ଅଙ୍ଗଦାନ କରିଥିବା ସଂଯୁକ୍ତାଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

ହାଟଡିହି: ମୃତ୍ୟୁପରେ ଅଙ୍ଗଦାନ କରି ତିନିଜଣଙ୍କ ଜୀବନ ବଞ୍ଚାଇଥିବା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଢ଼ା ଗ୍ରାମର ସଂଯୁକ୍ତା ପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ସମ୍ପନ୍ନ ହୋଇଛି। ରବୀନ୍ଦ୍ର ଜେନାଙ୍କ ପତ୍ନୀ ସଂଯୁକ୍ତା (୫୦) ଗୋଡ଼ ଖସିଯିବାରୁ ଗାଧୁଆଘରେ ପଡ଼ିଯାଇ ଗୁରୁତର ହୋଇଥିଲେ। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଦୁଇଟି କିଡ୍‌ନି ଓ ଲିଭର ଦାନ କରାଯାଇଥିଲା। ଆଜି ସକାଳ ୧୦ଟା ବେଳେ ସଂଯୁକ୍ତାଙ୍କ ମରଶରୀର ଭୁବନେଶ୍ୱରରୁ ଆସି ସଢ଼ାଛକରେ ପହଞ୍ଚିବା ପରେ ଗାଁର ଶତାଧିକ ଯୁବକ ଏକ ବାଇକ୍‌ ଶୋଭାଯାତ୍ରାରେ ଗାଁମୁଣ୍ଡ ହାଇସ୍କୁଲ ନିକଟ ପଡ଼ିଆକୁ ପାଛୋଟି ନେଇଥିଲେ। ‘ସଂଯୁକ୍ତା ଅପା ଅମର ରହେ’ ଧ୍ୱନିରେ ଗାଁଦାଣ୍ଡ ପ୍ରକମ୍ପିତ ହୋଇଥିଲା।

ଗ୍ରାମବାସୀଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲଳିତ କୁମାର ସୋରେନ, ଅତିରିକ୍ତ ଏସ୍‌ପି  ଏ. କୁଜୁରୁ, ଆନନ୍ଦପୁର ଉପଜିଲ୍ଲାପାଳ ଫାଲଗୁନୀ ମାଝୀ, ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ହାଟଡିହି ତହସିଲଦାର ହାବିଲ ଖାଖା, ସୋସୋ ଥାନା ଅଧିକାରୀ ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ମରଶରୀରକୁ ଗ୍ରାମ ପରିକ୍ରମା କରାଯିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶେଷକୃତ୍ୟ ବେଳେ ଦୁଇଝିଅ, ପୁତୁରା, ସ୍ୱାମୀ, ଦେଡ଼ଶୁର ଓ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର