କୋହଲିଙ୍କ ସ୍ବପ୍ନ ଅଧୁରା: କ୍ବାଲିଫାୟର-୨ରେ ରାଜସ୍ଥାନ

ଅହମଦାବାଦ: ଲଗାତାର ୬ ମ୍ୟାଚ୍‌ ଜିତି ପ୍ଲେଅଫ୍‌କୁ ଆସିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଆଇପିଏଲ୍‌ରୁ ଏଲିମିନେଟ୍‌ ହୋଇଛି। ବୁଧବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ୪ ୱିକେଟ୍‌ରେ ଆର୍‌ସିବିକୁ ହରାଇ କ୍ବାଲିଫାୟର-୨ରେ ପହଞ୍ଚିଛି। ତା ସହ ଚାରି ମ୍ୟାଚ୍ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଫଳରେ ଆର୍‌ସିବି ଓ ‌ବିରାଟ କୋହଲିଙ୍କ ଆଇପିଏଲ୍‌ ଟ୍ରଫି ଜିତିବା ସ୍ବପ୍ନ ପୁଣି ଥରେ ଅଧୁରା ରହିଯାଇଛି। ଶୁକ୍ରବାର ଚେନ୍ନାଇରେ ହେବାକୁ ଥିବା ଦ୍ବିତୀୟ କ୍ବାଲିଫାୟର୍‌ରେ ରାଜସ୍ଥାନର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ ସହିତ ହେବ। ଆର୍‌ସିବି ପକ୍ଷରୁ ଦିଆଯାଇଥିବା ୧୭୩ ରନ୍‌ର ଲକ୍ଷ୍ୟକୁ ରାଜସ୍ଥାନ ଗୋଟିଏ ଓଭର ପୂର୍ବରୁ ହାସଲ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଯଶସ୍ବୀ ଜୟସ୍ବାଲ୍‌ (୪୫) ଦୃଢ଼ ମୂଳଦୁଆ ପକାଇଥିଲେ ଏବଂ ମଧ୍ୟକ୍ରମରେ ରିୟାନ ପରାଗ (୩୬) ଓ ସିମ୍ରନ ହେଟମାୟର (୨୬) ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ଦୁଇ ଓଭରରେ ୧୩ ରନ୍‌ ଆବଶ୍ୟକ ହେଉଥିଲା ବେଳେ ରୋଭମାନ୍‌ ପାୱେଲ୍‌ (୧୬*)୧୯ତମ ଓଭରରୁ ୧୪ରନ୍‌ ସଂଗ୍ରହ କରି ଦଳକୁ ଜିତାଇଥିଲେ।

ଏହି ମ୍ୟାଚ୍‌ରେ ସଂଜୁ ସାମସନ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ପଞ୍ଚମ ଓଭରରେ ଡୁପ୍ଲେସିସ୍‌ (୧୭)ଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ୍‌ କରିବାରୁ ପାୱାରପ୍ଲେ ଭିତରେ ଆର୍‌ସିବି କେବଳ ୫୦ରନ୍‌ରେ ସୀମିତ ରହିଥିଲା। କୋହଲି (୩୩)ଙ୍କୁ ଅଷ୍ଟମ ଓଭରରେ ଚହଲ ଆଉଟ୍‌ କରି ଦ୍ବିତୀୟ ସଫଳତା ଦେଇଥିଲେ। କାମେରନ୍‌ ଗ୍ରିନ୍‌ ଓ ରଜତ ପଟିଦାର ତୃତୀୟ ୱିକେଟ୍‌ରେ ୩୧ ବଲ୍‌ରୁ ୪୧ ରନ୍‌ ଭାଗୀଦାରି ଗଢ଼ି ଦଳକୁ ଶତକ ଆଡ଼କୁ ନେଇଥିଲେ। କିନ୍ତୁ ତ୍ରୟୋଦଶ ଓଭରର ତୃତୀୟ ବଲ୍‌ରେ ଗ୍ରୀନ୍‌ (୨୭) ଓ ଚତୁର୍ଥ ବଲ୍‌ରେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ଙ୍କୁ ଖାତା ଖୋଲିବା ଆଗରୁ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍‌ କରି ହ୍ୟାଟ୍ରିକ୍‌ ସୁଯୋଗ ସୃଷ୍ଟି କରିଥିଲେ। ହେଲେ ଲୋମରର୍‌ ତାଙ୍କୁ ନିରାଶ କରିଥିଲେ। ୯୭ରନ୍‌ରେ ୪ ୱିକେଟ୍‌ ଚାଲିଯାଇଥିଲେ ମଧ୍ୟ ଲୋମରର୍‌ (୩୨) ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ଆୱେସ ଖାନ୍‌ ୩, ଅଶ୍ବିନ ୨ ୱିକେଟ୍‌ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୭୨/୮ (ରଜତ ପଟିଦାର-୩୪, ବିରାଟ କୋହଲି-୩୩, ମହିପାଲ୍‌ ଲୋମରର୍‌-୩୨, ଆୱେସ ଖାନ୍‌-୩/୪୪, ରବିଚନ୍ଦ୍ରନ ଅଶ୍ବିନ-୨/୧୯, ଟ୍ରେଣ୍ଟ ବୋଲ୍ଟ-୧/୧୬)। ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୧୭୪/୬ (ଯଶସ୍ବୀ ଜୟସ୍ବାଲ୍‌-୪୫, ରିୟାନ ପରାଗ-୩୬, ସିମ୍ରନ ହେଟମାୟର-୨୬, ମହମ୍ମଦ ସିରାଜ-୨/୩୩, କାମେରନ୍‌ ଗ୍ରିନ୍‌-୧/୨୮)।

ସମ୍ବନ୍ଧିତ ଖବର