ଜୟପୁରରେ ପରିତ୍ୟକ୍ତ କୋଠା ଭୁଷିଡିବା ଘଟଣା : ୪ ଗୁରୁତର ଅବସ୍ଥାରେ ଉଦ୍ଧାର, ଅନ୍ୟ ଜଣେ ନାବାଳକକୁ ଉଦ୍ଧାର ପାଇଁ ପ୍ରୟାସ ଜାରି

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ବାରିଣିପୁଟ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ କୋଠାର ଛାତ ଭୁଶୁଡି ପଡିବା ଫଳରେ ଛାତ ତଳେ ପାଞ୍ଚଜଣ ଚାପି ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକ ଛାତ ତଳେ ଫଶି ରହିଥିବା ଜଣାପଡିଛି। ଫଶି ରହିଥିବା ନାବଳକ ଜଣଙ୍କୁ ଉଦ୍ଧାର କରିବା ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସମେତ ଓଡ୍ରାଫ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି। ଏଥିସହିତ ଗୁରୁତର ଭାବେ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ୪ ଜଣଙ୍କୁ ପ୍ରଥମେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ନିତୁ ଖରା, ରଶ୍ମିତା ଖରା, ନିତୁ ବାଘ, ଆସେର ଖରା, ଦର୍ଜାମଣୀ ବାଘ ଏକ ପରିତ୍ୟକ୍ତ ଘରୁ ଇଟା ବାହା କରୁଥିଲେ। ଇଟା ବାହାର କରୁଥିବା ସମୟରେ ହଠାତ ଛାତଟି ଗଳି ପଡିଥିଲା। ଘଟଣାସ୍ଥଳରେ ୫ଜଣ ତଳେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ପୁଲିସ, ଓଡ୍ରାଫ ଟିମ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନାବାଳକ ଫସି ରହିଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର