ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ମିଳିଲା ୪ କୋଟିର ସମ୍ପତ୍ତି

୩ ବହୁତଳ କୋଠା, ୭ ଜମି
ପୁଅ ଚଢ଼ୁଥିଲେ ଦାମୀ ହାର୍ଲି ଡାଭିଡସନ୍, ଡୁକାଟୋ ବାଇକ୍
୪୦ ଲକ୍ଷ ଟଙ୍କାର ସୁନାଗହଣା, ବ୍ୟାଙ୍କ ଜମା, ବୀମା ପଲିସି

ଭୁବନେଶ୍ବର/ଢେଙ୍କାନାଳ/ତାଳଚେର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ଭିଜିଲାନ୍ସ ସୋମବାର ପୂର୍ତ୍ତ ବିଭାଗ ଡିଭିଜନ୍-୪ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘର, ଅଫିସ୍‌ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରିଛି। ଦିନତମାମ୍ ଚଢ଼ଉରେ ୩ଟି କୋଠା, ୭ଟି ଜମି, ୩ ଦାମୀ ବାଇକ୍ ସମେତ ୬ ଗାଡ଼ି, ୪୦ ଲକ୍ଷ ଟଙ୍କାର ସୁନାଗହଣା, ବ୍ୟାଙ୍କ ଜମା ଓ ବୀମା, ନଗଦ ୮୪ ହଜାର ୫ ଶହ ଟଙ୍କା ମିଳିଛି। ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ୫ଜଣ ଡିଏସ୍‌ପି, ୧୧ଜଣ ଇନ୍ସପେକ୍ଟର୍‌ ସାମିଲ ହୋଇଥିବା ବେଳେ ଅମାପ ସମ୍ପତ୍ତି ମିଳିବ ବୋଲି ଆଶା ରଖିଥିଲା ଭିଜିଲାନ୍ସ। କିନ୍ତୁ ସେଭଳି ସନ୍ତୋଷଜନକ ସମ୍ପତ୍ତି ମିଳିପାରିନାହିଁ। ତେବେ ଚଢ଼ଉ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳୁ ଢେଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ପଟିଆ ଶ୍ରୀବିହାରସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ବି/୨୦୨ ନମ୍ବର ଫ୍ଲାଟ୍, ଢେଙ୍କାନାଳ ତାରିଣୀ ନଗରରେ ୪୫୦୦ ବର୍ଗଫୁଟ୍‌ ଜମିରେ ତିନି ମହଲା କୋଠା ଓ ୧୫୦୦ ବର୍ଗଫୁଟ୍‌ ଜମିରେ ୧ ମହଲା କୋଠା, ନନ୍ଦନକାନନ ନିକଟ ରଘୁନାଥନଗରରେ ୩୬୦୦ ବର୍ଗଫୁଟ ଜମିରେ ତିନି ମହଲା କୋଠା ଠାବ କରାଯାଇଛି।

ଶ୍ରୀ ମିଶ୍ର ପୂର୍ବରୁ ଢେଙ୍କାନାଳରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ସହରର ତାରିଣୀନଗରରେ ଥିବା ତାଙ୍କ ୨ମହଲା କୋଠା ଏବଂ ତା ପାଖରେ ଥିବା ଏକ ଆଜ୍‌ବେଷ୍ଟସ୍‌ ଘର ଉପରେ ଆଜି ସକାଳୁ ଭିଜିଲାନ୍ସ ଚଢଉ କରିଥିଲେ। ଶ୍ରୀ ମିଶ୍ରଙ୍କ ପତ୍ନୀ ଭୁବନେଶ୍ବରରୁ ଚାବି ଆଣି ଢେଙ୍କାନାଳରେ ପହଞ୍ଚିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହିପରି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମିଶ୍ରଙ୍କ ତାଳଚେର କାକୁଡ଼ି ଗାଁରେ ଥିବା ପୈତୃକ ବାସଭବନରେ ଆଜି ସକାଳ ୭ଟାବେଳେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଥିଲେ। ମାତ୍ର ସେଠାରେ କୌଣସି ଲୋକ ନଥିବ‌ାରୁ ଏହି ଟିମ୍‌ ଘରର ମୂଲ୍ୟ ନିର୍ଦ୍ଧାରଣ କରି ଫେରିଯାଇଥିଲେ।

ଚଢ଼ଉ ସମୟରେ ତିନି ବହୁତଳ କୋଠା, ଭୁବନେଶ୍ବର ଓ ଢେଙ୍କାନାଳରେ ୭ଟି ଜମି, ପୁଅ ଅବିନାଶ ମିଶ୍ରଙ୍କ ନାଁରେ ଥିବା ୮ଲକ୍ଷ ଟଙ୍କାର ଡୁକାଟି ବାଇକ୍(ଓଡି୦୨-ଏଓ୍ଵାଇ-୬୪୪୪), ୫.୪ଲକ୍ଷ ଟଙ୍କାର ହାର୍ଲି ଡେଭିଡସନ୍(ଓଡି୦୨-ଏଟି-୬୭୦୦) ଓ ଅଜୟ ମିଶ୍ରଙ୍କ ନାଁରେ ଥିବା ୭ଲକ୍ଷ ଟଙ୍କାର ଅନ୍ୟ ଏକ ହାର୍ଲି ଡେଭିଡସନ୍ ବାଇକ୍(ଓଡି୦୨-ଏକ୍ୟୁ-୯୫୧୩) ଜବତ କରାଯାଇଛି। ସେହିପରି କାର୍, ସ୍କୁଟିକୁ ମିଶାଇ ୬ଟି ଗାଡ଼ି ମିଳିଛି।

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗଣମାଧ୍ୟମ ଆଗରେ କହିଛନ୍ତି, ସେ ଢେଙ୍କାନାଳରେ କାର୍ଯ୍ୟରତ ଥିବାବେଳେ ଜଣେ ସୂଚନାଧିକାର କର୍ମୀ ତାଙ୍କୁ ବିଭିନ୍ନ ସମୟରେ ଚାନ୍ଦା ମାଗନ୍ତି। ଏପରିକି ପୁଲିସ, ଭିଜିଲାନ୍ସରେ ଅଭିଯୋଗ କରିବାକୁ ଧମକ ଦିଅନ୍ତି। ତେଣୁ ସେ ଏଭଳି ଅଭିଯୋଗ କରିଥାଇପାରନ୍ତି।

ସମ୍ବନ୍ଧିତ ଖବର