ଅନୁଗୁଳରେ ବବିଙ୍କ ପ୍ରଚାର ଆରମ୍ଭ: ବିଭିନ୍ନ ଦେବପୀଠରେ ପୂଜାର୍ଚ୍ଚନା

ଆଠମଲ୍ଲିକରେ ପଦଯାତ୍ରା ଓ ଛେଣ୍ଡିପଦାରେ ଆଲୋଚନା, ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ

ଅନୁଗୁଳ/ଆଠମଲ୍ଲିକ: ଆଠମଲ୍ଲିକର ଅଧ‌ିଷ୍ଠାତ୍ରୀ ଦେବୀ ମାହେଶ୍ବରୀଙ୍କ ଦର୍ଶନ ସହ ଅନୁଗୁଳ ଜିଲ୍ଲାରେ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡିର ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ହଜାର ହଜାର ସମର୍ଥକଙ୍କ ଗହଣରେ ଆଠମଲ୍ଲିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ‌ସେ ପ୍ରଚାର କରିବାସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ଆଜି ପୂର୍ବାହ୍ନରେ ମାହେଶ୍ବରୀ ମନ୍ଦିରରେ ପହଞ୍ଚିବାପରେ ପାରମ୍ପରିକ ରୀତିନୀତିରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରୁ ବାହାରିବା ପରେ ହଜାର ହଜାର ଲୋକ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ସହ ଆଠମଲ୍ଲିକ ସହରରେ ପଦଯାତ୍ରା କରିଥିଲେ। ପରେ ସେ ସମର୍ଥକଙ୍କ ସହ ବିନିକେୟୀ ମନ୍ଦିରକୁ ଯାଇଥିଲେ। ସେଠାରେ ଠାକୁରଙ୍କ ଦର୍ଶନ କରିବାସହ ସାଧାରଣଲୋକଙ୍କ ସହ ଭାବବିନିମୟ କରିଥିଲେ। ଅପରାହ୍ନରେ ଛେଣ୍ଡିପଦା ବ୍ଲକ୍‌ର ମା’ ବାୟାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏଠାରେ ମଧ୍ୟ ହଜାର ହଜାର ସମର୍ଥକ ତାଙ୍କୁ ସ୍ବାଗତ କରିଥିଲାବେଳେ ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବଇଣ୍ଡା, ଜରପଡ଼ା, ବାଲିପଟା ଓ ଛେଣ୍ଡିପଦାଠାରେ ବିଜେଡି କର୍ମୀ ଓ ସମର୍ଥକମାନେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥି‌ଲେ। ପ୍ରାର୍ଥୀ ହେବାପରେ ଏହା ବବିଙ୍କର ପ୍ରଥମ ଅନୁଗୁଳ ଗସ୍ତ ହୋଇଥିଲାବେଳେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ମନରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଥିଲା। ତାଙ୍କ ସହ ନଳିନୀକାନ୍ତ, ଛେଣ୍ଡିପଦା ବିଧାୟକ ପ୍ରାର୍ଥୀ ସୁଶାନ୍ତ ବେହେରା, ଅନୁଗୁଳ ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ କୁମାର ସାହୁ, ବିଜେଡି ନେତା ସଂଜୟ ଅଗ୍ରୱାଲ, ନେପୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର