ଆଉ ୧୫ଜଣଙ୍କ ମୃତ୍ୟୁ, ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୯୦୦ ଟପିଲା

ଭୁବନେଶ୍ବର: କରୋନାରେ ପୁଣି ୧୫ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଆଜି ଯେଉଁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ଖୋର୍ଦ୍ଧା ଓ କଟକରୁ ୩ ଜଣ ଲେଖାଏଁ , କେନ୍ଦ୍ରାପଡ଼ାରୁ୨ ଜଣ ଲେଖାଏଁ  ଥିବା ବେଳେ କୋରାପୁଟ, ମାଲକାନଗିରି, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ଜଗତସିଂହପୁର ଓ ବୌଦ୍ଧରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ଖୋର୍ଦ୍ଧାରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୭୪ ଓ ୬୩ ବର୍ଷ ବୟସ୍କ ପୁରୁଷ ଓ ଜଣେ ୪୭ ବର୍ଷ ବୟସ୍କା ମହିଳା ଅଛନ୍ତି। କଟକରୁ ଯେଉଁ ୩ ମୃତକ ଅଛନ୍ତି, ସେମାନଙ୍କ ଭିତରେ ୬୦ ଓ ୭୦ ବର୍ଷ ବୟସ୍କ ପୁରୁଷ ଓ ଜଣେ ୬୦ ବର୍ଷ ବୟସ୍କା ମହିଳା ଅଛନ୍ତି। କୋରାପୁଟ, ସମ୍ବଲପୁର ଓ କେନ୍ଦୁଝରରୁ ଯେଉଁ ଜଣେ ଲେଖାଏଁ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୫୫, ୭୩ ଓ ୬୫ ବର୍ଷ। ଅପରପକ୍ଷରେ ଯେଉଁ ମାଲକାନଗିରି, ଢେଙ୍କାନାଳ, ଜଗତସିଂହପୁର ଓ ବୌଦ୍ଧରୁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି, ସେମାନଙ୍କର ବୟସ ଯଥାକ୍ରମେ ୬୫, ୭୦, ୪୮ ଓ ୭୧ ବର୍ଷ।

ଏବେ ରାଜ୍ୟରେ ମୋଟ୍ ୧,୯୮,୧୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩,୫୫୯ ରହିଛି।

ସମ୍ବନ୍ଧିତ ଖବର