କୋରାପୁଟ : ହାଲ୍‌ରେ ନିଆଁ ଲାଗି ୩ ଫାୟାରମ୍ୟାନ୍‌ ଆହତ

କୋରାପୁଟ : ସୁନାବେଡ଼ା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(ହାଲ)ରେ ପୁଣି ଅଘଟଣ। ଆଜି ଟେଷ୍ଟିଂ ହାଉସରେ ବିମାନ ଇଞ୍ଜିନର ପରୀକ୍ଷା କରାଯିବା ସମୟରେ ନିଆଁ ଲିଭାଇବାକୁ ଯାଇଥିବା ଫାୟାରମ୍ୟାନଙ୍କ ଦେହରେ ନିଆଁ ଲାଗି ଯାଇଛି। ଏଥିରେ ୩ ଜଣ ଫାୟା‌ରମ୍ୟାନ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ସନ୍ତୋଷ କୁମାର ଖଣ୍ଡୁଆଳଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ ସୁନାବେଡ଼ା ସ୍ଥିତ ହାଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସୁନାବେଡ଼ାସ୍ଥିତ ମିଗ୍‌ ଓ ସୁଖୋଇ ବିମାନ ଇଞ୍ଜିନ ନିର୍ମାଣ ଓ ମରାମତି କରାଯାଉଥିବା ହାଲର ଟେଷ୍ଟିଂ ହାଉସରେ ଆଜି ବିମାନ ଇଞ୍ଜିନର ପରୀକ୍ଷା କରାଯାଇଥିଲା। ଏହି ସମୟରେ ନିଆଁ ଲାଗିବାର ଆଶଙ୍କା ଥିବାରୁ ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ। କିନ୍ତୁ ନିଆଁ ଲିଭାଇବାକୁ ଯାଇଥିବା ଫାୟାରମ୍ୟାନମାନେ ନିଆଁ ଧାସ‌ରେ ଆହତ ହୋଇଥିଲେ। ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ, ଫାୟାରମ୍ୟାନମାନଙ୍କ ଦେହ, ହାତ ଜଳି ଯାଇଥିଲା। ତେବେ ଟେଷ୍ଟ ହାଉସରେ ଇଞ୍ଜିନ ଟେଷ୍ଟିଂ ପରେ ଉଚ୍ଚ ମାତ୍ରାର ତାପ ନିର୍ଗତ ହେବା ଓ ତାକୁ କମ୍ପାନିର ଅଗ୍ନିଶମ ବିଭାଗ ଦ୍ୱାରା ନିର୍ବାପିତ କରିବା ଏକ ନିରନ୍ତର ପ୍ରକ୍ରିୟା ବୋଲି ହାଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର