ସରକାରୀ ଅଧିକାରୀଙ୍କୁ ମାଡ଼ ଘଟଣା: ଥାନାରେ ମାମଲା ରୁଜୁର ଦିନକ ପରେ ଦିଲ୍ଲୀ ପଳାଇଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଓ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ୍‌କୁ ନେଇ ଚର୍ଚ୍ଚା

ବାରିପଦା : ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ଼ରେ ଆହତ ହୋଇଥିବା ଦୁଇ ସରକାରୀ ଅଧିକାରୀଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ବାରିପଦା ଟାଉନ୍‌ ପୁଲିସ ତଦନ୍ତ ଆରମ୍ଭ କରିଛି। ହେଲେ ତଦନ୍ତର ଦିଗ କଣ ରହିବ ଏବଂ ଏ ମାମଲାରେ କାହାକୁ ପଚରାଉଚରା କରାଯିବ, ସେ ନେଇ ପୁଲିସ ମୁହଁ ଖୋଲୁନାହିଁ। ଅନ୍ୟପକ୍ଷରେ ଏହି ଘଟଣାର ଦିନକ ପରେ କେନ୍ଦ୍ରମନ୍ତ୍ରୀ ଓ ମାଡ଼ରେ ଆହତ ହୋଇଥିବା ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ (ପ୍ଲାନିଂ) ବିଭାଗର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକଙ୍କ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ଆଜି ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶୁକ୍ରବାର ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସାଂସଦ ପାଣ୍ଠି ବିନିଯୋଗର ସମୀକ୍ଷା କରିବା ପାଇଁ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ (ପ୍ଲାନିଂ) କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇଥିଲେ। ସେଠାରେ କୁଆଡେ କେନ୍ଦ୍ରମନ୍ତ୍ରୀ ନିଜେ ସମୀକ୍ଷା ପାଇଁ ଆସିଛ, ଫାଇଲ କାହିଁକି ଆଣିନାହଁ କହି ଦୁଇ ଜଣଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଦୁଇ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିବା ପରେ ବାରିପଦା ଟାଉନ ଥାନା କେସ୍ ନଂ ୫୦/୨୨ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ତେବେ କେନ୍ଦ୍ରମନ୍ତ୍ରୀ ଓ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକଙ୍କ ବାର୍ତ୍ତାଳାପର ଅଡିଓ ରେକର୍ଡିଂକୁ ନେଇ ଆଜି ଦିନତମାମ ଚର୍ଚ୍ଚା ଜୋର୍‌ ଧରିଛି। ଅଡିଓରେ ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକଙ୍କୁ କେନ୍ଦ୍ରମନ୍ତ୍ରୀ ନିଜ ଅଫିସକୁ ଆସିବା ପାଇଁ ତାଗିଦ୍‌ କରୁଥିବା ଶୁଣିବାକୁ ମିଳୁଛି। ଫାଇଲ ଧରି ମୋ ନିଜ କାର୍ଯ୍ୟାଳୟକୁ ଆସ। ନ ଆସିଲେ ବାଧ୍ୟ ହୋଇ ତମ କାର୍ଯ୍ୟାଳୟକୁ ଯିବି ଏବଂ ତା ପରେ କଣ ପରିସ୍ଥିତି ହେବ; ତାହା ଜାଣିବ ବୋଲି କହୁଛନ୍ତି।

ସବିଶେଷ ସୂଚନା ମୁତାବକ, ଶନିବାର ପୂର୍ବାହ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁ ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଘଟଣାକୁ ରାଜ୍ୟ ରାଜସ୍ୱ ଅମଲା ସଂଘ ନିନ୍ଦା କରିଥିବା ବେଳେ ସୋମବାର ଜିଲ୍ଲା ସଂଘ ପକ୍ଷରୁ ପ୍ରତିକ୍ରିୟା ଦିଆଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଏହି ଘଟଣାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏଥିରେ କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର