ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ଖଲିଲ ଅହମ୍ମଦ ମାତ୍ର ଗୋଟିଏ ଋତୁର ଘରୋଇ କ୍ରିକେଟ୍ ଖେଳିଛନ୍ତି। ହେଲେ ଯେ କୌଣସି ପିଚ୍ରୁ ଅତିରିକ୍ତ ଉଚ୍ଛାଳ ବାହାର କରିବାର ଦକ୍ଷତା ପାଇଁ ଚୟନକର୍ତା ତାଙ୍କୁ ଏସିଆ କପ୍ ଲାଗି ବାଛିବାର ଜୁଆ ଖେଳିଛନ୍ତି। ରାଜସ୍ଥାନର ଟୋଙ୍କ୍ ସହରରେ ପିଲାଦିନ କାଟିଥିବା ଖଲିଲ ଚଳିତ ବର୍ଷର ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଦଳରେ ସ୍ଥାନ ପାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏହା ପରେ ଭାରତୀୟ ‘ଏ’ ଦଳର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଗତ ଜୁନ୍-ଜୁଲାଇରେ ଇଂଲଣ୍ଡ ଗସ୍ତ କରିବା ସହ ନିକଟରେ ଶେଷ ହୋଇଥିବା ଚତୁଷ୍କୋଣୀୟ ‘ଏ’ ଶୃଙ୍ଖଳାରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ। ଭାରତ ‘ଏ’ ପକ୍ଷରୁ ଖେଳିଥିବା ୯ ମ୍ୟାଚ୍ରୁ ଖଲିଲ ୧୫ ଓ୍ଵିକେଟ୍ ଅକ୍ତିିଆର କରିଛନ୍ତି। ୨୦୧୬ ବାଂଲାଦେଶ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳିବା ପରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ସେ ଦୁଇଟି ଆଇପିଏଲ୍ ଋତୁ ଖେଳିଥିଲେ। ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କ ମାର୍ଗଦର୍ଶନରେ ହିଁ ଖଲିଲ ନିଜ ବୋଲିଂକୁ ଆହୁରି ଶାଣିତ କରି ପାରିଥିଲେ। ଖଲିଲ ୧୯୯୭ ମସିହା ଡିସେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ସେ ଡାହାଣହାତୀ ବ୍ୟାଟିଂ କରୁଥିଲା ବେଳେ ବାମହାତୀ ବୋଲିଂ କରିଛନ୍ତି। ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ସେ ଦୁଇଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ସେହିଭଳି ୧୭ ପ୍ରଥମ ଶ୍ରେଣୀ ମୁକାବିଲାରୁ ୨୮ ଏବଂ ୧୨ ଟେ୍ଵଣ୍ଟି-୨୦ରୁ ୧୭ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି। ଟୋଙ୍କରେ ଟେନିସ୍ ବଲ୍ କ୍ରିକେଟ୍ ଖେଳିବାର ଅଭିଜ୍ଞତା ବଳରେ ହିଁ ଖଲିଲ ନିଜ କ୍ରିକେଟ୍ ଦକ୍ଷତାକୁ ଚମକାଇ ଏବେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।