ବାଇକ୍‌କୁ ଧକ୍କା ଦେଇ ଓଲଟିଲା ଗଣନାଟ୍ୟ ଟ୍ରକ୍‌ : ଦୁଇ ବାଇକ୍‌ ଆରୋହୀ, ୧୩ କଳାକାର ଆହତ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ବାଇକ୍‌କୁ ଧକ୍କା ଦେଇ ଗଣନାଟ୍ୟ କଳାକାରଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇଜଣ ବାଇକ୍‌ ଆରୋହୀ ଓ ଟ୍ରକ୍‌ରେ ଥିବା ୧୩ଜଣ କଳାକାର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୭ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଆଜି ଅପରାହ୍ନ ୩ଟାରେ କେନ୍ଦ୍ରାପଡ଼ାରୁ ଯାତ୍ରା ସାରି ସାବିତ୍ରୀ ଗଣନାଟ୍ୟର କଳାକାରମାନେ ଏକ ଟ୍ରକ୍‌ରେ (ଓଆର-୧୧-୯୨୮୧) ସମ୍ବଲପୁର ଫେରୁଥିଲେ। ବାରବାଟୀ ପୋଖରୀ ନିକଟରେ ବାଇକ୍‌ରେ ଯାଉଥିବା କନ୍ତୋଲ ଗ୍ରାମର ୨ଜଣ ଯୁବକଙ୍କୁ ଟ୍ରକ୍‌ଟି ଧକ୍କା ଦେବା ପରେ ଜୋର୍‌ରେ ବ୍ରେକ୍ ମାରିଥିଲା। ଫଳରେ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ଯାଇଥିଲା। ଏହି ଦୁର୍ଘଟଣାରେ ଆହତ ଦୁଇଜଣ ବାଇକ୍‌ ଆରୋହୀ ଓ ଟ୍ରକ୍‌ରେ ଥିବା ୧୩ଜଣ କଳାକାରଙ୍କୁ ଦମକଳବାହିନୀ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ବାଇକ୍‌ ଆରୋହୀ କନ୍ତୋଲ ଗ୍ରାମର ବଳରାମ ସାହୁ, ସାବିତ୍ରୀ ଗଣନାଟ୍ୟର ପାରାଦୀପ ଅଞ୍ଚଳର ବାପି ମଲ୍ଲ, ଢେଙ୍କାନାଳର ସୁବାସ ଟୁଡ଼ୁ, ନବରଙ୍ଗପୁରର ମଣ୍ଟୁ ବାତ୍ରା, ଅନୁଗୁଳର ସୁଶାନ୍ତ ନାୟକ, ନବରଙ୍ଗପୁରର ସିଦ୍ଧୁ ବାତ୍ରା, କୋରାପୁଟର ବଲି ବାତ୍ରା ପ୍ରମୁଖ ୭ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ବାଇକ୍‌ଟି ଭାଙ୍ଗିରୁଜି ଯାଇଛି। ଅପରପକ୍ଷରେ ରାସ୍ତା ଉପରେ ଗାଡ଼ି ପଡ଼ି ରହିଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିଥିଲା।

ସମ୍ବନ୍ଧିତ ଖବର