ଓଡ଼ିଶାର ମନ୍ଥର ଗତି ଓ ଆନ୍ଧ୍ରର ଫାସରେ କୋଟିଆ ଛନ୍ଦି ହୋଇପଡ଼ିଛି: ଗଦାଧର ପରିଡ଼ା

ସୀମା ସୁରକ୍ଷା ଅଭିଯାନରେ କୋଟିଆକୁ ନେଇ ଉଦବେଗ

କୋରାପୁଟ/ପଟାଙ୍ଗି: ଓଡିଶା ସରକାର କୋଟିଆର ଭିତ୍ତିଭୁମିର ବିକାଶ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଲୋକଙ୍କୁ ଆପଣେଇବା ସହ ଭାବଗତ ସମ୍ପର୍କ ରଖିବାରେ ଅବହେଳା କରୁଛନ୍ତି ବୋଲି ଓଡିଶା ନାଗରିକ ମହାମଞ୍ଚ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି କୋଟିଆରେ ପହଞ୍ଚି ଆଜି ଅଭିଯୋଗ କରିଛନ୍ତି । ଓଡିଶାର ଏହି ଉଦାସୀନ ଭାବର ଫାଇଦା ଉଠାଉଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର। ରାଜ୍ୟ ସରକାର ଏଦିଗରେ ଆବଶ୍ୟକ ତ୍ବରିତ ପଦକ୍ଷେପ ନେବାକୁ ଓଡିଶା ନାଗରିକ ମହାମଞ୍ଚ ଦାବି କରିଛି। ଏହା ସହ ସୀମାନ୍ତ ଅଂଚଳ ଲୋକଙ୍କ ପାଇଁ ସ୍ବତନ୍ତ ଯୋଜନା କରିବାକୁ ଦାବି କରିଛନ୍ତି।
ସେହିପରି ଦେଓମାଳି ଯେ ଓଡ଼ିଶାର, ତାହା ସମସ୍ତଙ୍କ ସହିତ ସରକାର ମଧ୍ୟ ଏକ ସ୍ଵରରେ ବୁଝିବା ଦରକାର। ତେଣୁ ଦେଓମାଳି ଓ କୋଟିଆ ସମ୍ପର୍କରେ ଜନ  ସଚେତନତା ସୃଷ୍ଟି କରିବାସହ ଓଡ଼ିଶା ସରକାରଙ୍କୁ ନିଜ ଦାୟିତ୍ୱ ସମ୍ପର୍କରେ ମନେ ପକାଇଦେବା ପାଇଁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲା ଓ  ଭୁବନେଶ୍ୱର ତଥା ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରୁ ଓଡ଼ିଶାକୁ ଭଲ ପାଉଥିବା ବ୍ୟକ୍ତି ଦେଓମାଳି ଓ କୋଟିଆରେ ପହଞ୍ଚି ଜନତାଙ୍କ ସ୍ଵରରେ ସ୍ୱର ମିଲାଇଥିଲେ। ଓଡ଼ିଶାର ମନ୍ଥର ଗତି ଓ ଆନ୍ଧ୍ରର ଲୋଲୁପ ଦୃଷ୍ଟିର ଫାସ ରେକୋଟିଆ ଛନ୍ଦି ହୋଇପଡିଥିବା କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ମତ ରଖିଛନ୍ତି।
ଆନ୍ଧ୍ର ସରକାରଙ୍କ ତତ୍ତ୍ଵାବଧାନରେ କୋଟିଆ ପଞ୍ଚାୟତରେ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଯୋଜନା ଯୋରସୋରରେ ଚାଲିଥିବା ବେଳେ ଓଡ଼ିଶା ସରକାର ନୀରବ ଦ୍ରଷ୍ଟା ସାଜିଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଅଭିଯୋଗ କରିଛନ୍ତି । ଏକ ପାଖେ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାର ଓଡ଼ିଶାର ମାଟିକୁ ନିଜର କରିନେବା ପାଇଁ ତତ୍ପର ହେଉଥିବା ବେଳେ ନାରାୟଣପାଟଣା ଭଳି ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳରେ ବାହାର ରାଜ୍ୟର ଜମି ଦଲାଲଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିବା ବିଶିଷ୍ଟ ଆଦିବାସୀ ନେତା ନାଚିକା ଲିଙ୍ଗା ଜଣାଇଛନ୍ତି । ଆଜି ଜନତାର ସ୍ୱର ଦୃଢ଼ ହୋଇଛି ଓ ସରକାର ମଧ୍ୟ ଏହି ସ୍ୱରକୁ ଗୁରୁତ୍ଵ ଦେଲେ ଓଡ଼ିଶାର ମାଟି ସୁରକ୍ଷା ପାଇପାରିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଆଜି ସକାଳୁ ପ୍ରଥମେ ଦେଓମାଳି ପାହାଡ଼ରୁ ଆରମ୍ଭ ଏ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ କୋଣରୁ ଆସିଥିବା ଓ ଅଭିଭକ୍ତ କୋରାପୁଟ ଜିଲାରୁ ମଧ୍ୟ ଅନେକ ମାଟି ପ୍ରେମୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
ସମ୍ବନ୍ଧିତ ଖବର