ବାହାନଗା ଟ୍ରେନ୍‌ ଦୁର୍ଘଟଣା: ସିଗନାଲ୍ ଜେଇ ଅମୀର ଖାନ୍‌ଙ୍କୁ ପଚରାଉଚରା କରୁଛି ସିବିଆଇ

ସୋର: ବାଲେଶ୍ବର ଜିଲ୍ଲା ବାହାନଗାଠାରେ ଗତ ୨ ତାରିଖ ସନ୍ଧ୍ୟା ସମୟରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ସ୍କାନର ଓ ହେପାଜତରେ ଅଛନ୍ତି ସିଗନାଲ୍ କନିଷ୍ଠ ଯନ୍ତ୍ରୀ ଅମୀର ଖାନ୍। ସୋମବାର ଦିନ ସିବିଆଇର ଏକ ଟିମ ଅମୀର ଖାନ୍‌ଙ୍କ ସୋର କମାରପୁର ଅନ୍ନପୂର୍ଣ୍ଣା ରାଇସ ମିଲସ୍ଥିତ ଭଡା ଘରେ ଚଢ଼ାଉ କରିଥିଲା। କିନ୍ତୁ ଘରେ କେହି ନଥିବାରୁ ଦୀର୍ଘ ସମୟ ପରେ ଘରକୁ ସିଲ କରିବା ସହିତ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ସୋର ଥାନାର ଦୁଇ ଜଣ କର୍ମଚାରୀଙ୍କ ନିୟୋଜିତ କରାଯାଇଥିଲା। ପୁନଶ୍ଚ ଆଜି ସକାଳେ ଯନ୍ତ୍ରୀ ଶ୍ରୀ ଖାନଙ୍କ ଘରେ ପହଞ୍ଚି ସିବିଆଇ ଟିମ୍ ଅମୀର ଖାନଙ୍କ ଉପସ୍ଥିତିରେ ଘରର ସିଲ ଖୋଲିଛି। ଘର ଭିତରେ ପଶି ସିବିଆଇ ଟିମ୍ ଦୀର୍ଘ ସାତ ଘଣ୍ଟା ପର୍ଯ୍ୟନ୍ତ ତନାଘନା କରିଥିଲା। ତନାଘନା ପରେ ଅମୀର ଖାନକୁ ପୁଣି ଥରେ ହେପାଯତକୁ ନେବା ସହିତ କିଛି ଦରକାରୀ କାଗଜ ପତ୍ର ସିବିଆଇ ଟିମ ନେଇଥିବା ଜଣାପଡିଛି।

ଗତକାଲି ସକାଳେ ୪ ଜଣିଆ ସିବିଆଇ ଟିମ ସୋର ସ୍ଥିତ ଅମୀରଙ୍କ ଭଡ଼ା ଘରେ ଚଢ଼ାଉ କରିଥିବା ବେଳେ ଆଜି ସିବିଆଇର ସାତ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ଥିଲେ। ଚଳିତମାସ ୨ ତାରିଖରେ ଘଟିଥିବା ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜୁଛି। ଏଯାଏ ଷ୍ଟେସନ୍‌ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍‌ ରେକର୍ଡ କରିଛନ୍ତି ଏହି ତଦନ୍ତକାରୀ ଟିମ୍‌। ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଛି। ଷ୍ଟେସନ୍‌ର ପ୍ୟାନେଲ୍‌ ବୋର୍ଡ, ରିଲେ ରୁମ୍‌ ଓ ସିଗ୍‌ନାଲ୍‌ ରୁମ୍‌ ସିଲ୍‌ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଛି।

ଅନ୍ୟପକ୍ଷରେ, ଏହି ଦୁର୍ଘଟଣାକୁ ଦୁଇ ସପ୍ତାହ ବିତିଯାଇଥିଲେ ମଧ୍ୟ ଉକ୍ତ ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସଂପୂର୍ଣ୍ଣ ସ୍ବାଭାବିକ ହୋଇପାରିନି। ହାତଗଣତି ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିବା ବେଳେ ଅନେକ ଏକ୍ସପ୍ରେସ୍‌ ଟ୍ରେନ୍‌ ବାତିଲ ଅଛି। ସେହିପରି, କିଛି ଟ୍ରେନ୍‌ର ଗତିପଥକୁ ବଦଳାଯାଇଛି। ଅନ୍ୟପଟେ ଦୁଇଟି ପାସେଞ୍ଜରକୁ ଛାଡ଼ିଦେଲେ ବାକି ସବୁ ପାସେଞ୍ଜର ବନ୍ଦ ରହିଛି।

ସମ୍ବନ୍ଧିତ ଖବର