ରାୟଗଡ଼ାରୁ ମିଳିଲା ୨୫୦ବର୍ଷ ତଳର ତମ୍ବାଫଳକ

ଭୁବନେଶ୍ବର: ରାୟଗଡ଼ାରୁ ୨୫୦ବର୍ଷରୁ ଅଧିକ ପୁରୁଣା ଏକ ତମ୍ବାଫଳକ ଉଦ୍ଧାର ହୋଇଛି। ଏହି ଫଳକଟି ସୂର୍ଯ୍ୟଶଙ୍କର ରାଜବଂଶର ମହାରାଜା ରାମଚନ୍ଦ୍ର ଦେବ ଦ୍ବିତୀୟଙ୍କ ସମୟର ବୋଲି କୁହ‌ାଯାଉଛି। ଏଥିରେ ଓଡ଼ିଆ ସମେତ ସଂସ୍କୃତ ଭାଷାରେ ଲେଖା ରହିଛି। ରାୟଗଡ଼ା ଜିଲ୍ଲାରୁ ପୂର୍ବରୁ ଏଭଳି ପୁରାତନ ଶିଳାଲେଖ ଚିହ୍ନଟ ହୋଇଥିଲେ ହେଁ ତମ୍ବାଫଳକ ଚିହ୍ନଟ ହେବା ପ୍ରଥମ।

ରାୟଗଡ଼ା ନିବାସୀ ଏଲ୍‌କେ ଦେବ ଏକ କବାଡ଼ିଆ ଦୋକାନରୁ ଏହି ଫଳକଟି ପାଇଥିଲେ। ପୁରୁଣା ଫଳକକୁ ନେଇ ଉତ୍ସାହ ବଢ଼ିବାରୁ ସେ ଏହାକୁ ଲିପିତତ୍ତ୍ବ ଗବେଷକ ବିଷ୍ଣୁମୋହନ ଅଧିକାରୀଙ୍କୁ ଦେଇଥିଲେ। ଶ୍ରୀ ଅଧିକାରୀ ଏହା ଉପରେ ଗବେଷଣା କରି ପୁରାତନ ସମୟର ରାଜରାଜୁଡ଼ା ସଂପର୍କରେ ଅନେକ ତଥ୍ୟ ସାମ୍ନାକୁ ଆଣିଛନ୍ତି। ଫଳକରୁ ମିଳିଥିବା ତଥ୍ୟ ଅନୁସାରେ, ରାୟଗଡ଼ା ସହରର ଦକ୍ଷିଣ ପଶ୍ଚିମ ଦିଗରେ ଥିବା ସାନ ତଡ଼ମାରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭଗବାନ ରାଧାକାନ୍ତଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଅବଧାନ ବରଣ କରାଯାଇଥିଲା। ଏଥିପାଇଁ ପ୍ରବର୍ତ୍ତକ ବ୍ରାହ୍ମଣ ଶଗୁଡ଼ି ସାହୁଙ୍କୁ ନିରାପଦ ପଲମ(ବିଲ) ୮ ମେଟୁଗା, ୨୧ ଗଣ୍ଡର ଜମିକୁ ସାହୁ ପରିବାରକୁ ଦିଆଯାଇଛି। ଯାହାକି ଆ-ସୂର୍ଯ୍ୟ-ଚନ୍ଦ୍ର- ଭସ୍ମାଙ୍କେ ଭୋଗ ବା ସୂର୍ଯ୍ୟ-ଚନ୍ଦ୍ର ଥିବା ପର୍ଯ୍ୟନ୍ତ ଏହାକୁ ଭୋଗ କରିବେ। ପ୍ଲବଙ୍ଗ ନାମ ସମ୍ବତ୍ସର(ବୃଷ-୨୧, ଜ୍ୟେଷ୍ଠ ଶୁକ୍ଲ ୧୫) ବା ୧୭୮୭ ମସିହା ମେ’ ୩୧ ‌ତାରିଖ ଗୁରୁବାର ବୋଲି ଉଲ୍ଲେଖ ରହିଛି। ନନ୍ଦପୁର ସମସ୍ଥାନର ଓଡ଼ିଆ ରାଜା ରାମଚନ୍ଦ୍ର ଦେବଙ୍କ ସମ୍ମତିକ୍ରମେ ଏହାକୁ ଜାରି କରାଯାଇଛି।

ଶ୍ରୀ ଅଧିକାରୀଙ୍କ କହିବା କଥା, ଦକ୍ଷିଣ ଓଡ଼ିଶାରେ ସାହୁ ସାଙ୍ଗିଆଧାରୀ ବ୍ରାହ୍ମଣ ରହିଛନ୍ତି। ପୂର୍ବରୁ କୌଣସି ମଠ, ମନ୍ଦିର ପ୍ରତିଷ୍ଠା କରାଗଲେ ଅବଧାନ ବରଣ କରାଯାଇଥାଏ। ଏହି ଭିତ୍ତିରେ ଯେଉଁ ଜମି ପ୍ରଦାନ କରାଯାଇଛି ସେଥିପାଇଁ ଏହି ଫଳକ ଜାରି ହୋଇଛି। ତମ୍ବାଫଳକରେ ସଂସ୍କୃତରେ ଲେଖା ଥିବା ବାକ୍ୟ କହୁଛି, ଏହା ଶ୍ରୀରାମଚନ୍ଦ୍ର ମହାରାଜଙ୍କ ସମ୍ମତ। ଯିଏ ଦେଲେ ତାଙ୍କର ଦୁଇ ଗୁଣ ପୁଣ୍ୟ ଓ ଯିଏ ପାଇଲେ ସେ ଏହାକୁ ପାଳନ କରିବେ। ଯିଏ ଦେଇଛନ୍ତି ସେ ଯଦି ପରବର୍ତ୍ତୀ ସମୟରେ ଏହାକୁ ଫେରାଇ ଆଣନ୍ତି ତାହେଲେ ତାଙ୍କର ପୁଣ୍ୟ ନିଷ୍ଫଳ ହେବ। କୋରାପୁଟରୁ ଏଭଳି ପୁରାତନ ତମ୍ବାଫଳକ ଉଦ୍ଧାର ହୋଇଥିଲେ ହେଁ ରାୟଗଡ଼ାରେ ପ୍ରଥମଥର ଲାଗି ଏହା ମିଳିଛି। ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ବ ବିକ୍ରମ ଦେବ ବର୍ମାଙ୍କ ପୂର୍ବପୁରୁଷ ହେଉଛନ୍ତି ସୂର୍ଯ୍ୟଶଙ୍କର ରାଜବଂଶର ମହାରାଜା ରାମଚନ୍ଦ୍ର ଦେବ ବୋଲି ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର