୪ ବିଧାନସଭା ପାଇଁ ହଜାରେ କୋଟିରୁ ଅଧିକ

ଲୋକସଭା ନିର୍ବାଚନ ସହିତ ଦେଶର ୪ଟି ରାଜ୍ୟର ବିଧାନସଭା ଆସନ ପାଇଁ ନିିର୍ବାଚନ ଏବଂ ୮ଟି ରାଜ୍ୟର ୨୬ଟି ବିଧାନସଭା ଆସନ ପାଇଁ ସଂପ୍ରତି ଉପ ନିର୍ବାଚନ ଚାଲିଛି। ବିଧାନସଭା ପାଇଁ ନିର୍ବାଚନ ହେଉଥିବା ରାଜ୍ୟଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ ଏବଂ ସିକିମ୍‌। ‌ଓଡ଼ିଶାର ୧୪୭ଟି, ଆନ୍ଧ୍ରପ୍ରଦେଶରେ ୧୭୫ଟି, ଅରୁଣାଚଳପ୍ରଦେଶରେ ୬୦ଟି ଏବଂ ସିକିମରେ ୩୨ଟି ଆସନ ପାଇଁ ମତଦାନ ହେଉଛି। ଓଡ଼ିଶାରେ ମେ ୧୩ ତାରିଖରୁ ମତଦାନ ଆରମ୍ଭ ହେଉଛି। ୪ଟି ପର୍ଯ୍ୟାୟରେ ଓଡ଼ିଶା ମତ‌ଦାନ ହେବା ସହିତ ଜୁନ ୪ ତାରିଖରେ ଲୋକସଭା ଓ ଅନ୍ୟ ରାଜ୍ୟର ବିଧାନସଭା ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଉପନିର୍ବାଚନ ଫଳ ମଧ୍ୟ ସେହିଦିନ ଘୋଷଣା ହେବ।

୪ଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଯଥାକ୍ରମେ ୯୫ ଲକ୍ଷ ଏବଂ ୪୦ ଲକ୍ଷ ରହିଛି। କିନ୍ତୁ ଅରୁଣାଚଳପ୍ରଦେଶ ଏବଂ ସିକିମ୍‌ରେ ଏହି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଯଥାକ୍ରମେ ୭୫ ଲକ୍ଷ ଏବଂ ୨୮ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରାଯାଇଛି। ଯଦି ଅତିକମ୍‌ରେ ଗୋଟିଏ ଆସନରେ ୫ ଜଣ ଲେଖାଏଁ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବିଚାର କରାଯାଏ ତାହେଲେ ଧାର୍ଯ୍ୟ ଖର୍ଚ୍ଚ ସୀମା ଅନୁଯାୟୀ ଓଡ଼ିଶାରେ ୧୪୭ ଆସନ ପାଇଁ ମୋଟ ଖର୍ଚ୍ଚ ୪୦ ଲକ୍ଷ ଲେଖାଏଁ ହିସାବରେ ୨୯୪ କୋଟି ଟଙ୍କା ରହିବ। ସେହିଭଳି ଆନ୍ଧ୍ରପ୍ରଦେଶର ୧୭୫ ଆସନ ପାଇଁ ୩୫୦ କୋଟି ଟଙ୍କା ରହିବ।

ସେହିଭଳି ସିକିମ ଏବଂ ଅରୁଣାଚଳ ପ୍ରଦେଶ ପାଇଁ ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରାଯାଇଥିବାରୁ ଅରୁଣାଚଳ ପ୍ରଦେଶରେ ୮୪ କୋଟି ଏବଂ ସିକିମରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ଉକ୍ତ ଚାରିଟି ରାଜ୍ୟର ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚକୁ ଦେଖିଲେ ଏହା ନିର୍ବାଚନ କମିସନଙ୍କ ଧାର୍ଯ୍ୟ ସୀମା ଏବଂ ଆନୁମାନିକ ୫ ଜଣ ଲେଖାଏଁ ପ୍ରାର୍ଥୀଙ୍କ ବିଚାରକୁ ନେଲେ ଏହି ଖର୍ଚ୍ଚରାଶି ୭୭୩ କୋଟି ଟଙ୍କା ରହିବ। କିନ୍ତୁ ପ୍ରାର୍ଥୀଙ୍କ ସଂଖ୍ୟା ଏବଂ ବ୍ୟୟକୁ ଦେଖିଲେ ବାସ୍ତବ ଖର୍ଚ୍ଚ ହଜାରେ କୋଟିରୁ ଅଧିକ ରହିବ ଏଥିରେ କୌଣସି ସନ୍ଦେହ ନାହିଁ।ହିମାଚଳପ୍ରଦେଶରେ ୬ଟି, ଗୁଜରାଟରେ ୫ଟି, ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗରେ ୨ଟି, ବିହାର, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ତ୍ରିପୁରା, ତେଲେଙ୍ଗାନା, ରାଜସ୍ଥାନ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେଉଛି।

ସମ୍ବନ୍ଧିତ ଖବର