୩ ବର୍ଷରେ ଏସି ବିକ୍ରି ଦୁଇ ଗୁଣା ବଢ଼ିବ: ଓଡ଼ିଶାରେ ୩.୫% ପରିବାରରେ ଏସି

ରାଜ୍ୟରେ ବାର୍ଷିକ ୪ ଲକ୍ଷ ଏସି ବିକ୍ରି ହେବ, ଭୁବନେଶ୍ବରରେ ଡାଇକିନ୍‌ର ସେଣ୍ଟର ଅଫ୍‌ ଏକ୍ସଲେନ୍ସ

ଭୁବନେଶ୍ବର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଶୀତଳତା ଖୋଜୁଥିବା ପରିବାର ଲାଗି ଏୟାର କଣ୍ଡିସନର (ଏସି) ଏବେ ଏକ ବିକଳ୍ପ ନୁହେଁ, ପ୍ରା‌ୟ ଆବଶ୍ୟକତାରେ ପରିଣତ ହୋଇଛି। ବିଶେଷ କରି ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଲାଗି ଏସି ଜରୁରୀ ହୋଇପଡ଼ିଛି। ତଥାପି ଅଧିକାଂଶ ପରିବାର ପାଖରେ ଏସି ନାହିଁ। ରାଜ୍ୟର ୩.୫-୪ ପ୍ରତିଶତ ପରିବାର ପାଖରେ ଏସି ରହିଛି। ଡାଇକିନ୍‌ର ବରିଷ୍ଠ ଉପସଭାପତି ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲଦୀପକ ଭିରମାନିଙ୍କ ସୂଚନା ଅନୁସାରେ ସର୍ବଭାରତୀୟ ସ୍ତରରେ ୭ ପ୍ରତିଶତ ପରିବାର ପାଖରେ ଏସି ଥିବା ବେଳେ ଓଡ଼ିଶାରେ ଏସି ସାନ୍ଦ୍ରତା ଜାତୀୟ ହାରର ପାଖାପାଖି ଅଧା ରହିଛି। ଦେଶରେ ବର୍ଷକୁ ୧ କୋଟି ପାଖାପାଖି ଏସି ବିକ୍ରି ହେଉଥିବା ବେଳେ ସେଥିରୁ ୨ ଲକ୍ଷ ୟୁନିଟ୍‌ ଓଡ଼ିଶାରେ ବିକ୍ରି ହେଉଛି। ଯେହେତୁ ରାଜ୍ୟର କମ୍ ପରିବାର ପାଖରେ ଏସି ରହିଛି, ତେଣୁ ଏଠାରେ ବଜାର ବଢ଼ିବାର ବହୁତ ସମ୍ଭାବନା ରହିଛି। ଆସନ୍ତା ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ବାର୍ଷିକ ୪ ଲକ୍ଷ ଏସି ବିକ୍ରି ହେବ। ପାଞ୍ଚ ବର୍ଷ ପୂର୍ବେ ରାଜ୍ୟରେ ବର୍ଷକୁ ଏକ ଲକ୍ଷ ଏସି ବି ବିକ୍ରି ହେଉନଥିଲା। ମାତ୍ର କିଛି ବର୍ଷ ଭିତରେ ଏହି ବଜାର ବେଶ ତ୍ବରାନ୍ବିତ ହୋଇଛି ବୋଲି ‌ସେ କହିଛନ୍ତି।

ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି ସହ ମିଶି ଓଡ଼ିଶାରେ କମ୍ପାନି ଏକ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ସିଓଇ) ସ୍ଥାପନ କରିଥିବା ସେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏକ ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଦେଶରେ ଏସି ସାନ୍ଦ୍ରତା ୨୦ ପ୍ରତିଶତକୁ ବୃଦ୍ଧି ପାଇବ। ସେହି ସମୟରେ ଓଡ଼ିଶାରେ ମଧ୍ୟ ଏସି ସାନ୍ଦ୍ରତା ୧୫ ପ୍ରତିଶତ ପାଖାପାଖି ବୃଦ୍ଧି ପାଇବ। ରାଜ୍ୟରେ ଡାଇକିନ୍‌ର କାରବାର ପରିମାଣ ୧୫୦ କୋଟି ଟଙ୍କା ପାଖାପାଖି ରହିଛି। ଚଳିତ ବର୍ଷ ତାହା ୫୦ ପ୍ରତିଶତ ବୃଦ୍ଧି ପାଇ ୨୨୦-୨୩୦ କୋଟି ଟଙ୍କାରେ ଏବଂ ତା’ ପରବର୍ତ୍ତୀ ବର୍ଷ ୩୦୦ କୋଟି ଟଙ୍କାରେ ପହଞ୍ଚିବ। ଏହି ଅବସରରେ କମ୍ପାନିର ଶାଖା ପ୍ରବନ୍ଧକ ସତ୍ୟ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର