ଆଜି ଦୁଇ ମହାଦେଶୀୟ ମୁକାବିଲା

ଭୁବନେଶ୍ବର: ଚଳିତ ଓଡ଼ିଶା ପୁରୁ‌ଷ ବିଶ୍ବକପ୍‌ରେ ବୁଧବାର ଦୁଇ ଅନ୍ତଃମହାଦେଶୀୟ ମୁକାବିଲା ହେବ। ୟୁରୋପୀୟ ଶକ୍ତି ଜର୍ମାନି ଏବଂ ନେଦରଲାଣ୍ଡ୍‌ସ ପ୍ରଥମ ମ୍ୟାଚ୍ ସଂଧ୍ୟା ୫ଟାରେ ଖେଳିବେ। ଏସୀୟ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ମାଲେସିଆ ପରସ୍ପରକୁ ରାତି ୭ ଟାରେ ଭେଟିବେ। ପୁଲ୍ ‘ଡି’ ଅନ୍ତର୍ଗତ ଏହି ଦ୍ବିତୀୟ ରାଉଣ୍ଡ୍ ମୁକାବିଲା ମଧ୍ୟ ସର୍ବାଧିକ ୪ ଥର ବିଜେତା ପାକିସ୍ତାନର ଭାଗ୍ୟ ନିର୍ଣ୍ଣୟ କରିବ। ୩ ପଏଣ୍ଟ୍‌ ଲେଖାଏଁ ପକେଟସ୍ଥ କରି ସାରିଥିବା ଜର୍ମାନି ଏବଂ ନେଦରଲାଣ୍ଡ୍‌ ମୁକାବିଲା ଉପରେ ଅଧିକ ନଜର ରହିବ। କାରଣ ଏହି ମ୍ୟାଚ୍‌ରୁ ୩ ପଏଣ୍ଟ୍ ନେଉଥିବା ଦଳ ନିଶ୍ଚିତ କ୍ବାର୍ଟର ଫାଇନାଲ୍‌ ସମ୍ଭାବନାକୁ ବଢ଼ାଇ ଦେବ। ପ୍ରତି ପୁଲ୍‌ରୁ ଗୋଟିଏ ଦଳ କ୍ବାର୍ଟର ଫାଇନାଲ୍‌ ଯିବାର ବ୍ୟବସ୍ଥା ଥିବାରୁ ଶେଷ ରାଉଣ୍ଡ୍ ପର୍ଯ୍ୟନ୍ତ ଭାଗ୍ୟ ଝୁଲାଇବାକୁ ଜର୍ମାନି ଏବଂ ନେଦରଲାଣ୍ଡ୍ ନିଶ୍ଚିତ ଚାହିଁବେ ନାହିଁ। ନେଦରଲାଣ୍ଡର ଜେରୋନ୍‌ ହାର୍ଟବର୍ଜରଙ୍କ ପାଇଁ ଗୋଲ୍‌ ସ୍କୋରର୍‌ଙ୍କ ତାଲିକାରେ ଶୀର୍ଷକୁ ଉଠିବାର ସମ୍ଭାବନା ରହିଛି। ଆର୍ଜେଣ୍ଟିନାର ଅଗଷ୍ଟିନ୍ ମାଜିଲି ଏବଂ ଭାରତର ସିମ୍ରନଜିତ୍ ସିଂହଙ୍କ ସହ ଏବେ ସେ ମିଳିତ ଶୀର୍ଷରେ ଅଛନ୍ତି। ବିଶ୍ବକପ୍ ଇତିହାସରେ ୩ ଥର ବିଜେତା ନେଦରଲାଣ୍ଡ୍‌ ମୋଟ ୯୪ ମ୍ୟାଚ୍ ଖେଳି ୬୦ ଜିତିଥିବା ବେଳେ ଜର୍ମାନି ୪୪ ଖେଳି ୨୮ ଜିତିଛି। ଯାହାକି ବିଜୟ ପ୍ରତିଶତରେ ବିଶେଷ ଫରକ ରଖିନାହିଁ। ସେହିଭଳି ପାକିସ୍ତାନ ୮୬ ଖେଳି ୫୩ ଏବଂ ମାଲେସିଆ ୫୨ ଖେଳି ୧୨ ଜିତିଛି। ପ୍ରତିଶତରେ ମାଲେସିଆ ବହୁ ପଛରେ ପଡ଼ିଥିଲେ ମଧ୍ୟ ବର୍ତମାନର ପ୍ରଦର୍ଶନ ଦୃଷ୍ଟିରୁ ଉଭୟ ଦେଶ ମଧ୍ୟ ସମତୁଲ ସ୍ଥିତିରେ ରହିଛନ୍ତି। ତେଣୁ ବୁଧବାରର ଏହି ଦୁଇ ଅନ୍ତଃମହାଦେଶୀୟ ଲଢ଼େଇ କଳିଙ୍ଗ ପ୍ରଶଂସକଙ୍କ ପାଇଁ ମନୋରଂଜନର ଖୋରାକ ଯୋଗାଇବ ବୋଲି ପ୍ରତିଶ୍ରୁତି ରଖୁଛି।

ସମ୍ବନ୍ଧିତ ଖବର