ସୁନା ଦର  ୭୧ ହଜାର ଟପିଲା, ରୁପା କେଜି ~ ୮୮୦୦୦

ନୂଆଦିଲ୍ଲୀ/ଭୁବନେଶ୍ବର: ସୁନା ଓ ରୁପା ଦାମ୍‌ରେ ହେଉଥିବା ବୃଦ୍ଧିର ଧାରା ଜାରି ରହିଥିବା ବେଳେ ପ୍ରତିଦିନ ଏହା ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି। ଜାତୀୟ ସ୍ତରରେ ଆଜି ୧୦ ଗ୍ରାମ ସୁନା ଦାମ୍‌ ୩୫୦ ଟଙ୍କା ବୃଦ୍ଧି ପାଇ ୭୧,୭୦୦ ଟଙ୍କା ହୋଇଛି। ନୂଆବର୍ଷ ଆରମ୍ଭରୁ ସୁନା ଦାମ୍‌ରେ ୭,୭୦୦ ଟଙ୍କାର ବୃଦ୍ଧି ଘଟିସାରିଲାଣି। କେବଳ ସୁନା ନୁହେଁ, ରୁପା ବି ମହଙ୍ଗା ହେଉଛି। ରୁପାର ମୂଲ୍ୟ କେଜି ପିଛା ୮୦୦ ଟଙ୍କା ବୃଦ୍ଧି ପାଇ ୮୪,୦୦୦ ଟଙ୍କାରେ ପହଞ୍ଚିଛି।

ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ଆଜି ୩୫୦ ଟଙ୍କା ବୃଦ୍ଧି ପାଇ ୬୫,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୩୩୦ ଟଙ୍କା ବୃଦ୍ଧି ପାଇ ୭୧,୬୨୦ ଟଙ୍କା ହୋଇଛି। ରୁପାର ଦାମ୍ କେଜି ପିଛା ୮୮ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଆରମ୍ଭରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍‌ରେ ୭,୧୦୦ ଟଙ୍କା, ୨୪ କ୍ୟାରେଟ୍‌ ସୁନା ଦାମ୍‌ରେ ୭,୭୫୦ ଟଙ୍କା ଏବଂ ରୁପା ଦାମ୍‌ରେ ୮୦୦୦ ଟଙ୍କାର ବୃଦ୍ଧି ହେଲାଣି। ଜାନୁଆରି ୧ରେ ୨୨ କ୍ୟାରେଟ୍ ସୁନା ଦାମ୍ ୫୮,୫୫୦ ଟଙ୍କା, ୨୪ କ୍ୟାରେଟ୍ ସୁନା ଦାମ୍ ୬୩,୮୭୦ ଟଙ୍କା ଏବଂ ରୁପା କେଜି ଦାମ୍ ୮୦,୦୦୦ ଟଙ୍କା ଥିଲା। ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେଉଥିବାରୁ ସ୍ଥାନୀୟ ବଜାରରେ ତାହାର ପ୍ରଭାବ ଦେଖିବାକୁ ମିଳୁଛି। ସୁନାର ଆଉନ୍ସ ପିଛା ଦାମ୍ ୨୩୫୦ ଡଲାର ହୋଇଥିବା ବେଳେ ରୁପା ଆଉନ୍ସ ପିଛା ଦାମ୍ ୨୭.୮୦ ଡଲାର।

କେଉଁ କାରଣ ଲାଗି ସୁନା ଦାମ୍‌ ବଢ଼ୁଛି ତାହାର କୌଣସି ନିର୍ଦ୍ଦିଷ୍ଟ କାରଣ ନାହିଁ। ବିଶେଷଜ୍ଞମାନଙ୍କ ମତରେ ସୁନା ଦର ନିର୍ଧାରଣ କରିବାରେ ଆମେରିକାର ବଡ଼ ଭୂମିକା ରହିଛି। ସାଧାରଣତଃ ସୁଧ ହାର କମ୍ ଥିବା ବେଳେ ସୁନା ଦାମ୍ ବଢ଼ିଥାଏ। କିନ୍ତୁ ଏଥର ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୁନା ମହଙ୍ଗା ହେବାର ଅନ୍ୟ ଏକ କାରଣ ହେଉଛି ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବିପୁଳ ପରିମାଣର ସୁନା କିଣି ଭଣ୍ଡାରରେ ରଖୁଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଆଗକୁ ଡଲାର ମହଙ୍ଗା ହେବାର ଆଶଙ୍କା ରହିଛି। ଚୀନ୍ ମଧ୍ୟ ବିପୁଳ ପରିମାଣର ସୁନା କିଣୁଛି। ମ୍ୟୁଚୁଆଲ୍ ଫଣ୍ଡ୍‌, ପେନ୍‌ସନ୍ ଫଣ୍ଡ୍‌ଗୁଡ଼ିକ ମଧ୍ୟ ସେମାନଙ୍କ ନିବେଶ ପୋର୍ଟଫୋଲିଓରେ ସୁନାକୁ ସାମିଲ କରିବା ଆରମ୍ଭ କରିଛନ୍ତି। ଇସ୍ରାଏଲ୍-ହମାସ ଏବଂ ୟୁକ୍ରେନ-ରୁଷ ଯୁଦ୍ଧକୁ ଯଦିଓ ସୁନା ଦରବୃଦ୍ଧି ପାଇ ଦାୟୀ କରାଯାଉଛି, କିନ୍ତୁ ଏହି ଦୁଇ ଯୁଦ୍ଧ ବହୁଦିନ ତଳୁ ଆରମ୍ଭ ହୋଇଛି। ତେଣୁ ତାହାର ପ୍ରଭାବରେ ଯେ ସୁନା ମହଙ୍ଗା ହେଉଛି ତାହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର