ଅଣଆଦିବାସୀ ପ୍ରାର୍ଥିତ୍ବକୁ ନେଇ କନ୍ଧମାଳରେ ଝଡ଼: କୁଇ ସମାଜର ୧୬ରେ ବନ୍ଦ ଡାକରା

ଫୁଲବାଣୀ: ଚଳିତ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଦିବାସୀଙ୍କ ନିମନ୍ତେ ସଂରକ୍ଷିତ ବିଧାନସଭା ଆସନଗୁଡ଼ିକରେ ଅଣଆଦିବାସୀ ପ୍ରାର୍ଥୀ ଘୋଷଣା କରାଯାଇଥିବା କୁଇ ସମାଜ ସେବା ସମିତି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆସନ୍ତା ୧୬ ତାରିଖରେ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଆଜି ଫୁଲବାଣୀସ୍ଥିତ ‘କୁଇ ସମାଜ ସେବା ସମିତି’ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁଇ ସମାଜ ନେତାମାନେ ଏହି ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଫୁଲବାଣୀ ବିଧାନସଭା ପାଇଁ କଂଗ୍ରେସ ପ୍ରତିଭା କହଁରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସମାଜର ଅଭିଯୋଗ ହେଲା, ପ୍ରତିଭା ଜଣେ ଅଣଆଦିବାସୀଙ୍କୁ ବିବାହ କରିଥିବାରୁ ପ୍ରତିଭାଙ୍କୁ କୁଇ ସମାଜ ଜଣେ କନ୍ଧ ଆଦିବାସୀ ଭାବେ ଗ୍ରହଣ କରୁନାହିଁ। ଏଣୁ ସେ ପ୍ରାର୍ଥୀ ହୋଇ ପାରିବେ ନାହିଁ। ଅନ୍ୟପ‌ଟେ, ବାଲିଗୁଡ଼ା ବିଧାନସଭା ପାଇଁ ବିଜେପି କଳ୍ପନା କହଁରଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅନୁରୂପ ଭାବେ କଳ୍ପନା ଜଣେ ଅଣ ଆଦିବାସୀଙ୍କୁ ବିବାହ କରିଥିବାରୁ ତାଙ୍କୁ ମଧ୍ୟ କୁଇ ସମାଜ ଆଦିବାସୀର ମାନ୍ୟତା ଦେଉନାହିଁ। ସେହିଭଳି ବାଲିଗୁଡ଼ା ବିଧାନସଭା ପାଇଁ କଂଗ୍ରେସ ସୁରଦା ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ସୁରଦା ମଧ୍ୟ ଜଣେ ଅଣଆଦିବାସୀ ବୋଲି କୁଇ ସମାଜ ସେବା ସମିତି ଅଭିଯୋଗ ଆଣିଛି।

ଏହି ପ୍ରାର୍ଥୀମାନଙ୍କୁ ତୁରନ୍ତ ପ୍ରତ୍ୟାହାର କରି ନେବାକୁ କୁଇ ସମାଜ ସେବା ସମିତି ସମ୍ପୃକ୍ତ ରାଜନୈତିକ ଦଳର ଉଚ୍ଚ ନେତୃମଣ୍ଡଳୀଙ୍କ ନିକଟରେ ଦାବି କରିଛି। ଯଦି ଏହି ପ୍ରାର୍ଥୀମାନଙ୍କ ପ୍ରାର୍ଥୀତ୍ବକୁ ପ୍ରତ୍ୟାହାର କରା ନଯାଏ ତେବେ ଏହା ବିରୋଧରେ ଚଳିତ ମାସ ୧୬ ତାରିଖରେ ୧୨ ଘଣ୍ଟିଆ କନ୍ଧମାଳ ଜିଲ୍ଲା ବନ୍ଦ କରାଯିବାକୁ କୁଇ ସମାଜ ସେବା ସମିତି ଆହ୍ବାନ ଦେଇଛି। କିଛି ରାଜନୈତିକ ଦଳ ଜାଣିଶୁଣି ଆଦିବାସୀ ସ୍ବାର୍ଥ ପରିପନ୍ଥୀ, ଆଦିବାସୀ ସାମାଜିକ ବ୍ୟବସ୍ଥା ଓ ନୀତିନିୟମକୁ ଅମାନ୍ୟ କରିଥିବା ବ୍ୟକ୍ତି ଏବଂ ନକଲି ଆଦିବାସୀ ପ୍ରମାଣପତ୍ର ହାସଲ କରିଥିବା ବ୍ୟକ୍ତିଙ୍କୁ ଟିକଟ ପ୍ରଦାନ କରି ଆଦିବାସୀ ସମାଜକୁ ଉପହାସ କରିଛନ୍ତି ବୋଲି ଫୁଲବାଣୀ କୁଇ ସମାଜ ସେବା ସମିତିର ସମ୍ପାଦକ ଅବନୀ କୁମାର କହଁର ପ୍ରକାଶ କରିଛନ୍ତି।

ସେହିଭଳି କନ୍ଧମାଳ ଲୋକସଭା ଆସନରେ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ଯେକୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉ। କିନ୍ତୁ ବାହାର ଲୋକଙ୍କୁ ପ୍ରାର୍ଥୀ କରା ନ ଯାଉ ବୋଲି ସମିତି ଦାବି କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ‘କୁଇ ସମାଜ ଯୁବ ପରିଷଦ’ର ସମ୍ପାଦକ ଅଚ୍ୟୁତ ଜାନି, କୁଇ ସମାଜ ସେବା ସମିତିର ଉପସଭାପତି ରମାକାନ୍ତ ମଲିକ, ଫିରିଙ୍ଗିଆ ଶାଖା ସଭାପତି ମୁକୁନ୍ଦ କହଁର, କୁଇ ସମାଜ ସଭାନେତ୍ରୀ ସୌଦାମିନୀ କହଁର, କୁଇ ସମାଜ ସେବା ସମିତିର ଗୋଛାପଡ଼ା ଶାଖା ଉପସଭାପତି ଗୋଲୋକ ବିହାରୀ କହଁର ପ୍ରମୁଖ ଉପସ୍ଥିତ ରହି ଚଳିତ ନିର୍ବାଚନରେ ଅଣଆଦିବାସୀଙ୍କ ପ୍ରାର୍ଥିତ୍ବକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସମ୍ପୃକ୍ତ ଦଳମାନଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

ସମ୍ବନ୍ଧିତ ଖବର