ଭଡ଼ାଘରେ ଚାଲିଛି ୫୪୮ ଅଙ୍ଗନବାଡ଼ି କେନ୍ଦ୍ର, ବର୍ଷକୁ ୩୩ ଲକ୍ଷ ଗଣୁଛନ୍ତି ସରକାର

ବାରିପଦା :  ରାଜ୍ୟର ସବୁଠୁ ବଡ଼ ଜିଲ୍ଲା ମୟୂରଭଞ୍ଜରେ ଅଙ୍ଗନବାଡ଼ି କୋଠା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏଥିପାଇଁ ଯେ କେବଳ ଶିଶୁମାନଙ୍କର ଅସୁବିଧା ହେଉଛି ତା ନୁହେଁ, ଜିଲ୍ଲାରେ ୫୪୮ଟି କେନ୍ଦ୍ର ଭଡ଼ାଘରେ ଚାଲୁଥିବା ବେଳେ ଏ ବାବଦରେ ସରକାର ବର୍ଷକୁ ୩୩ ଲକ୍ଷ ଟଙ୍କା ଭଡ଼ା ମଧ୍ୟ ଗଣୁଛନ୍ତି।
ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ଅଙ୍ଗନବାଡ଼ିକୁ ଆଦର୍ଶ କେନ୍ଦ୍ର କରିବା ଲକ୍ଷ୍ୟରେ ନୂଆ କୋଠା ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଥିଲେ। ଏହି ଆଧାରରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୪,୬୨୪ଟି କେନ୍ଦ୍ରର କୋଠା ନିର୍ମାଣ ପାଇଁ ଟଙ୍କା ମଂଜୁର ହୋଇଛି। ସେଥିମଧ୍ୟରୁ ୪,୧୨୪ଟିର କାମ ଶେଷ ହୋଇଛି ବୋଲି କୁହାଯାଇଛି। ପ୍ରକୃତରେ ଅଧିକାଂଶ କେନ୍ଦ୍ରର କୋଠା ନିର୍ମାଣ କାମ ଶେଷ ହୋଇନଥିଲେ ବି କାମ ଶେଷ ହୋଇଥିବାର ପ୍ରଶାସନ ପକ୍ଷରୁ ଦର୍ଶାଯାଉଛି। ବିଭାଗୀୟ ରିପୋର୍ଟ ଓ ୱେବସାଇଟ୍‌ ରିପୋର୍ଟରେ ତାଳମେଳ ରହୁନଥିବାରୁ ଏହା ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ଜିଲ୍ଲାରେ ୩୦୪ଟି ଅଙ୍ଗନବାଡ଼ି କେନ୍ଦ୍ରର କାମ ଚାଲିଛି। ୧୬୯ଟିର ଆଦୌ କାମ ଆରମ୍ଭ ହୋଇନଥିବାବେଳେ ୩୮ଟି କେନ୍ଦ୍ରର ଜାଗା ଚିହ୍ନଟ ହୋଇ ପାରିନାହିଁ। ୪୮ଟି କେନ୍ଦ୍ର ପାଇଁ ଅବଶିଷ୍ଟାଂଶ ଅନୁଦାନ ଆସୁନଥିବାରୁ ସେସବୁ ଅଧପନ୍ତରିଆ ଅବସ୍ଥାରେ ରହିଛି। ଅଙ୍ଗନବାଡ଼ି ଘର ନିର୍ମାଣ ମନ୍ଥର ଗତିରେ ଚାଲିଥିବାରୁ ଏବେ ବି ଜିଲ୍ଲାର ୫୪୮ଟି କେନ୍ଦ୍ର ଭଡ଼ା ଘରେ ଚାଲିଛି। ପ୍ରତି କେନ୍ଦ୍ରକୁ ମାସକୁ ୫୦୦ ଟଙ୍କା ଭଡ଼ା ଦିଆଯାଉଛି। ଏମିତି ଦେଖିଲେ ବର୍ଷକୁ ରାଜ୍ୟ ସରକାର ଏ ବାବଦରେ ୩୩ ଲକ୍ଷ ଟଙ୍କା ଗଣୁଛନ୍ତି।

ଏ ସଂପର୍କରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରାକରଙ୍କୁ ପଚରାଯିବାରୁ ସେ କହିଥିଲେ, କାହିଁକି ମନ୍ଥର ଗତିରେ କାମ ଚାଲିଛି ତାର ଅନୁଧ୍ୟାନ କରାଯିବ।

ସମ୍ବନ୍ଧିତ ଖବର