ଅମୀମାଂସିତ ଅଭ୍ୟାସ ମ୍ୟାଚ୍‌ରେ ବିଜୟଙ୍କ ଶତକ

ସିଡ୍‌ନି: ଚଳିତ ମାସ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଭାରତ ପାଇଥିବା ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତ ରହିଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷ ଏହି ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ଭାରତର ଦ୍ବିତୀୟ ପାଳିରେ ଦମ୍‌ଦାର ଶତକ ଜମାଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୁରଲୀ ବିଜୟ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ନିଜକୁ ଦାବିଦାର କରିଛନ୍ତି। ପ୍ରତମ ପାଳି‌ରେ ୫ ଅର୍ଧଶତକ ସହାୟତାରେ ଭାରତ ୩୫୮ ରନ୍‌ କରିଥିଲେ ମଧ୍ୟ ବିଜୟଙ୍କୁ ବ୍ୟାଟିଂ ସୁଯୋଗ ମିଳିନଥିଲା। ଏହାପରେ ବୋଲର ବୋଲରଙ୍କ ନୈରାଶ୍ୟଜନକ ପ୍ରଦଶର୍ନ ଯୋଗୁଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ଗୋଟିଏ ଶତକ ଓ ୩ ଅର୍ଧଶତକ ବଳରେ ପ୍ରଥମ ପାଳିରେ ୫୪୪ ରନ୍‌ର ବଡ଼ ସ୍କୋର୍‌ କରିନେଇଥିଲା। ମହମ୍ମଦ ସାମି ୩, ଈଶାନ୍ତ ଶର୍ମା ୧, ଉମେଶ ଯାଦବ ୧, ଯଶ୍‌ପ୍ରୀତ୍‌ ବୁମ୍‌ରା ୧, ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ୨ ଓ ବିରାଟ କୋହଲି ଗୋଟିଏ ୱିକେଟ୍‌ ନେଇଥିଲେ ମଧ୍ୟ ଘରୋଇ ଦଳ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରିନଥିଲେ। ତେବେ ଭାରତ ଦ୍ବିତୀୟ ପାଳିରେ ଚମତ୍କାର ବ୍ୟାଟିଂ କରି ଟେଷ୍ଟ୍‌ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଯାଇଥିବା ଚେତାଇ ଦେଇଛି। ପ୍ରଥମ ପାଳିରେ ନିରାଶ କରିଥିବା ଲୋକେଶ ରାହୁଲ୍‌ ଦ୍ବିତୀୟ ପାଳିରେ ୫୬ ରନ୍‌ କରି ବିଛିଟା ଆତ୍ମବିଶ୍ବାସ ପାଇଥିଲା ବେଳେ ବିଜୟ କିନ୍ତୁ ପ୍ରଥମ ସୁଯୋଗରେ ଶତକ ଜମାଇଥିଲେ। ସେ ୧୩୨ ବଲ୍‌ରୁ ୧୬ ଚୌକା ଓ ୫ ଛକା ସହାୟତାରେ ୧୨୯ ରନ୍‌ କରିଥିଲେ। ବିଜୟ ୫୨ ରନ୍‌ରୁ ଶତକ ଛୁଇଁବା ମଧ୍ୟରେ ମାତ୍ର ୨୭ ବଲ୍‌ ଖେଳିଥିଲେ। ଏହି ସମୟରେ ସେ ଆକ୍ରାମକ ରୂପ ଦେଖାଇ ଗୋଟିଏ ଓଭରରୁ ୨୬ ରନ୍‌ ମଧ୍ୟ ଆଦାୟ କରିଥିଲେ। ତେବେ ଭାରତ ଏହି ପାଳିରେ ୨୧୧/୨ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଏବେ ଭାରତ ୬ ତାରିଖ ଦିନ ଅଷ୍ଟ୍ରେଲିଆ ସହ ପ୍ରଥମ ଟେଷ୍ଟ୍‌ ଖେଳିବ।

ସମ୍ବନ୍ଧିତ ଖବର