କୋହଲି-ବଦ୍ରିନାଥଙ୍କ ମଧ୍ୟରୁ ଜଣଙ୍କୁ ବାଛି ପଦ ହରାଇଥିଲେ ଭେଙ୍ଗସରକାର

ନୂଆଦିଲ୍ଲୀ : ୨୦୦୮ ମସିହାରେ ଯେତେବେଳେ ଦିଲ୍ଲୀପ ଭେଙ୍ଗସରକାର ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଥିଲେ, ସେତେବେଳେ ବିରାଟ କୋହଲି ଓ ଏସ୍‌. ବଦ୍ରିନାଥଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ନେଇ ଅଡୁଆରେ ପଡିଥିଲେ। ଏପରିକି ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯିବା ପଛର କାରଣ ମଧ୍ୟ ଏହି ଘଟଣା ପଛରେ ଲୁଚି ରହିଥିବା ଜଣାପଡ଼ିଛି। ଗୋଟିଏ ପଟରେ ବଦ୍ରିନାଥ ସେତେବେଳେ ଆଇପିଏଲ୍‌ରେ‌ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ)ର ପ୍ରମୁଖ ଖେଳାଳି ରହିବା ସହ ତାମିଲନାଡୁ ପାଇଁ ୮୦୦ ରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପଟରେ କୋହଲିଙ୍କ ନେତୃତ୍ବରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍‌ରେ ବିଜେତା ହୋଇଥିବାରୁ ସେ ସାରା ବିଶ୍ବରେ ଚର୍ଚ୍ଚିତ ଥିଲେ। ତେଣୁ ଏମାନଙ୍କ ମଧ୍ୟରୁ ବରିଷ୍ଠ ଦଳ ଭବିଷ୍ୟତ ଭାବେ କାହାକୁ ନିଆଯିବ ତା’କୁ ନେଇ ଚୟନ ସମିତିରେ ଏକାଧିକ ଆଲୋଚନା ହୋଇଥଲା। କିନ୍ତୁ ଭେଙ୍ଗସରକାର ଅଷ୍ଟ୍ରେଲିଆରେ କୋହଲିଙ୍କ ଏକାଧିକ ମ୍ୟାଚ୍‌ ଦେଖିଥିବାରୁ ସେ ଏହି ଦିଲ୍ଲୀ ବ୍ୟାଟର୍‌ଙ୍କୁ ଦଳରେ ସାମିଲ କରିଥିଲେ। ଯଦିଓ ଏଥିପାଇଁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କୁ ବିରୋଧ କରିଥିଲେ ଓ ବିସିସିଆଇ ସଭାପତି ଏନ୍‌ ଶ୍ରୀନିବାସନଙ୍କଠୁ କଟୁ କଥା ଶୁଣିବାକୁ ପଡିଥିଲା। ତଥାପି ନିଜ ନିଷ୍ପତ୍ତିରେ ଅଟଳ ଥିବାରୁ ସେ ଯାହା କରିଯାଇଥିଲେ, ପରବର୍ତ୍ତୀ ସମୟରେ ସେସବୁ ଇତିହାସ ହୋଇ ରହିଯାଇଥିବା ସମ୍ପୃକ୍ତ ଚୟନ ସମିତିର ଜଣେ ସଦସ୍ୟ କହିଛନ୍ତି।

ଉକ୍ତ ସଦସ୍ୟଙ୍କ ଅନୁସାରେ, ବଦ୍ରିନାଥ ତାମିଲନାଡୁର ଖେଳାଳି ହୋଇଥିଲା ବେଳେ ଶ୍ରୀନିବାସନ୍‌ଙ୍କ ଦଳ ସିଏସ୍‌କେ ପକ୍ଷରୁ ଖେଳୁଥିଲେ। ଯେତେବେଳେ ବଦ୍ରିନାଥଙ୍କ ଅପେକ୍ଷା କୋହଲିଙ୍କୁ ବଛାଯାଇଥିଲା, ସେତେବେଳେ ଶ୍ରୀନିବାସନ୍‌ ଅସନ୍ତୁଷ୍ଟ ଥିଲେ। ଭୀଷଣ ରାଗିଯାଇ ବଦ୍ରିନାଥଙ୍କୁ କାହିଁକି ଚୟନ କରାଗଲାନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଭେଙ୍ଗସରକାର କହିଥିଲେ ଯେ, ସେ ଭାରତର ଇମର୍ଜିଂ ମ୍ୟାଚ୍‌ ଦେଖିବାକୁ ଅଷ୍ଟ୍ରେଲିଆ ଯାଇଥିଲେ ଓ ସେଠାରେ କୋହଲିଙ୍କ ଖେଳ ଦେଖି ପ୍ରଭାବିତ ହୋଇଥିଲେ। ତେଣୁ ତାଙ୍କୁ ଚୟନ କରାଯାଇଥିବା ନେଇ ସେ ପ୍ରତିକ୍ରିୟା ରଖିଥିଲେ। ଏହାପରେ ତାମିଲନାଡୁ ପାଇଁ ବଦ୍ରିନାଥ ୮୦୦ ରନ୍‌ ସଂଗ୍ରହ କରିଥିବା ଶ୍ରୀନିବାସନ୍‌ କାରଣ ଦର୍ଶାଇଥିଲେ ବି ଭେଙ୍ଗସରକାର ତାଙ୍କୁ ଏକ ସୁଯୋଗ ଦେବେ ବୋଲି କହିଥିଲେ। କିନ୍ତୁ ଶ୍ରୀନିବାସ ପୁଣି ରାଗି ଯାଇ କେବେ ତାଙ୍କୁ ୨୯ ବର୍ଷ ବୟସ ହୋଇଗଲାଣି, ଆଉ କେବେ ସୁ‌ଯୋଗ ମିଳିବ ବୋଲି ପଚାରିଥିଲେ।  ଯେତେବେଳେ ସମୟ ଆସିବ ସେତେବେଳେ ସୁଯୋଗ ମିଳିବ ବୋଲି ଭେଙ୍ଗସରକାର ଜବାବ ଦେବାରୁ ପରବର୍ତ୍ତୀ ସମୟରେ ଶ୍ରୀକାନ୍ତଙ୍କୁ ଚୟନ ସମିତି ଅଧ୍ୟକ୍ଷ କରାଯାଇ ତାଙ୍କୁ ବାଦ ଦିଆଯାଇଥିଲା। ଏହିଠାରେ ତାଙ୍କ ଚୟନକର୍ତ୍ତା କ୍ୟାରିୟର ଶେଷ ହୋଇଯାଇଥିଲା। ଏହି ଖବର ସୋସିଆଲ୍‌ ମିଡିଆରେ ପୋଷ୍ଟ ହେବା ପରେ ପ୍ରଶଂସକମାନେ ଭେଙ୍ଗସରକାରଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ତାଙ୍କୁ ପୁଣି ଥରେ ଚୟନକର୍ତ୍ତା କରାଯାଉ ବୋଲି ଅନେକ ଦାବି କରିଛନ୍ତି। ତାଙ୍କ ଯୋଗୁଁ ଭାରତ ଜଣେ ତାରକା ଖେଳାଳିଙ୍କୁ ପାଇଲା ବୋଲି କେତେକ ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର