ନୂଆପଡ଼ା ବିଧାନସଭା: ରାଜେନ୍ଦ୍ର, ଶରତଙ୍କ ପାଇଁ ସମ୍ମାନର ପ୍ରଶ୍ନ

ନୂଆପଡ଼ା: ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଏଥର ଏକ ଐତିହାସିକ ନିର୍ବାଚନ ହେବାକୁ ଯାଉଛି। ଏହି ଆସନ‌ରେ ହେଭି‌େୱଟ୍ ନେତାଙ୍କ ମଧ୍ୟରେ ଲଢ଼େଇ ହେବ। ବର୍ତ୍ତମାନ ଦଳୀୟ ପ୍ରାର୍ଥୀମାନେ ଭୋଟର୍‌ମାନଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ରଣନୀତି ଆରମ୍ଭ କରିଛନ୍ତି। ଏହି ଆସନରୁ ୩ ଥର ନିର୍ବାଚିତ ହୋଇଥିବା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପୁଣିଥରେ ବିଜେଡି ପ୍ରାର୍ଥୀ ହୋଇ ଚତୁର୍ଥ ବିଜୟ ଆଶା ନେଇ ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏଥର ନୂଆପଡ଼ାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନୂଆପଡ଼ାରେ ବିଜେଡିର ବିଜୟରେ ବ୍ରେକ୍‌ଦେବା ଲକ୍ଷ୍ୟରେ ନୂଆପଡ଼ାରେ ସେ ଆସ୍ଥାନ ଜମାଇ କଂଗ୍ରେସକୁ ସଜାଡୁଥିବା ଦେଖିବାକୁ ମିଳିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ଏହି ବିଧାନସଭା ଆସନରୁ ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନିର୍ବାଚିତ ହୋଇଥିଲେ। ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ପୁଣି ନିର୍ବାଚିତ ହୋଇଥିଲେ। ୨୦୧୪ରେ ତାଙ୍କ ବିଜୟଧାରାରେ ବ୍ରେକ୍ ଲାଗିଥିଲା। ୨୦୧୯ରେ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହି ଆସନ ପାଇଁ ପୁରୁଣା ଚେହେରା। ସେ ୧୯୯୧ ଓ ୧୯୯୬ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୧ ଓ ୧୯୯୬ ରେ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ନୂଆପଡ଼ା ରହିଥିଲା। ଆଜି ବି ତାଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଛି। ଶ୍ରୀ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହେବା ପରେ ବିଜେଡି ଓ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ତାଙ୍କ ସମର୍ଥକମାନେ ଦୃଢ଼ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର