୍ଥାକୁ କାମ କରିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଥିଲେ। ଅନ୍ୟପକ୍ଷରେ ପୂର୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନଙ୍କ ନାମରେ ବିଜେପି ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଏକ ଏତଲା ଦିଆଯାଇଛି।

ସମ୍ବନ୍ଧିତ ଖବର