ଏସିଆ କପ୍‌: ଭାରତ ୫ ୱିକେଟରେ ପାକିସ୍ତାନକୁ ହରାଇଲା

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ଟି-୨୦ ମ୍ୟାଚରେ ଭାରତ ୫ ୱିକେଟରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଛି। ଭାରତ ଆଗରେ ପାକିସ୍ତାନ ରଖିଥିବା ୧୪୮ ରନକୁ ଭାରତ ୧୯.୪ ଓଭରରେ ହାସଲ କରିଛି।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ନିୟମିତ ଓ୍ବିକେଟ୍ ପତନର ସମ୍ମୁଖୀନ ହୋଇ ନିର୍ଦ୍ଧାରିତ ୨୦ ଓଭର ବି ଖେଳିପାରିନଥିଲା। ଗୋଟିଏ ବଲ ବାକି ଥାଇ ସମସ୍ତ ୱିକେଟ ହରାଇ ୧୪୭ ରନ କରିଥିଲା । ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତଖାର ୨୮ ରନ କରିଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ଟି ଓ୍ବିକେଟ ନେଇଥିବାବେ​ଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଓ୍ବିକେଟ ନେଇଥିଲେ ।  ଅର୍ସଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ । ଜବାବରେ ଭାରତର ଅଧିନାୟକ ରୋହିତ ଶର୍ମା ଓ କେ.ଏଲ.ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। ଭାରତର  ସ୍କୋର ୧ରନ ହୋଇଥିବାବେଳେ କେ.ଏଲ.ରାହୁଲ ନସିମ ସାହଙ୍କ ବଲର ଶିକାର ହୋଇଥିଲେ। ପରେ ରୋହିତ ଶର୍ମା ୧୨ରନ ବ୍ୟକ୍ତିଗତ  ସ୍କୋର କରିଥିବାବେଳେ ନୱାଜଙ୍କ ବଲରେ ଇଫତିକାର ଅହମ୍ମଦଙ୍କୁ କ୍ୟାଚ ଦେଇ ପାଭିଲିୟନ ଫେରିଥିଲେ। ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସି ବ୍ୟକ୍ତିଗତ ୩୫ ରନ କରି ନୱାଜଙ୍କ ବଲରେ ଇଫତିକାର ଅହମ୍ମଦଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ।

ପରେ ରବୀନ୍ଦ୍ର ଜାଦେଜା ଓ ସୂର୍ଯ୍ୟକୁମାର ଯାଦବ କିଛି ସମୟ ପଡିଆରେ ଥିଲେ ବି ସୂର୍ଯ୍ୟକୁମାର ୧୮ରନ କରିଥିବାବେଳେ ଆଉଟ ହୋଇଥିଲେ। କିନ୍ତୁ ଜାଦେଜା ୩୫ ରନ କରିଥିବାବେଳେ ଶେଷ ଓଭରରେ ଆଉଟ ହୋଇଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଭାରତର ସ୍କୋର ୧୪୨ ଥିବାବେଳେ ଗୋଟିଏ ଛକା ମାରି ଭାରତକୁ ଜିତାଇଥିଲେ। ସେ ବ୍ୟକ୍ତିଗତ ୩୩ ରନ କରି ନଟଆଉଟ ରହିଥିଲେ। ପାକିସ୍ତାନ ପକ୍ଷରୁ ନସିମ ସାହ ୨ଟି ଓ ମହମ୍ମଦ ନୱାଜ ୩ଟି ୱିକେଟ ନେଇଥିଲେ।

ସମ୍ବନ୍ଧିତ ଖବର