ସଂସଦରେ ମହାରାଷ୍ଟ୍ର ତାତି, ଉଭୟ ଗୃହରେ ହଟ୍ଟଗୋଳ

ସଂସଦ ଭବନ ପରିସରରେ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ଗଠନ ପ୍ରସଙ୍ଗରେ ବିଜେପିକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ସଂସଦ ଭବନ ପରିସରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂସଦର ଉଭୟ ଗୃହରେ କଂଗ୍ରେସ ସାଂସଦମାନେ ପ୍ରବଳ ପ୍ରତିବାଦ କରିଛନ୍ତି। ସଂସଦ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ହୋଇଥିବା ବିକ୍ଷୋଭର ନେତୃତ୍ବ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ନେଇଥିଲେ। ମହାରାଷ୍ଟ୍ର ରାଜନୀତିରେ ହୋଇଥିବା ରାତିଅଧିଆ ଓଲଟପାଲଟ ଏବଂ ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିବା ପ୍ରସଙ୍ଗକୁ କଂଗ୍ରେସ ପକ୍ଷରୁ ‘ଗଣତନ୍ତ୍ରର ହତ୍ୟା’ ବୋଲି କୁହାଯାଇଛି। ଅହମଦ ପଟେଲ୍‌, ଆନନ୍ଦ ଶର୍ମା, ଅଧୀର ରଂଜନ ଚୌଧୁରୀ ଏବଂ ଶଶି ଥରୁର୍‌ଙ୍କ ପରି ବରିଷ୍ଠ ନେତାମାନେ ଆଜି ବିଜେପିକୁ କଡ଼ା ସମାଲୋଚନା କରିବା ସହ ହାତରେ ପ୍ଲାକାର୍ଡ ଧରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଛନ୍ତି। ନ୍ୟାୟ ଦାବିରେ ପ୍ରବଳ ପ୍ରତିବାଦ କରାଯାଇଛି। ଲୋକସଭା‌ରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ସେ ପ୍ରଶ୍ନ ପଚାରିବାକୁ ଆସିଥିଲେ। କିନ୍ତୁ ମହାରାଷ୍ଟ୍ରରେ ଗଣତନ୍ତ୍ରର ହତ୍ୟା ହୋଇଥିବାରୁ ସେ କୌଣସି ପ୍ରଶ୍ନ କରିବେ ନାହିଁ ବୋଲି ବାଚସ୍ପତିକୁ କହିଥିଲେ।

ମହାରାଷ୍ଟ୍ର ସରକାର ଗଠନ ପ୍ରସଙ୍ଗଙ୍କୁ ନେଇ ହୋହାଲ୍ଲା ଜାରି ରହିବାରୁ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ କଂଗ୍ରେସ ନେତାମାନେ ହାତରେ ପ୍ଲାକାର୍ଡ ଧରି ଲୋକସଭାର ମଧ୍ୟଭାଗକୁ ଯାଇ ବିଜେପି ବିରୋଧରେ ସ୍ଲୋଗାନ୍‌‌ ଦେଇ ଗର୍ଜିଥିଲେ। ପ୍ରଶ୍ନକାଳ‌ରେ କଂଗ୍ରେସ ନେତାମାନେ ପ୍ରବଳ ପ୍ରତିବାଦ କରିଥିଲେ। ଫଳରେ ଗୃହ ମୁଲତବୀ ରହିଥିଲା। ପ୍ରଥମେ ଲୋକସଭା ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିବାବେଳେ ରାଜ୍ୟସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା। ‘ଷ୍ଟପ୍‌ ମର୍ଡର ଅଫ୍‌ ଡେମୋକ୍ରାସି’ ବ୍ୟାନର ଧରି କଂଗ୍ରେସ ନେତାମାନେ ଆଜି ଉଭୟ ଗୃହରେ ପ୍ରତିବାଦ କରିଛନ୍ତି। କଂଗ୍ରେସର ଏଭଳି ଆଚରଣରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। କଂଗ୍ରେସ ନେତାଙ୍କ ଏଭଳି ବ୍ୟବହାର ଖୁବ୍‌ ଦୁଃଖ ଦେଇଛି ଏବଂ ଏହା ଅଗ୍ରହଣୀୟ ବୋଲି ବାଚସ୍ପତି କହିଛନ୍ତି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ କଂଗ୍ରେସ ସାଂସଦ ହିବି ଏଡ଼େନ୍‌ ଏବଂ ଟି ଏନ୍‌ ପ୍ରଥାପନ ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ ହୋଇପାରନ୍ତି। ଏନେଇ ବିଚାରବିମର୍ଷ ହେଉଛି ବୋଲି କୁହାଯାଉଛି। ତେବେ କଂଗ୍ରେସ ପକ୍ଷରୁ ଦାବି ହୋଇଛି ଯେ ଏହାର ଦୁଇ ଜଣ ମହିଳା ଲୋକସଭା ସାଂସଦ ରେମ୍ୟା ହରିଦାସ ଏବଂ ଜ୍ୟୋତିମଣିଙ୍କୁ ମାର୍ସାଲ୍‌ଙ୍କ ଦ୍ବାରା ଠେଲାପେଲା କରାଯାଇଛି।

ସମ୍ବନ୍ଧିତ ଖବର